Home Excise ବଢୁଛି ଚୋରା ନିଶା କାରବାର

ବଢୁଛି ଚୋରା ନିଶା କାରବାର

ଭୁବନେଶ୍ୱର : ସାଢେ ୫ବର୍ଷ ଭିତରେ ଓଡ଼ିଶାରେ ପାଖାପାଖି ୧୨ଶହ କୁଇଣ୍ଟାଲ ଗଞ୍ଜେଇ ଓ ପ୍ରାୟ ୭୫ କିଲୋ ବ୍ରାଉନ୍‍ସୁଗାର ଜବତ ହୋଇଛି । ଏହାଛଡ଼ା ବିପୁଳ ପରିମାଣର ନିଶାଯୁକ୍ତ କଫସିରପ୍‍, ଅଫିମ ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ ଚୋରା ଚାଲାଣ ବେଳେ ଧରାପଡିଛି ।

ସରକାରୀ ତଥ୍ୟ ମୁତାବକ ଏହି ସମୟ ଭିତରେ ୪,୮୦୦ରୁ ଅଧିକ ଏନ୍‍ଡିପିଏସ୍‍ ମାମଲା ରୁଜୁ କରାଯିବା ସହ ପ୍ରାୟ ୬ହଜାର ଅଭିଯୁକ୍ତଙ୍କୁ ଚୋରା ନିଶା କାରବାର ଅଭିଯୋଗରେ ଗିରଫ କରାଯାଇଛି ।

ରାଜଧାନୀ ଭୁବନେଶ୍ୱର ସମେତ ବାଲେଶ୍ୱର, ଅନୁଗୁଳ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଆଦିରେ ବେଆଇନ ବ୍ରାଉନ୍‍ସୁଗର କାରବାର ଢେର୍‍ ବଢିଛି । ସେହିଭଳି ସମ୍ବଲପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, ବୈଦ୍ଧ, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଲାଣ ଅଧିକ ହୋଇଥିବା ଜଣାପଡିଛି ।

୨୦୧୮-୧୯ରୁ ୨୦୨୩-୨୪ର ଅଗଷ୍ଟ ମାସ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୧୧୫ କୁଇଣ୍ଟାଲରୁ ଅଧିକ ଚୋରା ଗଞ୍ଜେଇ ଜବତ ହୋଇଛି । ଏହି ସମୟସୀମା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଢଉ କରାଯାଇ ୭୩ କିଲୋ ୧୭୫ ଗ୍ରାମ୍‍ ଓଜନର ବ୍ରାଉନ୍‍ସୁଗାର ମଧ୍ୟ ଧରାଯାଇଛି । ଭୁବନେଶ୍ୱରରେ ୨୦୨୧-୨୨ ବର୍ଷରେ ୮୦ କିଲୋ ଗଞ୍ଜେଇ ଓ ୨୧୭ ଗ୍ରାମ୍‍ ବ୍ରାଉନ୍‍ସୁଗାର ଜବତ କରାଯାଇଥିବାବେଳେ ୨୦୨୨-୨୩ ବର୍ଷରେ ୩୦୬ କେଜି ଗଞ୍ଜେଇ ଓ ୧୭୧୯ ଗ୍ରାମ୍‍ ବ୍ରାଉନ୍‍ସୁଗାର ଧରାପଡିଥିଲା । ଗତ ଏପ୍ରିଲ୍‍ରୁ ଅଗଷ୍ଟ ମାସ ମଧ୍ୟରେ ଭୁବନେଶ୍ୱରରେ ୧୫୪ କିଲୋ କଞ୍ଜେଇ ଓ ୧୨୦୩ ଗ୍ରାମ୍‍ ବ୍ରାଉନ୍‍ସୁଗାର କର୍ତ୍ତୃପକ୍ଷ ଜବତ କରିବାରେ ସମର୍ଥ ହୋଇଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ପ୍ରଥମ ୫ମାସ ଭିତରେ ବଲାଙ୍ଗୀର ଜିଲ୍ଲାରେ ୧୦୧୫ କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ବୌଦ୍ଦରେ ୧୬୪୫, କଳାହାଣ୍ଡିରେ ୧୪୦୯ କିଲୋ ଗଞ୍ଜେଇ ଧରାପଡିଥିଲା । ସେହିଭଳି ଏହି ସମୟ ମଧ୍ୟରେ ବାଲେଶ୍ୱରରେ ୧୬୭୫ ଗ୍ରାମ୍‍ ବ୍ରାଉନ୍‍ସୁଗାର ଜବତ ହୋଇଥିବାବେଳେ ଜଗତସିଂହପୁରରେ ୧୭୫୧ ଗ୍ରାମ୍‍ ଓ ପୁରୀରେ ୩୧୦୨ ଗ୍ରାମ୍‍ ବ୍ରାଉନ୍‍ସୁଗାର ଧରାପଡିଛି ।

ରାଜ୍ୟରେ ଏବେ ଚାରୋଟି ଅବକାରୀ ଗୁଇନ୍ଦା ଓ ଏନ୍‍ଫୋର୍ସମେଣ୍ଟ ବ୍ୟୁରୋ କାମ କରୁଛି । ଏଥିରୁ ଦକ୍ଷିଣାଞ୍ଚଳ ବ୍ୟୁରୋ ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ୪୪୪୦ କିଲୋ ଗଞ୍ଜେଇ ଓ ୧୩ଗ୍ରାମ୍‍ ବ୍ରାଉନ୍‍ସୁଗାର ଧରିଥିବାବେଳେ ଉତ୍ତରାଞ୍ଚଳ ଡିଭିଜନ୍‍ ବ୍ୟୁରୋ ୧୦୯୬ କିଲୋ ଗଞ୍ଜେଇ ଓ ୫୫ ଗ୍ରାମ୍‍ ବ୍ରାଉନ୍‍ସୁଗାର ଏବଂ କେନ୍ଦ୍ରୀୟ ଡିଭିଜନ୍‍ ବ୍ୟୁରୋ ୧୦୦୭ କିଲୋ ଗଞ୍ଜେଇ ଓ ୩୪୭୩ ଗ୍ରାମ୍‍ ବ୍ରାଉନ୍‍ସୁଗାର ଧରିଛି । ଏହାଛଡ଼ା ଅବକାରୀ ଗୁଇନ୍ଦା ବିଭାଗର ପ୍ରଥମ ୟୁନିଟ୍‍ ବ୍ୟୁରୋ ମଧ୍ୟ ୧୦୭୯ କିଲୋ ଗଞ୍ଜେଇ ଏବଂ ୩୯୬୨ ଗ୍ରାମ୍‍ ବ୍ରାଉନ୍‍ସୁଗାର ଜବତ କରିବାରେ ସଫଳ ହୋଇଛି ।

ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ ବେଆଇନ ନିଶା କାରବାର ରୋକିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ମଲ୍‍ଟି ଡିସିପ୍ରିନାରୀ ସ୍କ୍ୱାଡ୍‍ମାନ ଗଠନ କରାଯାଇ ଧରପଗଡ କରାଯାଉଛି । ଏଥିଲାଗି ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ତତ୍ପର କରାଯିବା ସହ ଏସ୍‍ଟିଏଫ୍‍ ଓ ଏନ୍‍ସିବି ଦ୍ୱାରା ଚୋରା ନିଶା କାରବାର ଉପରେ ମଧ୍ୟ ତୀକ୍ଷ୍‍ଣ ନଜର ରଖାଯାଇଛି ।

ଓଡିଶାର ବ୍ୟାପକ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଚାଲିଥିବା ଉଦ୍‍ବେଗର କାରଣ ହୋଇଛି । ଓଡ଼ିଶା ସୀମା ଡେଇଁ ଅନ୍ୟ ରାଜ୍ୟରେ ମଧ୍ୟ ଆମ ରାଜ୍ୟରେ ଉତ୍ପାଦିତ ହେଉଥିବା ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡୁଛି । ସେହିଭଳି ବିଦେଶରୁ ଓ ଅନ୍ୟ ରାଜ୍ୟରୁ ଓଡିଶାକୁ ବ୍ରାଉନ୍‍ସୁଗାର ସମେତ ଅନ୍ୟାନ୍ୟ ନିଷିଦ୍ଧ ନିଶା ସାମଗ୍ରୀର ଚୋରା ଚାଲାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିଶାଡିଙ୍କ ସଂଖ୍ୟା ବୃଦ୍ଧି ସହ ତାଳଦେଇ ଚୋରା ନିଶା ଓ ଚୋରା ନିଶା ବେପାରୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଥିରେ ଯୁବ ଓ ଛାତ୍ର ସମାଜ ବ୍ୟାପକ ଭାବେ ସଂକ୍ରମିତ ହେଉଥିବାବେଳେ ଆଇନଶୃଙ୍ଖଳା ବ୍ୟବସ୍ଥା ପାଇଁ ନିଶା କାରବାର ବି ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି । (ତଥ୍ୟ)