Home News in Odia ବଜେଟ୍‍ ବ୍ୟୟ୧୩ ପ୍ରତିଶତରୁ କମ୍‍

ବଜେଟ୍‍ ବ୍ୟୟ୧୩ ପ୍ରତିଶତରୁ କମ୍‍

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ୫ମାସ ପୂରିବାକୁ ଯାଉଥିବାବେଳେ ଗୃହ ଓ ନଗର ଉନ୍ନୟନ ବିଭାଗର ବଜେଟ୍‍ ବ୍ୟୟ ୧୩ ପ୍ରତିଶତରୁ କମ୍‍ ରହିଛି । ବଜେଟ୍‍ରେ ୧୦,୭୨୬ କୋଟି ଟଙ୍କା ବରାଦ ହୋଇଥିବାବେଳେ ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା (ଆଇଏଫଏମଏସ୍‍) ପକ୍ଷରୁ ହୋଇଥିବା ଖର୍ଚ୍ଚ ଆକଳନ ଅନୁଯାୟୀ ୧୩୩୬ କୋଟି ଟଙ୍କା ବ୍ୟୟ ହୋଇଛି ଯାହାକି ବଜେଟ୍‍ର ୧୨.୫ ପ୍ରତିଶତ ଅଟେ ।

ଏହି ହିସାବ ଅନୁଯାୟୀ ରାଜ୍ୟ ଅର୍ଥ କମିଶନ ଯୋଗାଇ ଦେଇଥିବା ଅର୍ଥରୁ ମାତ୍ର ୨.୯ ପ୍ରତିଶତ ବ୍ୟୟ ହୋଇଥିବାବେଳେ କେନ୍ଦ୍ରୀୟ ଅର୍ଥ କମିଶନ ଯୋଗାଇ ଦେଇଥିବା ୬୫୨ କୋଟି ଟଙ୍କାରୁ ଆଦୌ ଖର୍ଚ୍ଚ ହୋଇପାରି ନାହିଁ । ତେବେ ପ୍ରଶାସନିକ ବ୍ୟୟ ପାଇଁ ବଜେଟ୍‍ରେ ବରାଦ ହୋଇଥିବା ଅର୍ଥ ମଧ୍ୟରୁ ୨୧ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇଛି । କର୍ମଚାରୀମାନଙ୍କର ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ନିୟମିତ ଭାବେ ହେଉଥିବାରୁ ଏ ବାବଦରେ ବ୍ୟୟ ଅନ୍ୟ ତୁଳନାରେ ଅଧିକ ରହିଛି ।

ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ହୋଇଥିବା ଖର୍ଚ୍ଚ ସଂକ୍ରାନ୍ତରେ ଜଣାଯାଇଛି ଯେ ସୁଜଳା ଯୋଜନାରେ ୨୮ ପ୍ରତିଶତରୁ ସାମାନ୍ୟ ଅଧିକ ଅର୍ଥ ଖର୍ଚ୍ଚ ହୋଇଥିବାବେଳେ ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ ୱାଟକୋକୁ ଦିଆଯାଇଥିବା ଅର୍ଥ ମଧ୍ୟରୁ ୨୦ପ୍ରତିଶତ ଖର୍ଚ୍ଚ ହୋଇପାରିଛି । ତେବେ ଓଡିଶା ଜଳ ଯୋଗାଣ ନିଗମକୁ ଗ୍ରାଣ୍ଟ ଇନ୍‍ ଏଡ୍‍ ବେତନ ବାବଦରେ ଦିଆଯାଇଥିବା ଅର୍ଥରୁ ୪୪ ପ୍ରତିଶତ ବ୍ୟୟ ହୋଇପାରିଛି । ସେହିଭଳି ୨୪ ଘଣ୍ଟିଆ ଜଳ ଯୋଗାଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ପାଇଁ ବରାଦ ଅର୍ଥରୁ ପ୍ରାୟ ୪୨ ପ୍ରତିଶତ ଖର୍ଚ୍ଚ ହୋଇଛି ।

ଅନ୍ୟ ପକ୍ଷରେ ସ୍ୱଚ୍ଛ ଓଡିଶା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବରାଦ ଅର୍ଥରୁ ୬୦ ପ୍ରତିଶତରୁ ଅଧିକ ବ୍ୟୟ ହୋଇଥିବାବେଳେ ତରଳ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଏହି ଖର୍ଚ୍ଚ ୫୭ ପ୍ରତିଶତ ରହିଛି । ବିଭାଗ ପକ୍ଷରୁ ଭିତ୍ତିଭୂମିକ ବିକାଶ ପାଇଁ ବଜେଟ୍‍ରେ ଥିବା ଅର୍ଥ ମଧ୍ୟରୁ ୨୦ ପ୍ରତିଶତ ବ୍ୟୟ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବରାଦ ଅର୍ଥରୁ ୧୮ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରିଛି ।

ସହରାଞ୍ଚଳରେ ମଜୁରୀ ଭିତ୍ତିକ କର୍ମନିଯୁକ୍ତି ପାଇଁ ବରାଦ ଅର୍ଥରୁ ମାତ୍ର ୧୨ ପ୍ରତିଶତ ବ୍ୟୟ ହୋଇଥିବାବେଳେ ସହରାଞ୍ଚଳ ସଡକ ପରିବହନ ବାବଦରେ ଥିବା ଅର୍ଥ ମଧ୍ୟରୁ ୧ ପ୍ରତିଶତ ବି ଖର୍ଚ୍ଚ କରାଯାଇ ପାରିନାହିଁ । ସମୃଦ୍ଧ ସହର ଯୋଜନା ଅର୍ଥରୁ ମାତ୍ର ୨.୫ ପ୍ରତିଶତ ବ୍ୟୟ ହୋଇଥିବାବେଳେ ନୂତନ ସହର ବିକାଶ ପାଇଁ ଥିବା ୫୦କୋଟି ଟଙ୍କାରୁ ପଇସାଟିଏ ଖର୍ଚ୍ଚ ହୋଇପାରି ନାହିଁ । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ପାଇଁ ବଜେଟ୍‍ରେ ଥିବା ଅର୍ଥରୁ ବି ୧ ପ୍ରତିଶତ ଖର୍ଚ୍ଚ ହୋଇପାରିନାହିଁ । ବଜେଟ୍‍ ଅର୍ଥର ଏଭଳି ବ୍ୟୟକୁ ନେଇ ଚିନ୍ତା ପ୍ରକଟ କରାଯାଇଥିବାବେଳେ କ୍ଷେତ୍ର ସ୍ତରରେ ନିୟମିତ କର୍ମଚାରୀ ସଙ୍କଟ ସହିତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ନିୟମିତ ଭାବେ ପାଉଣା ନମିଳିବା ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି । (ତଥ୍ୟ)