Home Judiciary ବରିଷ୍ଠ ନାଗରିକ ନ୍ୟାୟ ପାଇବାରୁ ବଞ୍ଚିତ

ବରିଷ୍ଠ ନାଗରିକ ନ୍ୟାୟ ପାଇବାରୁ ବଞ୍ଚିତ

ଭୁବନେଶ୍ୱର : ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସାମାଜିକ ନିରାପତ୍ତା ପ୍ରସଙ୍ଗରେ ବହୁ ଯୋଜନା ପ୍ରଣୟନ କରାଯାଉଥିବାବେଳେ ବସ୍ତୁତଃ ସଂଖ୍ୟାଧିକ କ୍ଷେତ୍ରରେ ଏମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏମିତିକି ବରିଷ୍ଠ ନାଗରିକମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାର ବିଚାର ବର୍ଷ ବର୍ଷ ଧରି ଗଡୁଥିବାବେଳେ ଦଣ୍ଡବିଧାନ ହାର ବି ନଗଣ୍ୟ ରହୁଛି ।

୨୦୨୩ ଆରମ୍ଭ ବେଳକୁ ଦେଶରେ ଏହି କିସମର ଲକ୍ଷାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଓଡିଶାରେ ଏହି ସଂଖ୍ୟା ବି ୨ ହଜାରରୁ ଅଧିକ ରହିଛି । ବର୍ଷକୁ ବର୍ଷ ଏହି କିସମର ମାମଲା ସଂଖ୍ୟା ବଢି ବଢି ଚାଲିଛି ।

କେନ୍ଦ୍ର ସରକାରଙ୍କ ସର୍ବଶେଷ କ୍ରାଇମ ଇନ୍‍ ଇଣ୍ଡିଆ ରିପୋର୍ଟର ତଥ୍ୟ ମୁତାବକ ୨୦୨୨ ବର୍ଷରେ ଓଡିଶାରେ ବରିଷ୍ଠ ନାଗରିକଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାଗୁଡିକ ଭିତରୁ ୨୦୫୭ଟି ବିଚାର ପ୍ରତୀକ୍ଷାରେ ଥିବାବେଳେ ଏଥିରୁ ଗୋଟିଏ ହେଲେ ମାମଲା ରାଜ୍ୟର କୌଣସି ଅଦାଲତରେ ଫଏସଲା ହୋଇନାହିଁ କିମ୍ବା ଜଣେ ଅପରାଧିଙ୍କୁ ବି ଦଣ୍ଡିତ କରାଯାଇ ନାହିଁ ।

ଅନ୍ୟ ପକ୍ଷରେ ବରିଷ୍ଠ ନାଗରିକଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୩୧.୭ ପ୍ରତିଶତ ଥିବାବେଳେ ମାମଲା ଫଏସଲା ହାର ମାତ୍ର ୭.୯ ପ୍ରତିଶତ ରହିଛି । ୨୦୨୨ ବର୍ଷରେ ଏହି କିସମର ୧,୧୦,୬୨୯ଟି ମାମଲା ବିଚାରାଧିନ ଥିବାବେଳେ ସେଥିରୁ ମାତ୍ର ୮୬୮୬ଟି ଫଏସଲା ହୋଇଥିଲା, ଯେଉଁଥିରୁ ମାତ୍ର ୧୯୦୨ଟିରେ ଅପରାଧିଙ୍କ ପ୍ରତି ଦଣ୍ଡବିଧାନ ହୋଇପାରିଛି । ଏବେ ସାରା ଦେଶରେ ଏହି କିସମର ମାମଲା ସଂଖ୍ୟା ୧.୨୦ଲକ୍ଷରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି ।

କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ସରକାର ସବୁ ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା ସୁଯୋଗ ଓ ସେମାନଙ୍କ ସାମାଜିକ ନିରାପତ୍ତା ଉପରେ ଗୁରୁତ୍ୱ ଦେଉଛନ୍ତି । ବରିଷ୍ଠ ନାଗରିକମାନଙ୍କ ମଧ୍ୟରୁ ଆର୍ଥିକ ଦୁର୍ଗତମାନଙ୍କ ଲାଗି ବାର୍ଦ୍ଧକ୍ୟ ଭତ୍ତା ସହ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍‍ ଆଧାରରେ ମାଗଣା ଖାଦ୍ୟ ଶସ୍ୟ ଯୋଗାଯାଉଛି । ରେଳଗାଡି ଓ ବିମାନରେ ଆସନ ସଂରକ୍ଷଣ ପାଇଁ ବରିଷ୍ଠ ନାଗରିକମାନଙ୍କୁ ଅଗ୍ରାଧିକାର ଦିଆଯାଉଥିବାବେଳେ ପୂର୍ବରୁ ରେଳଯାତ୍ରା ଆଦି ଲାଗି ସେମାନଙ୍କ ପାଇଁ ଯେଉଁ ରିହାତି ବ୍ୟବସ୍ଥା ଥିଲା ତାହା ଏବେ ପ୍ରତ୍ୟାହୃତ ହୋଇଯାଇଛି ।

ଅନେକ ସ୍ଥଳରେ ବରିଷ୍ଠ ନାଗରିକମାନଙ୍କୁ ବିନା ଧାଡିରେ କାମ କରିବାପାଇଁ ସୁଯୋଗ ଦିଆଯାଉଥିବାବେଳେ କେତେକ ସହରାଞ୍ଚଳରେ ଏମାନେ ଚଳାଉଥିବା ମୋଟରଯାନ ପଛରେ ସ୍ୱତନ୍ତ୍ର ଷ୍ଟିକର ଲଗାଯାଉଛି । ଅଥଚ ବହୁ ବରିଷ୍ଠ ନାଗରିକଙ୍କ ସନ୍ତାନ ସନ୍ତତି କାମଧନ୍ଦା ଅନ୍ୱେଷଣରେ ଅନ୍ୟତ୍ର ଚାଲିଯାଉଥିବାବେଳେ ସ୍ଥଳ ବିଶେଷରେ ଅସାମାଜିକ ବ୍ୟକ୍ତିମାନେ ସେମାନଙ୍କ ସ୍ଥାବର, ଅସ୍ଥାବର ସମ୍ପତ୍ତି ଲୁଟ୍‍ କରିବା ସହିତ ମରଣାନ୍ତକ ଆକ୍ରମଣ ବି କରୁଛନ୍ତି । ଏମିତିକି ସାଇବର ଅପରାଧିମାନେ ବି ବରିଷ୍ଠ ନାଗରିକଙ୍କୁ ସହଜରେ ଠକି ସେମାନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟ ଖାଲିକରି ଦେଉଛନ୍ତି ।

ବରିଷ୍ଠ ନାଗରିକମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବହୁ ଯୋଜନା ଘୋଷଣା କରୁଛନ୍ତି । କିନ୍ତୁ ବାସ୍ତବରେ ଥାନା, ଫାଣ୍ଡିରୁ ଆରମ୍ଭ କରି କୋର୍ଟ କଚେରୀ ପର୍ଯ୍ୟନ୍ତ ବରିଷ୍ଠ ନାଗରିକମାନେ ଯେ ସଂଖ୍ୟାଧିକ କ୍ଷେତ୍ରରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ତାହାର ପ୍ରାମାଣିକ ତଥ୍ୟ ଗତ ଡିସେମ୍ବର ମାସରେ ପ୍ରକାଶିତ କେନ୍ଦ୍ର ସରକାରଙ୍କ କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି । ଏମିତିକି ଅନେକ କ୍ଷେତ୍ରରେ ଅତ୍ୟାଚାରର ଶିକାର ହେଉଥିବା କେତେକ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ହେବାପରେ ମାମଲା ଦୁର୍ବଳ ହୋଇପଡୁଥିବାରୁ ଦଣ୍ଡବିଧାନ ହାର କମୁଛି । (ତଥ୍ୟ)