Home Election ବଢିଲାଣି ଖର୍ଚ୍ଚ ଚିନ୍ତା

ବଢିଲାଣି ଖର୍ଚ୍ଚ ଚିନ୍ତା

ଭୁବନେଶ୍ୱର : ରାଜ୍ୟରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଚୂଡାନ୍ତ ପର୍ଯ୍ୟାୟରେ ଥିବାବେଳେ ଅଧାରୁ ଅଧିକ ପ୍ରାର୍ଥୀଙ୍କ ନାମ ଘୋଷଣା ସରିଲାଣି । ତେବେ ଯେଉଁ ପ୍ରାର୍ଥୀମାନେ ଦଳୀୟ ସଙ୍କେତ ପାଇବାପରେ ମଇଦାନକୁ ଓହ୍ଲାଉଛନ୍ତି ସେମାନଙ୍କର ଭୋଜିଭାତ ଖର୍ଚ୍ଚ ବଢିବାରେ ଲାଗିଛି । ବିଶେଷକରି ଶେଷ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରିବାକୁ ଥିବା ପ୍ରାର୍ଥୀମାନେ କର୍ମୀଙ୍କୁ କିଭଳି ଏତେଦିନ ବାନ୍ଧି ରଖିବେ ସେହି ଚିନ୍ତାରେ ପଡିଛନ୍ତି ।

ରାଜ୍ୟରେ ଚାରି ପର୍ଯ୍ୟାୟରେ ର୍ନିବାଚନ ହେବାକୁ ଥିବାବେଳେ ଜୁନ୍‍ ୧ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବ । ଏଥିରେ ୬ଟି ଲୋକସଭା ଆସନ ସହିତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ହେବ । ଏହିସବୁ ଲୋକସଭା ଆସନ ମଧ୍ୟରେ ରହିଛି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍‍ସିଂହପୁର ଓ ଯାଜପୁର । ଉକ୍ତ ଲୋକସଭା ଆସନ ଅଧିନରେ ଥିବା ବିଧାନସଭା ଆସନରେ ଭୋଟଗ୍ରହଣ ହେବ ।

ତେବେ ବର୍ତ୍ତମାନ ସୁଦ୍ଧା ଏହିସବୁ ଲୋକସଭା ଆସନ ପାଇଁ ତିନି ଦଳର ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ଅଧିକାଂଶ ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇ ସାରିଲେଣି । ଏହିସବୁ ଆସନ ପାଇଁ ମଇ ୭ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ୧୪ ତାରିଖରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ମଇ ୧୭ ତାରିଖରେ ହେବ । ତେଣୁ ମୋଟାମୋଟି ଭାବେ ଚତୁର୍ଥ ପର୍ଯ୍ୟାୟରେ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ଏବେ ଠାରୁ ଦେଢ ମାସରୁ ଅଧିକ ସମୟ ରହିଛି ।

ଯେଉଁସବୁ ପ୍ରାର୍ଥୀମାନେ ଟିକଟ ପାଇବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସେମାନେ ଏବେ ଗାଁ ଗହଳରେ ଅଧିକରୁ ଅଧିକ ଯୁବଗୋଷ୍ଠିଙ୍କୁ ନିଜ ସପକ୍ଷକୁ ଆଣିବାରେ ଲାଗିଛନ୍ତି । କାରଣ ଏମାନେ ରାଲିରେ ଯିବା ସହିତ ବିଭିନ୍ନ ସଭା ସମିତିରେ ସଂଖ୍ୟା ବୃଦ୍ଧି ପ୍ରଦର୍ଶନରେ ସହାୟକ ହେବ । ତେଣୁ ପ୍ରାର୍ଥୀମାନେ ଏବେ ଦେଢମାସ ଧରି କିଭଳି ଏହି କର୍ମୀମାନଙ୍କୁ ନିଜ ପାଖରେ ରଖିବେ ସେହି ଚିନ୍ତାରେ ପଡିଛନ୍ତି ।

ଇତି ମଧ୍ୟରେ କିଛି କର୍ମୀ ଓଡିଆ ନବବର୍ଷ ପଣା ସଂକ୍ରାନ୍ତି ଠାରୁ ବିଭିନ୍ନ ସ୍ଥାନରେ ପଣା ବାଣ୍ଟି ପ୍ରଚାରର ଶୁଭାରମ୍ଭ କରିଛନ୍ତି । ଆଗକୁ ଶ୍ରୀରାମ ନବମୀ ଆସୁଛି । ଏହା ପରେ ଶ୍ରମିକ ଦିବସ ଠାରୁ ଆରମ୍ଭ କରି ଆଉ କିଛି ପର୍ବପର୍ବାଣି ଆସିବ । ଏଣେ ସାଙ୍ଗରେ ବୁଲୁଥିବା କର୍ମୀଙ୍କ ପାଇଁ ଦୈନିକ ଖାଦ୍ୟ ପେୟ ଓ ପକେଟ ଖର୍ଚ୍ଚର ବ୍ୟବସ୍ଥା କରିବାକୁ ପଡୁଥିବାବେଳେ ସେମାନଙ୍କର ଦାବି ଦିନକୁ ଦିନ ବଢିବାରେ ଲାଗିଛି । ପୂରଣ ନକଲେ ସେମାନେ ପ୍ରତିପକ୍ଷଙ୍କ ନିକଟକୁ ପଳାଇ ଯିବାର ସମ୍ଭାବନା ରହିଛି । ତେଣୁ ଯେମିତି ହେଲେ ବି କର୍ମୀଙ୍କୁ ଏହି ଦେଢମାସ ନିଜ ପାଖରେ ହିଁ ରଖିବାକୁ ପଡିବ ।

ଏ ବାବଦରେ ହେଉଥିବା ଖର୍ଚ୍ଚକୁ ଦେଖି ଏବେ କିଛି ପ୍ରାର୍ଥୀ ଚିନ୍ତାରେ ପଡିଥିବାବେଳେ ସ୍ୱାଧୀନ ଏବଂ ଅନ୍ୟାନ୍ୟ ଛୋଟ ଦଳରୁ ଲଢିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଖର୍ଚ୍ଚ ଭୟରେ ତୁଣ୍ଡ ଖୋଲୁ ନାହାନ୍ତି । କାରଣ ଯଦି ନିର୍ବାଚନ ଲଢିବା ନେଇ ସେମାନେ ଏବେ ଠାରୁ ଘୋଷଣା କରିଦେବେ ତେବେ ଖର୍ଚ୍ଚ ମିଳିବା ଆଶାରେ କିଛି କର୍ମୀ ଆସି ଯୋଗଦେବେ ଏବଂ ଯେତେବେଳେ ଖର୍ଚ୍ଚ ହ୍ରାସ ହେବ ସେତେବେଳେ ନେତାଙ୍କୁ ଛାଡି ପଳାଇବାର ସମ୍ଭାବନା ରହିଛି । କେବଳ ଜୁନ୍‍ ୧ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ଭୋଟ ନୁହେଁ ମଇ ୨୫ ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଘୋଷଣା ହୋଇଥିବା ଅନେକ ପ୍ରାର୍ଥୀ ମଧ୍ୟ ଏତେ ଦିନ ଧରି କର୍ମୀଙ୍କୁ ନିଜ ପାଖରେ ରଖିବା ଓ ଖର୍ଚ୍ଚକୁ ଦେଖି ଚିନ୍ତାରେ ପଡିଗଲେଣି । (ତଥ୍ୟ)