ଭୁବନେଶ୍ୱର : ଓଡ଼ିଶାରେ ପଞ୍ଜୀକୃତ ଆତ୍ମହତ୍ୟା ମାମଲା ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି । ରାଜ୍ୟରେ ଦିନକୁ ହାରାହାରି ୧୬ଜଣ ବିଭିନ୍ନ କାରଣରୁ ଆତ୍ମହତ୍ୟା କରୁଛନ୍ତି । ଏହି ଧାରା ଅବ୍ୟାହତ ରହିଲେ ଆଗାମୀ ବର୍ଷରେ ଆତ୍ମହତ୍ୟା ଘଟଣା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହେବ ।
ଓଡ଼ିଶାରେ ବର୍ଷକୁ ଯେତେ ହତ୍ୟାକାଣ୍ଡ ଘଟୁଛି ତାହାର ୪ଗୁଣରୁ ଅଧିକ ଜୀବନ ଯାଉଛି ଆତ୍ମହତ୍ୟାରେ । ମନସ୍ତତ୍ତ୍ୱବିତ୍ମାନେ କହୁଛନ୍ତି ଯେ ଦାରିଦ୍ର, ବେରୋଜଗାରୀ, ବେକାରି, ଋଣଚାପ, ନିଶା, ପ୍ରେମ ଓ ପ୍ରତାରଣା, ସାମାଜିକ କଳଙ୍କର ଭୟ, ପାଠ ପଢାର ଚାପ ଏମିତି କି ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ଖେଳ ଆଦି ଯୋଗୁ ଚଢୁଥିବା ମାନସିକ ଚାପ ଆତ୍ମହତ୍ୟାର ପ୍ରମୁଖ କାରଣ ସାଜୁଛି । ଦୁର୍ଲ୍ଲଭ ମଣିଷ ଜୀବନକୁ ଅସମୟରେ ନଷ୍ଟ କରିବା ପାଇଁ ଚିନ୍ତା କରିବା ପୂର୍ବରୁ ଚାପଗ୍ରସ୍ତ ବ୍ୟକ୍ତିମାନେ ସେମାନଙ୍କ ସମସ୍ୟା କୌଣସି ନିଜ ଲୋକ କିମ୍ବା ମନସ୍ତତ୍ତ୍ୱବିତ୍ମାନଙ୍କ ନିକଟରେ ଖୋଲା ଖୋଲି ପ୍ରକାଶ କରିପାରିଲେ ଆତ୍ମହତ୍ୟା ସଂଖ୍ୟା ଢେର୍ କମି ପାରନ୍ତା ।
ସରକାରୀ ପରିସଂଖ୍ୟାନ ମୁତାବକ ୨୦୧୮ ବର୍ଷରେ ଓଡ଼ିଶାରେ ୪୪୪୭ଟି ଆତ୍ମହତ୍ୟା ମାମଲା ପୁଲିସ ନିକଟରେ ପଞ୍ଜିକୃତ ହୋଇଥିବାବେଳେ ଏହି ସଂଖ୍ୟା ୨୦୧୯ ବର୍ଷରେ ୪୬୩୬ ଓ ୨୦୨୦ ବର୍ଷରେ ୫୪୮୨ରେ ପହଞ୍ôଚଥିଲା । ୨୦୨୧ ବର୍ଷରେ ଓଡ଼ିଶାରେ ୫୬୪୯ଟି ଆତ୍ମହତ୍ୟା ମାମଲା ଦରଜ ହୋଇଥିବାବେଳେ ୨୦୨୨ରେ ଏହି ସଂଖ୍ୟା ୬୧୪୦ ଥିଲା । ୨୦୧୮ରୁ ୨୦୨୨ ମଧ୍ୟରେ ରାଜ୍ୟରେ ବାର୍ଷିକ ହତ୍ୟାକାଣ୍ଡ ମାମଲା ସଂଖ୍ୟା ବାର୍ଷିକ ୧୪୦୦ରୁ କମ୍ ରହୁଛି । କେବଳ ୨୦୨୦ ବର୍ଷରେ ହତ୍ୟାକାଣ୍ଡ ମାମଲା ସଂଖ୍ୟା ୧୪୦୦ରୁ ଅଧିକ ଥିଲା । ଅତ୍ମହତ୍ୟାକାରୀଙ୍କ ମଧ୍ୟରେ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀଙ୍କ ହାର ଅପେକ୍ଷାକୃତ ଅଧିକ ରହିବା ଚିନ୍ତାଜନକ ହୋଇଛି ।
ମନସ୍ତତ୍ତ୍ୱବିତ୍ମାନେ କହୁଛନ୍ତି ଯେ ପରିବାରର ବାପା-ମା’ଙ୍କ ସମେତ ଅନ୍ୟା ବରିଷ୍ଠ ସଦସ୍ୟ ଓ ସମ୍ପର୍କୀୟମାନେ ପିଲାମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ସହିତ ସେମାନଙ୍କ ଉପରେ ଯେଭଳି ଅଧିକ ମାନସିକ ଚାପ ସୃଷ୍ଟି ନହୁଏ ସେ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ । ମାନସିକ ଚାପରୁ ସାମୟିକ ଆଶ୍ୱସ୍ତି ପାଇଁ ନିଶା ସେବନ ଆଦୌ ଏକ ଉପଚାର ନୁହେଁ । ପିଲାମାନେ ସଂଗଦୋଷରୁ ହେଉ କିମ୍ବା ସାମାଜିକ, ଆର୍ଥିକ ଓ ମନସ୍ତାତ୍ତ୍ୱିକ କାରଣରୁ ହେଉ ଯେପରି ନିଶା ରାକ୍ଷସର ପାଲରେ ନ ପଡନ୍ତି ସେ ଦିଗରେ ମଧ୍ୟ ସମସ୍ତେ ସଚେତନ ରହିବା ଆବଶ୍ୟକ । ଏହାଛଡ଼ା ବିଶ୍ୱର ଅର୍ଥନୈତିକ ଢାଞ୍ଚାରେ ପରିବର୍ତ୍ତନ ସହ ଜଗତୀକରଣ, ବଜାରୀକରଣ, ସାଂସ୍କୃତିକ ଅବକ୍ଷୟ ଆଦି ବିଭିନ୍ନ କାରଣରୁ ବେକାରୀ, ବେରୋଜଗାରୀ ବଢୁଥିବାବେଳେ ଚାକିରି ପଛରେ ନଗୋଡାଇ ଯେଭଳି ଶ୍ରମର ମର୍ଯ୍ୟାଦାକୁ ବଜାୟ ରଖି ବିକଳ୍ପ ରୋଜଗାରର ପନ୍ଥା କାଢି ପାରିବେ ସେ ପ୍ରସଙ୍ଗରେ ସରକାରୀ ଓ ବେସରକାରୀ ସଂସ୍ଥା ଏବଂ ପରିବାର ପିଲାମାନଙ୍କୁ ସଠିକ୍ ମାର୍ଗଦର୍ଶନ ଦେବା ଆବଶ୍ୟକ ।
ସଡକ ଦୁର୍ଘଟଣା ମାମଲା ମଧ୍ୟ ଆମ ରାଜ୍ୟରେ ଢେର୍ ଅଧିକ ରହୁଛି । ମାସକୁ ହାରାହାରି ହଜାରେ ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣା ଘଟୁଛି । ଏଥିରେ ବି ମୃତାହତଙ୍କ ମଧ୍ୟରେ ଅଧିକ ରହୁଛନ୍ତି ଯୁବବର୍ଗର । ବିଶେଷ କରି ବେପରୁଆ ଗାଡି ଚାଳନା ଓ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଇବାରୁ ସଂଖ୍ୟାଧିକ ଦୁର୍ଘଟଣା ଘଟୁଛି । ନିଶାଜନିତ ସଡକ ଦୁର୍ଘଟଣା ହାର ୫୦ପ୍ରତିଶତରୁ ଅଧିକ ରହୁଥିବାବେଳେ ମୋଟାମୋଟି ଭାବେ ମୃତାହତଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଯୁବବର୍ଗର ଥିବା କୁହାଯାଉଛି ।
ସଡକ ଦୁର୍ଘଟଣା କମାଇବା ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିଠାରୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ବିଭିନ୍ନ ବେସରକାରୀ ସଂସ୍ଥା ଉଦ୍ୟମ ଜାରି ରଖିଛନ୍ତି । ଏହା ସତ୍ତ୍ୱେ ବି ୨୦୨୨ବର୍ଷରେ ଓଡିଶାରେ ୧୧୬୬୩ଟି ସଡକ ଦୁର୍ଘଟଣା ବା ମାମଲା ପଞ୍ଜୀକୃତ ହୋଇଛି ଯାହା ବିଗତ ୫ବର୍ଷ ମଧ୍ୟରେ ସର୍ବାଧିକ ବୋଲି କୁହାଯାଉଛି । (ତଥ୍ୟ)