ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ୟସ’ ଯୋଗୁଁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । ମହାବାତ୍ୟା ଫନି, ଅମ୍ଫାନ ଆଦିର ପୂର୍ବାନୁଭୂତିକୁ ଆଧାର କରି ସାମୁଦ୍ରିକ ବାତ୍ୟା ‘ୟସ୍’ ପରିପ୍ରେକ୍ଷୀରେ ସରକାରୀକଳ ଅତ୍ୟନ୍ତ ସକ୍ରିୟ ହୋଇ ପାଖାପାଖି ୬ଲକ୍ଷ ଲୋକଙ୍କୁ ବାତ୍ୟା ଆଶୟସ୍ଥଳୀମାନଙ୍କରେ ରଖିଛି ।
ତେବେ ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ମାସ୍କ ଠାରୁ ଆରମ୍ଭକରି ସାନିଟାଇଜର ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଇଥିବାବେଳେ ସୀମିତ ସ୍ଥାନରେ ସବୁ ଲୋକଙ୍କୁ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ନିର୍ଦ୍ଦିଷ୍ଟ ଦୂରତାରେ ରଖିବା ଅଧିକାଂଶ ସ୍ଥାନରେ ସମ୍ଭବ ହୋଇନାହିଁ ।
ବିଭିନ୍ନ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ରାଜ୍ୟ ସରକାରଙ୍କ ‘ଜିରୋ କାଜୁଆଲିଟି’ ନୀତିକୁ କାର୍ଯ୍ୟକାରୀ କରିବାପାଇଁ ସମ୍ଭାବ୍ୟ ବିପଦଥିବା ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀମାନଙ୍କୁ ପଠାଇଥିଲା । ଯଦି ଏଭଳି କରାଯାଇନଥାନ୍ତା ତେବେ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡା, ଜଗତ୍ସିଂହପୁର, ପୁରୀ ଆଦି ଜିଲ୍ଲାରେ ସାମୁଦ୍ରିକ ଝଡ, ବର୍ଷା ଯୋଗୁଁ ଢେର ଅଧିକ ଜୀବନହାନି ଘଟିଥାନ୍ତା ।
ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ଲୋକଙ୍କ ଅନୁପାତରେ ବହୁ ସ୍ଥଳରେ ପର୍ଯ୍ୟାପ୍ତ ସ୍ଥାନ ନଥିବା ସତ୍ୱେ ସେହିଠାରେ ଆଶ୍ରୟ ନେଇଥିବା ଲୋକଙ୍କ ଖାଦ୍ୟ ପେୟ ଓ ନିତ୍ୟକର୍ମ ଆଦିର ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ତେବେ ଏହି ଆଶୟସ୍ଥଳୀଗୁଡିକରେ ରଖାଯାଇଥିବା ଲୋକମାନଙ୍କ ମଧ୍ୟରୁ ସମସ୍ତ ଯେ କରୋନା ନେଗେଟିଭ ଏହି ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ ।
ଅବଶ୍ୟ ଯେଉଁମାନଙ୍କର କରୋନା ପଜିଟିଭ ଥିବା ଜଣାପଡିଥିଲା ସେମାନଙ୍କୁ ଡାକ୍ତରଖାନାରେ କିମ୍ବା ସଂଗରୋଧ ବ୍ୟବସ୍ଥାରେ ରଖାଯାଇଥିଲା । ଏ ପରିପ୍ରେକ୍ଷୀରେ ଚିହ୍ନଟ ହୋଇନଥିବା ଅଜଣା କରୋନା ପଜିଟିଭ ସଂକ୍ରମିତଙ୍କ ସଂସ୍ପର୍ଶରେ ବାତ୍ୟା ଆଶ୍ରୟସ୍ଥଳୀଗୁଡିକରେ ଯେଉଁମାନେ ଆସିଥିଲେ ସେମାନଙ୍କ ମଧ୍ୟରୁ କେତେକଙ୍କ କରୋନା ସଂକ୍ରମଣ ଆଶଙ୍କା ରହିଛି ।
ଏହି ଆଶଙ୍କାକୁ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ବି କେତେକ ସ୍ୱୀକାର କରିବା ସଂଗେ ସଂଗେ ପ୍ରଥମେ ଝଡବାତ୍ୟାରୁ ଜୀବନ ବଞ୍ଚାଇବା ପ୍ରାଥମିକତା ଥିବା ଦୃଷ୍ଟିରୁ ସେମାନେ ଆସିବାକୁ ବାଧ୍ୟହେଲେ ଏବଂ ଗହଳି ଯୋଗୁଁ ଯଦି ପରବର୍ତ୍ତୀ ସମୟରେ ସେମାନେ ସଂକ୍ରମିତ ହୁଅନ୍ତି ତାହେଲେ ଚିକିତ୍ସା ଦ୍ୱାରା ଭଲ ହୋଇପାରିବେ ବୋଲି ଦୃଢ ଆଶାବ୍ୟକ୍ତ କରିଛନ୍ତି ।
ବିଶେଷଜ୍ଞମାନେ କହୁଛନ୍ତି ଯେ ବାତ୍ୟା ଆଶ୍ରୟସ୍ଥଳୀରେ ଯେଉଁମାନଙ୍କୁ ରଖାଯାଇଥିଲା ଏବଂ ସେମାନଙ୍କ ସ୍ଥାନାନ୍ତରୀକରଣ ପରେ ଯେଉଁମାନେ ନିୟୋଜିତ ଥିଲେ ସେ ସମସ୍ତଙ୍କର ତୁରନ୍ତ ଆରଟିପିସିଆର ପରୀକ୍ଷା କରାଯିବା ଆବଶ୍ୟକ । ଏଠାରେ ଉଲ୍ଲେଖନୀୟ ଯେ ଅତୀତରେ ବାତ୍ୟାବେଳେ କେରଳ, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ଓଡିଶାର ଯେଉଁ ଆଗ୍ନିକମାନେ ସହାୟତା ଦେବାକୁ ଯାଇଥିଲେ ସେମାନଙ୍କ ମଧ୍ୟରୁ ପରେ ଅନେକ କୋଭିଡ ସଂକ୍ରମିତ ହୋଇଥିଲେ । ତେଣୁ ଏବେ ବାତ୍ୟାର ପ୍ରକୋପ କମିବାପରେ ଏହି ଲୋକମାନଙ୍କର କୋଭିଡ ପରୀକ୍ଷା, ଟିକାକରଣ, ଚିକିତ୍ସା ଆଦି କାର୍ଯ୍ୟ ଜୋରଦାର କରାଯିବାର ଆବଶ୍ୟକତା ରହିଛି । (ତଥ୍ୟ)