Home Industry ବର୍ଜ୍ୟରୁ ସମ୍ପଦ ସୃଷ୍ଟି ବର୍ତ୍ତମାନର ଆବଶ୍ୟକତା

ବର୍ଜ୍ୟରୁ ସମ୍ପଦ ସୃଷ୍ଟି ବର୍ତ୍ତମାନର ଆବଶ୍ୟକତା

ଭୁବନେଶ୍ୱର : ବର୍ତ୍ତମାନର ଦ୍ରୁତ ଶିଳ୍ପାୟନ ଓ ଅର୍ଥନୈତିକ ପ୍ରଗତି ସମୟରେ ବର୍ଜ୍ୟବସ୍ତୁକୁ ସଂପଦରେ ପରିବର୍ତ୍ତନ କରିବା ସବୁଠାରୁ ବଡ଼ ଆବଶ୍ୟକତା । ସରଳ ଭାଷାରେ ଚକ୍ରାକାର ଅର୍ଥନୀତିର ଅର୍ଥ ହେଉଛି କୌଣସି ବସ୍ତୁର ପୁନଃବ୍ୟବହାର ବା ପୁନଃଚକ୍ରଣ ବୋଲି ମେକ୍‌ ଇନ୍‌ ଓଡ଼ିଶାର ଚକ୍ରାକାର ଅର୍ଥନୀତି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ଓଡ଼ିଶା ଆଜି ପୂର୍ବଭାରତର ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି । ନିରନ୍ତର ପ୍ରଗତି ଉପରେ ଓଡ଼ିଶା ସରକାର ସବୁବେଳେ ବିଶ୍ୱାସ କରିଆସିଛନ୍ତି । ଓଡ଼ିଶାର ଚକ୍ରାକାର ଅର୍ଥନୀତିରେ ୩୯ଟି ପ୍ରକଳ୍ପ ମାଧ୍ୟମରେ ୨୩୭୨.୩୭ କୋଟି ଟଙ୍କାର ପୁଂଜିନିବେଶ କରିବା ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହା ମାଧ୍ୟମରେ ୩୨୦୦ରୁ ଊଦ୍ଧ୍ୱର୍ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଓଡ଼ିଶା ସରକାର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା, ତା ସହିତ ଷ୍ଟାର୍ଟଅପ୍‌ମାନଙ୍କ ସହ ହାତମିଳାଇ ରାଜ୍ୟର ଚକ୍ରାକାର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ଆଶା ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ଉଲ୍ଲେଖ କରିଛନ୍ତି ।

ଫ୍ଲାଏ ଆସ୍‌, ଷ୍ଟିଲ୍‌ ସ୍କ୍ରାପ୍‌, ଜିପ୍‌ସମ୍‌, ନାଲି କାଦୁଅ, ପ୍ଲାଷ୍ଟିକ୍‌, ସ୍ଲାଗ୍‌ ଆଦି ବର୍ଜ୍ୟବସ୍ତୁ ସମୂହକୁ ସିମେଣ୍ଟ ଓ ଇଟା ତିଆରିରେ ଓଡ଼ିଶାର କିଛି ସ୍ଥାନରେ ବ୍ୟବହାର କରାଯାଉଛି । ଏ ଦିଗରେ ଅଧିକ ସମନ୍ୱିତ ପ୍ରୟାସ ଆବଶ୍ୟକ ବୋଲି ଓଡ଼ିଶା ସରକାର ହୃଦୟଙ୍ଗମ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି ।

ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ଯୋଗୁଁ ଓଡ଼ିିଶାରେ ବର୍ଜ୍ୟବସ୍ତୁକୁ ବ୍ୟବହାରଯୋଗ୍ୟ ସଂପଦରେ ପରିଣତ କରିବା ପାଇଁ ଅନେକ ସୁଯୋଗ ରହିଛି । ଆମ ଓଡ଼ିଶାରେ ବିଭିନ୍ନ ସୂତ୍ରରୁ ପ୍ରାୟ ୮୫ ମିଲିୟନ୍‌ ଟନ୍‌ ବର୍ଜ୍ୟବସ୍ତୁ ସଂଗୃହୀତ ହେଉଛି, ଆମେ ସମସ୍ୟାକୁ ସମ୍ଭାବନାରେ ପରିଣତ କରିବା ପାଇଁ ବଦ୍ଧପରିକର ହେବା ଆବଶ୍ୟକ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା କହିଛନ୍ତି ।
ଏହି ଅବସରରେ ଅତିଥିମାନେ ଏକ ନଲେଜ୍‌ ପେପରର ଉନ୍ମୋଚନ କରିଥିଲେ ।

ବରିଷ୍ଠ ବନସେବା ଅଧିକାରୀ ଡ. କେ. ମୁରୁଗେସନ୍‌ ଏହାର ମୁଖ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ । ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ବକ୍ତା ଡ. ବି.ଏନ୍‌. ମହାପାତ୍ର, ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଇଫ୍‌କୋ ପାରାଦୀପର ନିର୍ଦ୍ଦେଶକ କେ.ଜେ. ପଟେଲ୍‌, ଆଦିତ୍ୟ ବିର୍ଲାର ଦୀକ୍ଷ୍‌ସା ଭାଟସ୍‌, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶ୍ରୀ ଅଶୋକ କୁମାର ଶର୍ମା ଓ ଅନ୍ୟମାନେ ଓଡ଼ିଶାକୁ କ୍ରଡଲ ଟୁ କ୍ରଡଲ୍‌ ଅର୍ଥନୀତିରେ ପରିଣତ କରିବା ପାଇଁ ଆବଶ୍ୟକ ପଦ୍ଧତି ଓ ଚିନ୍ତାଧାରା ଉପରେ ବିଶଦ ଆଲୋଚନା କରିଥିଲେ ।

ଶିଳ୍ପସମୃଦ୍ଧ ଅନୁଗୋଳ ଜିଲ୍ଲାରେ ବର୍ଜ୍ୟବସ୍ତୁକୁ ସଂପଦରେ ପରିଣତ କରିବା ପାଇଁ ସବୁଠାରୁ ଅଧିକ ସୁଯୋଗ ରହିଛି । ଏ ଦିଗରେ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।

ନାଲ୍‌କୋ, ଇଫ୍‌କୋ, ଜେଏସ୍‌ଡବ୍ଲୁ୍ୟ ସିମେଣ୍ଟ, ରୁନାୟା ରିଫାଇନିଂ, ଟାଟା, ବେଦାନ୍ତ, ହିଣ୍ଡାଲ୍‌କୋ ସମେତ ଅନେକ ଶିଳ୍ପାନୁଷ୍ଠାନ ରାଜ୍ୟରେ ଚକ୍ରାକାର ଅର୍ଥନୀତିରେ ପୁଂଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।