Home General ବହିଷ୍କୃତ ହୋଇଥିଲେ ଓଡିଶା ସାଂସଦ

ବହିଷ୍କୃତ ହୋଇଥିଲେ ଓଡିଶା ସାଂସଦ

ଭୁବନେଶ୍ୱର : ସଂସଦରେ ପ୍ରଶ୍ନ ପଚାରିବାପାଇଁ ଟଙ୍କା ନେଇଥିବା ଅଭିଯୋଗରେ ଓଡିଶାର ଜଣେ ରାଜ୍ୟସଭା ସାଂସଦଙ୍କୁ ପୂର୍ବରୁ ସଂସଦର ସଦାଚାର କମିଟିଙ୍କ ସୁପାରିଶ୍‍ କ୍ରମେ ରାଜ୍ୟସଭାରୁ ବହିଷ୍କାର କରାଯାଇଥିଲା । ଏବେ ତୃଣମୂଳ କଂଗ୍ରେସର ଲୋକସଭା ସଦସ୍ୟା ମହୁଆ ମୈତ୍ରଙ୍କୁ ଅନୁରୂପ ଅଭିଯୋଗରେ ଲୋକସଭା ବାଚସ୍ପତି ସଦାଚାର କମିଟିର ସୁପାରିଶ୍‍ ଆଧାରରେ ବହିଷ୍କାର କରିବା ଘେନି ଆଲୋଚନା ସୃଷ୍ଟି ହୋଇଥିବାବେଳେ ଓଡିଶାପାଇଁ ନିନ୍ଦା ଆଣିଥିବା ବହିଷ୍କୃତ ସାଂସଦଙ୍କ କଳା କାରନାମା ସଂକ୍ରାନ୍ତରେ ଚର୍ଚ୍ଚା ଚାଲିଛି ।

ଓଡିଶାର ଯେଉଁ ରାଜ୍ୟସଭା ସାଂସଦ ଜଣଙ୍କ ତାଙ୍କର ଏଭଳି ଅପକର୍ମ ପାଇଁ ବହିଷ୍କୃତ ହୋଇଥିଲେ ସେ ଓଡିଆ ନୁହନ୍ତି । ଉତ୍ତରପ୍ରଦେଶରୁ ଚାରିଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ଛତ୍ରପାଳ ସିଂହ ଲୋଧାଙ୍କୁ ବିଜେପି ପ୍ରାର୍ଥୀଭାବେ ଓଡିଶାରୁ ୨୦୦୪ ମସିହାରେ ନିର୍ବାଚିତ କରାଯାଇଥିଲା । ସେ ସେହିବର୍ଷ ଜୁଲାଇ ମାସରୁ ସାଂସଦ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ଏବଂ ୨୦୦୫ ଡିସେମ୍ବର ମାସରେ ତାଙ୍କୁ ପ୍ରଶ୍ନପାଇଁ ଟଙ୍କା ଅଭିଯୋଗ ଆଧାରରେ ବହିଷ୍କାର କରାଯାଇଥିଲା ।

ସେ ସମୟରେ କୋବ୍ରାପୋଷ୍ଟ ର କ୍ୟାମେରାରେ ଛତ୍ରପାଳ ସିଂହ ଲୋଧା ପ୍ରଶ୍ନ ପଚାରିବାପାଇଁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡିଥିଲେ । କୋବ୍ରାପୋଷ୍ଟର ଏହା ଅପରେସନ ଦୁର୍ଯ୍ୟୋଧନ ନାମରେ ପରିଚିତ ଥିଲା । ସେ ସମୟର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଥିବା ବିଜେପିର ପ୍ରତିଷ୍ଠାତା ସଦସ୍ୟ ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୈରଂସିଂହ ଶେଖାୱତ ଏଭଳି ଅଭିଯୋଗର ତୁରନ୍ତ ତଦନ୍ତ ପାଇଁ ସଦାଚାର କମିଟିକୁ କହିଥିଲେ ଏବଂ କମିଟି ତଦନ୍ତ କରି ୪୮ଘଣ୍ଟା ମଧ୍ୟରେ ଯେଉଁ ରିପୋର୍ଟ ଦେଇଥିଲେ ସେହି ଆଧାରରେ ଛତ୍ରପାଳ ସିଂହ ଲୋଧାଙ୍କୁ ରାଜ୍ୟସଭାରୁ ବହିଷ୍କୃତ କରାଯାଇଥିଲା ।

କେବଳ ସେତିକି ନୁହେଁ, ଅପରେସନ ‘ଚକ୍ରବ୍ୟୁହ’ ନାମରେ ଅନ୍ୟଏକ ଷ୍ଟିଙ୍ଗ୍‍ ଅପରେସନରେ ବି ସେ ସମୟରେ ଛତ୍ରପାଳ ସିଂହ ଲୋଧାଙ୍କ କଳା କାରନାମା ଚର୍ଚ୍ଚାର ବଳୟକୁ ଆସିଥିଲା । ସାଂସଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‍ପିଲ୍ୟାଡ୍‍) ପାଇଁ ପ୍ରକଳ୍ପ ମଞ୍ଜୁରୀ ଲାଗି ବି ଛତ୍ରପାଳ ସିଂହ ଲୋଧା କମିଶନ ନେଉଥିବା ସେତେବେଳେ ଜଣାପଡିଥିଲା । କେବଳ ଛତ୍ରପାଳ ସିଂହ ନୁହନ୍ତି ଆଉ ୭ଜଣ ସାଂସଦଙ୍କ ବିରୁଦ୍ଧରେ ସେ ସମୟରେ ଅନୁରୂପ ଅଭିଯୋଗ ଆସିଥିଲା ଏବଂ ସଂସଦର ସଦାଚାର କମିଟିର ତଦନ୍ତ ରିପୋର୍ଟ ଆଧାରରେ ଏମାନଙ୍କୁ ବି ବହିଷ୍କାର କରାଯାଇଥିଲା ।

ଏଯାବତ୍‍ ଅନ୍ୟୁନ ୧୭ଜଣ ସାଂସଦ ବହିଷ୍କୃତ ହେଲେଣି । ଏହି ତାଲିକାରେ ବିଭିନ୍ନ ଦଳର ବହୁ ନେତା ଓ ନେତ୍ରୀଙ୍କ ନାମ ରହିଛି । କଂଗ୍ରେସ ସାଂସଦ ଏଚ୍‍ ଜି ମୁଦଗଲଙ୍କୁ ଅନୁରୂପ ଅଭିଯୋଗରେ ସାଂସଦ ପଦ ଛାଡିବାକୁ ପହିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଜନସଂଘ ନେତା ସୁବ୍ୟମଣ୍ୟମ ସ୍ୱାମୀ, କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ସମେତ ବିଏସ୍‍ପି, ଆରଜେଡି ଓ ଅନ୍ୟ କେତେକ ଦଳର ନେତାମାନେ ସଂସଦର ନିଷ୍ପତ୍ତି କ୍ରମେ ଗୃହରୁ ବହିଷ୍କୃତ ହୋଇଥିଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ଇନ୍ଦିରା ଗାନ୍ଧୀ ଓ ସୁବ୍ରମଣ୍ୟମ ସ୍ୱାମୀଙ୍କ ଭଳି କେତେକ ନେତା ପରବର୍ତ୍ତୀ ନିର୍ବାଚନ ଲଢି ଯଥାକ୍ରମେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ । (ତଥ୍ୟ)