ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଜଧାନୀରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ବରପୁତ୍ର ତଥା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନପୂର୍ବକ ସମ୍ମାନ ନିବେଦନ
କରିଛନ୍ତି ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୁରୀରୁ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କ ଉଚ୍ଛ୍ୱସିତ ସ୍ୱାଗତ ଜଣାଇଥିଲେ ସମବେତ ଜନତା । ଲୋକନୃତ୍ୟ ଓ ପାରମ୍ପରିକ ବାଦ୍ୟର ଆୟୋଜନ ସାଙ୍ଗକୁ ଶଂଖଧ୍ୱନି ମଧ୍ୟରେ ସେଠାକାର ପରିବେଶ ମୁଖରିତ ହୋଇ ଉଠିଥିଲା ।
ମାନ୍ୟବର ରାଷ୍ଟ୍ରପତି ପ୍ରଥମେ ରାଜ୍ୟ ସଂଗ୍ରହାଳୟ ଛକଠାରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ ।
ଏହାପରେ ରାଜଭବନ ଛକରେ ଉତ୍କଳଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଛକଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାୱାର ହାଉସ୍ ଛକଠାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, କଳିଙ୍ଗ ହସ୍ପିଟାଲ୍ ଛକଠାରେ ସ୍ୱଭାବକବି ଗଙ୍ଗାଧର ମେହେର ଓ ଶହୀଦ ଲକ୍ଷ୍ମଣ ନାଏକ, ମୈତ୍ରୀବିହାରଠାରେ ଭଗବାନ୍ ବିର୍ସା ମୁଣ୍ଡା ଏବଂ ଗୁରୁ ଗୋମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ରାଷ୍ଟ୍ରପତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେଠାରେ ଜନଜାତିଙ୍କ ପୂଜ୍ୟଦେବତା ମାରାଗଂ ବୁୁରୁଙ୍କୁ ପ୍ରାର୍ଥନାପୂର୍ବକ ପ୍ରଣିପାତ କରିଥିଲେ ।
ପ୍ରତିମୂର୍ତ୍ତି ସ୍ଥଳଗୁଡ଼ିକରେ ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କେତେକ ସ୍ଥାନରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇ ଲୋକନୃତ୍ୟ ଓ ଜନଜାତି ନୃତ୍ୟ ପରିବେଷିତ ହୋଇଥିଲା । ସବୁଠାରେ ଜନସାଧାରଣ ହର୍ଷଧ୍ୱନି, ହୁଳହୁଳି ସହିତ ମହାମହିମ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଶୃଙ୍ଖଳିତ ଭାବରେ ସମବେତ ହୋଇଥିଲେ ।