ଭୁବନେଶ୍ୱର : ଭାରତୀୟ ଭୂତତ୍ୱ ସର୍ବେକ୍ଷଣ ସଂସ୍ଥା (ଜିଏସ୍ଆଇ) ରାଜ୍ୟରେ ବଡ ଧରଣର ମାଙ୍ଗାନିଜ ଅନୁସନ୍ଧାନ କାର୍ଯ୍ୟ ହାତକୁ ନେଇଛି । ବଲାଙ୍ଗିର, ସୁନ୍ଦରଗଡ, କେନ୍ଦୁଝର ସମେତ ଆଉ କେତେକ ଜିଲ୍ଲାରେ ଜିଏସ୍ଆଇ ପକ୍ଷରୁ ଏହି ଅନୁସନ୍ଧାନ ହୋଇଥିବା ସୂଚନା ମିଳିଛି ।
ଜିଏସ୍ଆଇ ବଲାଙ୍ଗିର ଜିଲ୍ଲାର ଦଣ୍ଡପାଣି, ଉଚ୍ଛବପଲ୍ଲୀ-ଠାକୁରପଲ୍ଲୀ ଖଣି ଅଞ୍ଚଳ ସମେତ ସୁନ୍ଦରଗଡ ଜିଲ୍ଲାର ଡେଙ୍ଗୁଳା ଏବଂ କେନ୍ଦୁଝର ଜିଲ୍ଲାର କେନ୍ଦୁଡିହି-ପାରୁଲିପଡା ଖଣି ଅଞ୍ଚଳରେ ମାଙ୍ଗାନିଜର ଅନୁସନ୍ଧାନ ଆରମ୍ଭ ହୋଇଛି । ୨୦୨୨-୨୩ ବର୍ଷର ଚଳିତ କାର୍ଯ୍ୟକାଳ ମଧ୍ୟରେ ଏହି ଅନୁସନ୍ଧାନ ଚାଲିବ ବୋଲି ଅଧିକାରୀ ସୂତ୍ରରୁ ଜଣାପଡିଛି ।
ରାଜ୍ୟ ସରକାରଙ୍କ ସମେତ ଅନ୍ୟାନ୍ୟ ହିତାଧିକାରୀଙ୍କ ଠାରୁ ମିଳିଥିବା ପ୍ରସ୍ତାବ ଏବଂ ସହମତିକୁ ବିଚାରକୁ ନେଇ ଜିଏସ୍ଆଇ କେନ୍ଦ୍ରୀୟ ଭୂତତ୍ୱ କାର୍ଯ୍ୟାନ୍ୱୟନ ବୋର୍ଡ (ସିଜିପିବି) ସହିତ ବୈଠକ ପରେ ଏହି ଅନୁସନ୍ଧାନ କାର୍ଯ୍ୟ ଚୂଡାନ୍ତ କରିଛି । ସୂଚନା ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନ ପାଇଁ ମିଳିଥିବା ଅନୁମତି ଆଧାରରେ ଜିଏସ୍ଆଇ ବିଭିନ୍ନ ପ୍ରକାର ଖଣିଜ ସାମଗ୍ରୀ ସମେତ ମାଙ୍ଗାନିଜର ମ୍ୟାପିଙ୍ଗ୍ ଏବଂ ଅନୁସନ୍ଧାନ ଚଳାଇଛି ।
ଇତି ମଧ୍ୟରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନରେ ଥିବା ଜାତୀୟ ଖଣିଜ ଅନୁସନ୍ଧାନ ଟ୍ରଷ୍ଟ (ଏନଏମଇଟି) ଓଡିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ଖଣିଜ ଅନୁସନ୍ଧାନ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଏନଏମଇଟି ସମଗ୍ର ଦେଶରେ ୪୯.୦୬ କୋଟି ଟଙ୍କା ବ୍ୟୟରେର ୨୩ଟି ଖଣିଜ ଅନୁସନ୍ଧାନ ପ୍ରକଳ୍ପକୁ ସବୁଜ ସଙ୍କେତ ପ୍ରଦାନ କରିଛି । ଏଥି ମଧ୍ୟରେ ଓଡିଶାର ୧୭ଟି ପ୍ରକଳ୍ପ ଥିବାରୁ ଖଣିଜ ସମ୍ପଦରେ ପୂର୍ଣ୍ଣ ଏହି ରାଜ୍ୟ ବିଶେଷ ଲାଭାନ୍ୱିତ ହେବ ବୋଲି ଆଶା କରାଯାଉଛି ।
ଖଣିଜ ଅନୁସନ୍ଧାନ ପ୍ରକ୍ରିୟା ନିୟମିତ ଭାବେ ଚାଲିଥିବାବେଳେ ଓଡିଶାରେ ସର୍ବାଧିକ ମାଙ୍ଗାନିଜ ଗଚ୍ଛିତ ରହିଥିବାରୁ ରାଜ୍ୟ ପାଇଁ ଏତେ ସଂଖ୍ୟକ ପ୍ରକଳ୍ପ ମଞ୍ଜୁର ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଆଇଏସ୍ କୌଣସି ଠାରେ ଡ୍ରୋନ ଦ୍ୱାରା ଖଣିଜ ସର୍ବେକ୍ଷଣ କରିନଥିବା ଜଣାଯାଇଛି । କେନ୍ଦ୍ର ସରକାର ଇତି ମଧ୍ୟରେ ଖଣିଜ ସଂରକ୍ଷଣ ଏବଂ ବିକାଶ ଆଇନ୍, ୨୦୧୭କୁ ୨୦୨୧ରେ ସଂଶୋଧନ କରିଛନ୍ତି ଯେଉଁଥିରେ ସମଗ୍ର ଦେଶରେ ଡ୍ରୋନ ମାଧ୍ୟମରେ ଖଣିଜ ଅନୁସନ୍ଧାନକୁ ବାଧ୍ୟତାମୂଳକ କରାଯାଇଛି । ଡ୍ରୋନ ଦ୍ୱାରା ଉତ୍ତୋଳିତ ଚିତ୍ରକୁ ଭାରତୀୟ ଖଣିଜ ବ୍ୟୁରୋ (ଆଇବିଏମ୍) ନିକଟରେ ଦାଖଲ କରାଯିବ । ଯାହା ଫଳରେ ଏହି ଚିତ୍ର ଆଧାରରେ ଆଇବିଏମ୍ ସମଗ୍ର ଦେଶରେ ଖଣିଜ କାରବାରକୁ ସହଜରେ ନିୟନ୍ତ୍ରଣ କରିପାରିବ । (ତଥ୍ୟ)