Home Education ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆହ୍ୱାନ

ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆହ୍ୱାନ

ଭୁବନେଶ୍ୱର : ସାରା ବିଶ୍ୱ ଜଳବାୟୁ ପରିବର୍ତନ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଶିଳ୍ପ ଗୁଡିକର ଦାୟିତ୍ୱ ବୃଦ୍ଧି ପାଇଛି । ଏହି ଦୃଷ୍ଟିରୁ ଇସ୍ପାତ ଉତ୍ପାଦନ ନିମନ୍ତେ ଉଦ୍‌ଜାନର ବ୍ୟବହାର ଦ୍ୱାରା ‘କାର୍ବନ ଫୁଟପ୍ରିଂଟ’ କୁ ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇପାରିବ ବୋଲି ଶନିବାର ଟାଟା ଷ୍ଟିଲ୍ ର ସିଇଓ ତଥା ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଟି.ଭି. ନରେନ୍ଦ୍ରନ କହିଛନ୍ତି ।

ଉଦ୍‌ଜାନ ବ୍ୟବହାର ଇସ୍ପାତ ଶିଳ୍ପକୁ ଏକ ପରିବେଶ ଅନୁକୂଳ ଭବିଷ୍ୟତକୁ ସ୍ଥାନାନ୍ତରିତ କରିବାରେ ସାହାଯ୍ୟ କରିପାରିବ ବୋଲି ଏଠାରେ ଇଣ୍ଡିଆନ ନ୍ୟାସନାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍‌ଏଇ) ର ୩ ଦିନିଆ ବାର୍ଷିକ ସଭାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନରେନ୍ଦ୍ରନ୍ ମତ ପ୍ରକାଶ କରିଛନ୍ତି ।

ଇସ୍ପାତ ପ୍ରସ୍ତୁତି ପ୍ରକ୍ରିୟାରେ ଗ୍ରୀନ୍ ହାଉସ୍ ଗ୍ୟାସର ନିର୍ଗମନ ବିଶ୍ୱର ସମଗ୍ର କାର୍ବନ ଫୁଟପ୍ରିଂଟର ପ୍ରାୟ ୮ ପ୍ରତିଶତ ଅଟେ । ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ ପରିବେଶ ର ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ନିମନ୍ତେ ପ୍ରତିଶୃତିବଦ୍ଧ ବୋଲି ସେ କହିଥିଲେ ।
ଏହି ବାର୍ଷିକ ସଭା ଶିକ୍ଷା ଓ ଅନୁସନ୍ଧାନ( ସୋଆ) ଠାରେ ଅନୁଷ୍ଠିତ ହେଉଛି । ଏହାକୁ ସୋଆ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନୋଲୋଜି ଭୁବନେଶ୍ୱର ସିଏସଆଇଆର – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲସ୍ ଆଣ୍ଡ ମ୍ୟାଟେରିଆଲସ ଟେକ୍‌ନୋଲୋଜି , ଭୁବନେଶ୍ୱର ଓ ଆଇଏନ୍‌ଏଇ ଭୁବନେଶ୍ୱର ଚାପ୍ଟର ଦ୍ୱାରା ମିଳିତ ଭାବେ ଆୟୋଜିତ କରାଯାଇଛି । ଆଇଏନ୍‌ଏଇ ଏକ ସ୍ୱୟଂଶାସିତ ପେଷାଦାର ସଂସ୍ଥା ଯେଉଁଥିରେ ଦେଶର ବିଶିଷ୍ଟ ଯନ୍ତ୍ରୀ, ଯନ୍ତ୍ରୀ- ବିଜ୍ଞାନୀ ଓ ଟେକ୍ନୋଲୋଜିଷ୍ଟ ମାନେ ସଂପୃକ୍ତ ଅଟନ୍ତି ।

ଉଦ୍‌ଘାଟନୀ ଉତ୍ସବରେ ଆଇଏନ୍‌ଏଇ ର ସଭାପତି ପ୍ରଫେସର ଇନ୍ଦ୍ରନୀଳ ମାନ୍ନା ପୌରହିତ୍ୟ କରିଥିବା ବେଳେ ଆଇଏନ୍‌ଏଇ ର ଭୁବନେଶ୍ୱର ଚାପ୍ଟର ର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଓ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ ।

ଶ୍ରୀ ନରେନ୍ଦ୍ରନ୍ ନିଜ ବକ୍ତବ୍ୟରେ କହିଥିଲେ ଯେ ସବୁଜ ଜ୍ଞାନକୌଶଳ କୁ ସଂପୂର୍ଣ୍ଣ ଭାବେ ଗ୍ରହଣ କରିବା ଏକ ଆହ୍ୱାନ ମାତ୍ର ଟାଟା ଷ୍ଟିଲ ଏଥି ନିମନ୍ତେ ପଦକ୍ଷେପ ନେବା ଆରମ୍ଭ କରିଛି ।

ଟାଟା ଷ୍ଟିଲ ଏଥି ନିମନ୍ତେ ନିଜର ଜାମସେଦ୍‌ପୁର ସ୍ଥିତ ଇସ୍ପାତ ଶିଳ୍ପରେ ଏକ ପାଇଲଟ ପ୍ରୋଜେକ୍ଟ ମାଧ୍ୟମରେ ଉଦ୍‌ଜାନ ବ୍ୟବହାର କରି କିପରି ଇସ୍ପାତ ଉତ୍ପାଦନ କରାଯାଇପାରିବ ତାହାର ପରୀକ୍ଷା କରିଥିଲେ । ଏହାଦ୍ୱାରା ଗ୍ରୀନ ହାଉସ୍ ଗ୍ୟାସ ନିର୍ଗମନକୁ କମ କରାଯାଇପାରିବ ବୋଲି ସେ କହିଥିଲେ ।

ଭାରତ ପୃଥିବୀରେ ଇସ୍ପାତ ଉତ୍ପାଦନରେ ଚୀନ ପଛକୁ ଦ୍ୱିତୀୟ ସ୍ଥାନ ରେ ରହିଥିବା ବେଳେ ଚୀନ ନିଜର ଉତ୍ପାଦନକୁ କ୍ରମାଗତ ଭାବେ ବୃଦ୍ଧି କରି ଚାଲିଛି । ଚୀନ ର ବାଓଷ୍ଟିଲ କମ୍ପାନୀ ଏକାକୀ ଭାରତର ମୋଟ ଇସ୍ପାତ ଉତ୍ପାଦନରୁ ଅଧିକ ଉତ୍ପାଦନ କରୁଛି ବୋଲି ସେ କହିଥିଲେ ।

ଶ୍ରୀ ନରେନ୍ଦ୍ରନ କହିଥିଲେ ଯେ ଦେଶରେ ଇସ୍ପାତ ଉତ୍ପାଦନରେ ବୃଦ୍ଧି କେବଳ ପୂର୍ବ ଭାରତରେ ଘଟୁଛି । ମାତ୍ର ଏଠାରେ ଅନେକ ପରିଚାଳନାଗତ ଓ ବୈଷୟିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡିଥାଏ ।

ଆଇଏନ୍‌ଏଇ ର ସଭାପତି ପ୍ରଫେସର ମାନ୍ନା କହିଥିଲେ ଯେ ଏହି ପ୍ରମୁଖ ସଂସ୍ଥାରେ ୯୧୯ ଫେଲୋ ଥିବାବେଳେ ୯୯ ଜଣ ବିଦେଶୀ ଫେଲୋ ଅଛନ୍ତି । ଏହି ସଭାରେ ଆହୁରି ୪୮ ଜଣଙ୍କୁ ଫେଲୋ ଭାବେ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି ।

ଆଇଏନ୍‌ଏଇ ର ପୂର୍ବତନ ସଭାପତି ତଥା ତିରୁଭାନନ୍ତପୁରମ୍ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସସ ଆଣ୍ଡ ଟେକ୍ନୋଲୋଜି ର କୁଳାଧିପତି ଡକ୍ଟର ବି.ଏନ୍‌. ସୁରେଶ ଙ୍କ ଦ୍ୱାରା ଲିଖିତ ପୁୂସ୍ତକ ‘ଡାଇଭର୍ସ ସ୍ପେସ ଆପ୍ଳିକେସନ୍‌’ ଏହି ଅବସରରେ ଉନ୍ମୋଚିତ ହୋଇଥିଲା । ଆଇଏନ୍‌ଏଇ ର ମେମ୍ବର ସେକ୍ରେଟାରୀ ଲେଫଟନାଂଟ କର୍ଣ୍ଣେଲ ଶୋଭିତ ରାଏ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।