ଭୁବନେଶ୍ୱର : ବସ୍ ଯାତ୍ରୀମାନଙ୍କ ଠାରୁ ଯେଭଳି ଭାବେ ଭଡା ଆଦାୟ କରାଯାଉଛି ତାହାକୁ ଦେଖିଲେ ଏହା ଉପରେ କାହାରି ନିୟନ୍ତ୍ରଣ ଥିଲାଭଳି ମନେ ହେଉନାହିଁ । ବିଶେଷକରି କୋଭିଡ ପରବର୍ତ୍ତୀ ସମୟରେ ଏଭଳି ମନଇଚ୍ଛା ଭଡା ଆଦାୟ କରାଯାଉଥିଲେ ବି ଏଥିପ୍ରତି ପରିବହନ ବିଭାଗ ଏକ ପ୍ରକାର ଆଖିବୁଜି ଦେଇଛି ।
ଖୋଦ୍ ରାଜଧାନୀ ଓ କଟକ ମଧ୍ୟରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସ୍ରେ ଭଡାକୁ ଦେଖିଲେ ଜଣେ ସହଜରେ ଏହା ଜାଣିପାରିବ । ଭୁବନେଶ୍ୱରର ବାଣୀବିହାର ଛକରୁ କଟକର ରିଙ୍ଗରୋଡ୍ ପର୍ଯ୍ୟନ୍ତ ଘରୋଇ ବସ୍ରେ ଗଲେ ୪୦ଟଙ୍କା ଭଡା ଗଣିବାକୁ ପଡୁଛି । କେଉଁଠି ଯଦି ଯାତ୍ରୀଟି ପ୍ରତିବାଦ କରୁଛି ତେବେ ବସ କର୍ମଚାରୀମାନେ ଦୟା ପରବେଶ ହୋଇ ୩୦ ରୁ ୩୫ଟଙ୍କା ଗ୍ରହଣ କରୁଛନ୍ତି । କିନ୍ତୁ ସମାନ ଦୂରତାର ରାସ୍ତା କିମ୍ବା ତାହାଠାରୁ ଅଧିକ ରାସ୍ତା ପାଇଁ ମୋ ବସ୍ରେ କମ୍ ଅର୍ଥ ପ୍ରଦାନ କରିବାକୁ ପଡୁଛି ।
ସେହିଭଳି ଭୁବନେଶ୍ୱର ଓ କଟକ ବସ୍ଷ୍ଟାଣ୍ଡରୁ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷକରି ପୁରୀ, କୋଣାର୍କ, ଜଗତ୍ସିଂହପୁର, କେନ୍ଦ୍ରାପଡା, ପାରାଦୀପ୍, ଯାଜପୁର, ବଡମ୍ବା, ବାଙ୍କି, ନୟାଗଡ ଆଦି ସ୍ଥାନକୁ ଚଳାଚଳ କରୁଥିବା ଘରୋଇ ବସ୍ଗୁଡିକ କାହାଠାରୁ କେତେ ଭଡା ଆଦାୟ କରୁଛନ୍ତି ତାହାର କୌଣସି ସଠିକତା ନାହିଁ । କଟକରୁ ଜଗତ୍ସିଂହପୁରର ଦୂରତା ୫୦ କିଲୋମିଟର ହୋଇଥିବାବେଳେ କେଉଁ ଯାତ୍ରୀଙ୍କ ଠାରୁ ୫୦ ତ ଆଉ କାହାଠାରୁ ୬୦ ଟଙ୍କା ଆଦାୟ ହେଉଛି । ଯାତ୍ରୀମାନେ ପ୍ରତିବାଦ କଲେ ବସ୍ କର୍ମଚାରୀମାନେ ତେଲ ଦରବୃଦ୍ଧି ଓ ଅନ୍ୟାନ୍ୟ ବର୍ଦ୍ଧିତ ଖର୍ଚ୍ଚକୁ ଦେଖାଉଛନ୍ତି ।
ତେବେ ସବୁଠାରୁ ବଡକଥା ହେଲା ରାଜ୍ୟର ପ୍ରମୁଖ ବସ୍ଷ୍ଟାଣ୍ଡଗୁଡିକରୁ ବିଭିନ୍ନ ସ୍ଥାନର ଦୂରତା କେତେ ତାହା ସାଧାରଣଯାତ୍ରୀଟିଏ ଜାଣିବାର କୌଣସି ବ୍ୟବସ୍ଥା ନାହିଁ । ଯେହେତୁ ବସଷ୍ଟାଣ୍ଡଗୁଡିକରେ ରାସ୍ତାର ଦୂରତା ଓ କେଉଁ ଶ୍ରେଣୀର ବସ୍ ପାଇଁ ସେହିସବୁ ସ୍ଥାନକୁ କେତେ ଭଡା ଦେବାକୁ ପଡିବ ତାହା ସରକାରୀ ଭାବେ ଉଲ୍ଲେଖ ରହୁନାହିଁ ତେଣୁ ବସ୍ କଣ୍ଡକ୍ଟରମାନେ ଯେତିକି କହୁଛନ୍ତି ଯାତ୍ରୀଟି ସେତିକି ଅର୍ଥ ଦେବାକୁ ବାଧ୍ୟ ହେଉଛି ।
ଏହାଛଡା ଏବେ ପ୍ରାୟତଃ ଆଉ କୌଣସି ବସ୍ରେ କଣ୍ଡକ୍ଟରମାନେ ଯାତ୍ରୀଙ୍କ ଭଡା ବାବଦୀୟ ଟିକଟ ଦେଉ ନାହାନ୍ତି । ସିଧାସଳଖ ଯାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରୁଛନ୍ତି । ଯାତ୍ରୀଙ୍କୁ ଟିକଟ ଦେବା ନେଇ ପୂର୍ବରୁ ପରିବହନ ସ୍କ୍ୱାଡ୍ ଯେଭଳି ଅଚାନକ ମଝି ରାସ୍ତାରେ ଯାଞ୍ଚ କରୁଥିଲା ତାହା ଆଉ ନାହିଁ । ଫଳରେ ଘରୋଇ ବସ୍ର କଣ୍ଡକ୍ଟରମାନେ ଆଉ ଅର୍ଥ ଖର୍ଚ୍ଚକରି ରସିଦ ବହି ଛପାଉ ନାହାନ୍ତି କି ଯାତ୍ରୀଙ୍କୁ ଦେଉ ନାହାନ୍ତି । ମୋଟାମୋଟି ଭାବେ ପରିବହନ ବିଭାଗର ଉଦାସୀନତା ଯୋଗୁଁ ବସ୍ ଯାତ୍ରୀମାନେ ଏବେ ଅଧିକ ଅର୍ଥ ଗଣିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)