ଭୁବନେଶ୍ୱର : ରାଜ୍ୟ ସରକାର ଆଳୁ ମିଶନ ଗଠନ ପରେ ଆଳୁ ଚାଷ ହେଉଥିବା ଜମି ପରିମାଣ ବୃଦ୍ଧି ପାଇଥିବାବେଳେ ସେହି ଅନୁପାତରେ ଆଳୁ କିନ୍ତୁ ଉତ୍ପାଦନ ହେଉନାହିଁ । ଫଳରେ ଏବେ ବି ଆବଶ୍ୟକତା ଠାରୁ ଆମର ଆଳୁ ଉତ୍ପାଦନ ବଢୁ ପଛରେ ରହିଛି ।
୨୦୧୫-୧୬ ବର୍ଷରେ ଆଳୁ ଚାହିଦା ମେଣ୍ଟାଇବାପାଇଁ ରାଜ୍ୟ ସରକାର ଆଳୁ ମିଶନ ଗଠନ କରିଥିଲେ । ସେତେବେଳେ ମାତ୍ର ୧୫,୮୦୫ ହେକ୍ଟର ଜମିରେ ଆଳୁ ଚାଷ ହେଉଥିଲା । ମିଶନ ଗଠନ ପରେ ସରକାର ପ୍ରୋତ୍ସାହନ ଯୋଗାଇଦେବା ସହିତ ଆଳୁ ଉତ୍ପାଦନ ବୃଦ୍ଧି ଲାଗି ପଦକ୍ଷେପ ନେବାରୁ ଅଧିକରୁ ଅଧିକ ଜମିରେ ଆଳୁ ଚାଷ ହୋଇଥିଲା । ମିଶନ ଗଠନ ପରେ ଆଳୁ ଚାଷ ହେଉଥିବା ଜମିର ପରିମାଣ ଇତି ମଧ୍ୟରେ ୨୫ହଜାର ହେକ୍ଟରରେ ପହଞ୍ଚିଛି ।
ହେଲେ ସେହି ଅନୁଯାୟୀ ଆଳୁ ଉତ୍ପାଦନ ହେଉନାହିଁ । ୧୫,୮୦୫ ହେକ୍ଟର ଜମିରୁ ୨.୬୮ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦିତ ହେଉଥିବାବେଳେ ୨୫ହଜାର ହେକ୍ଟର ଜମିରୁ ମାତ୍ର ୩ଲକ୍ଷ ୩ହଜାର ମେଟ୍ରିକ ଟନ୍ ଆଳୁ ଫଳୁଛି । ତେଣୁ ରାଜ୍ୟର ଚାହିଦା ମେଣ୍ଟାଯାଇ ପାରୁନାହିଁ । ଓଡିଶାର ବାର୍ଷିକ ଆଳୁ ଚାହିଦା ପ୍ରାୟ ୧୩ଲକ୍ଷ ମେଟ୍ରିକ ଲକ୍ଷ ଟନ୍ ଥିବାବେଳେ ତାହାକୁ ପୂରଣ କରିବାପାଇଁ ରାଜ୍ୟ ସରକାର ଏହି ମିଶନ ଗଠନ କରିଥିଲେ ।
ସେହିଭଳି ଆଳୁ ମିଶନ ଗଠନ ପରେ ରାଜ୍ୟରେ ଶୀତଳଭଣ୍ଡାର ସଂଖ୍ୟା ମଧ୍ୟ ବଢିଛି । ମିଶନ ଗଠନ ପୂର୍ବରୁ ୨୭ଟି ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ଥିବାବେଳେ ଏଥିରେ ଆଉ ୨୨ଟି ନୂଆ ଶୀତଳଭଣ୍ଡାର ଯୋଡିହୋଇ ଯାଇଛି । ସେତେବେଳେ ୨୭ଟି ଶୀତଳଭଣ୍ଡାରର ସଂରକ୍ଷଣ କ୍ଷମତା ୧,୩୨,୨୮୦ ମେଟ୍ରିକ ଟନ୍ ଥିବାବେଳେ ଏଥିରେ ଆଉ ୧ଲକ୍ଷ ୬୦୦ ମେଟ୍ରିକ ଟନ୍ କ୍ଷମତା ଯୋଡିହୋଇ ଯାଇଛି ।
ଶୀତଳଭଣ୍ଡାରର କ୍ଷମତା ବଢିଥିଲେ ମଧ୍ୟ ରାଜ୍ୟରେ ଆଳୁ ଉତ୍ପାଦନ ବୃଦ୍ଧି ପାଉନାହିଁ । ଆର୍ନ୍ତଜାତିକ ଆଳୁ ପ୍ରତିଷ୍ଠାନର ସହାୟତା ମଧ୍ୟ ଏକ ପ୍ରକାର ଫେଲ୍ ମାରିଛି । ଫଳରେ ବର୍ଷସାରା ଓଡିଶା ଆଳୁ ପାଇଁ ଅନ୍ୟ ରାଜ୍ୟ ବିଶେଷକରି ପଶ୍ଚିମବଙ୍ଗ, ବିହାର ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ । ଉତ୍ପାଦନ ସମୟରେ ଓଡିଶା ଆଳୁ ବି ପଡୋଶୀ ରାଜ୍ୟକୁ ଯାଇ ତିରୋଟ ସମୟରେ ସେଠାରୁ ଓଡିଶା ଫେରି ତିନି ଚାରିଗୁଣ ଦରରେ ବିକ୍ରି ହେଉଛି । ପାଞ୍ଚବର୍ଷ ତଳେ ଗଠନ ହୋଇଥିବା ଆଳୁ ମିଶନ ରାଜ୍ୟର ଚାହିଦା ମେଣ୍ଟାଇବାରେ ସମର୍ଥ ହୋଇନଥିବାବେଳେ ଏହାକୁ ମିଶନର ବିଫଳତା ବୋଲି ଚାଷୀମାନେ ମତ ଦେଉଛନ୍ତି ।