Home Administration ଖାଲି ସରକାରୀ ପଦବୀ ପୂରଣ କେବେ ?

ଖାଲି ସରକାରୀ ପଦବୀ ପୂରଣ କେବେ ?

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରରେ ଏବେ ପ୍ରାୟ ଏକ ତୃତୀୟାଂଶ ପଦ ପଦବୀ ଖାଲି ପଡିଛି । ଖାଲି ପଦବୀ ପୂରଣ ପାଇଁ ମେଳା ମାଧ୍ୟମରେ ନିଯୁକ୍ତିପତ୍ର ବଣ୍ଟନ କରାଯିବା ସତ୍ୱେ ମଧ୍ୟ ଖାଲିଥିବା ସମସ୍ତ ପଦ ପଦବୀ କେବେସୁଦ୍ଧା ପୂରଣ ହେବ ସେ ସଂକ୍ରାନ୍ତରେ କେହି କିଛି ନିର୍ଦ୍ଦିଷ୍ଟ ସୂଚନା ଦେଇପାରୁ ନାହାନ୍ତି ।

୨୦୨୪ ସାଧାରଣ ନିର୍ବାଚନବେଳେ ବିଜେପି ତାହାର ନିର୍ବାଚନୀ ଇସ୍ତାହାରରେ ୫ବର୍ଷ ଭିତରେ ଦେଢ ଲକ୍ଷ ଖାଲି ପଦବୀ ପୂରଣ କରିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲା । ଏହି କ୍ରମରେ ପ୍ରଥମ ଦୁଇବର୍ଷ ଭିତରେ ୬୫ହଜାର ସରକାରୀ ଚାକିରିରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଉଥିଲା । ତେବେ ୨୦୨୪ ଜୁନ୍‍ରୁ ୨୦୨୬ ଅଗଷ୍ଟ ୧୦ତାରିଖରେ ଅନୁଷ୍ଠିତ ୧୬ତମ ନିଯୁକ୍ତିମେଳା ପର୍ଯ୍ୟନ୍ତ ୪୫,୪୦୮ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଇଥିବା କୁହାଯାଉଛି ।

ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ତଥ୍ୟ ମୁତାବକ ୨୦୨୩ ଶେଷସୁଦ୍ଧା ରାଜ୍ୟ ସରକାରଙ୍କ ଅଧିନରେ ଥିବା ବିଭିନ୍ନ ଚାକିରିରେ ୨ଲକ୍ଷ ୫ହଜାରରୁ ଅଧିକ ପଦବୀ ଖାଲି ପଡିଥିଲା । ୨୦୨୪ ପ୍ରଥମ ଭାଗରେ ରାଜ୍ୟ ବିଧାନସଭା ସହ ଲୋକସଭା ର୍ନିବାଚନ ହୋଇଥିବା ପରିପ୍ରେକ୍ଷୀରେ ନୂଆ ନିଯୁକ୍ତି ଉପରେ କଟକଣା ଜାରି କରାଯାଇଥିଲା । ୨୦୨୪ ରୁ ଏଯାବତ୍‍ ପ୍ରତିମାସରେ ଅବସର, ଇସ୍ତଫା, ବହିଷ୍କାର, ଅସମୟ ମୃତ୍ୟୁ ଆଦି ବିଭିନ୍ନ କାରଣରୁ ବ୍ୟାପକ ପଦବୀ ଖାଲି ହେଉଛି । ଅବସରପ୍ରାପ୍ତ ପୁରୁଖା ଅଧିକାରୀମାନେ ଅନୁମାନ କରୁଛନ୍ତି ଯେ ୨୦୨୪ ଜାନୁଆରୀରୁ ଏଯାବତ୍‍ ଅତି କମରେ ୬୦ହଜାର ପଦବୀ ଖାଲି ହୋଇଥାଇପାରେ ।

ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଯେତିକି ପଦବୀ ପୂରଣ କରିଛନ୍ତି ସେଥିଯୋଗୁଁ ଖାଲି ପଡିଥିବା ମୋଟ ପଦବୀ ସଂଖ୍ୟାରେ ବିଶେଷ ହ୍ରାସ ଘଟୁନାହିଁ । ରାଜ୍ୟ ସରକାରଙ୍କ ବାର୍ଷିକ ଏଷ୍ଟାବ୍ଲିସମେଣ୍ଟ ରିଭ୍ୟୁର ତଥ୍ୟ ମୁତାବକ ୨୦୧୧ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ମୋଟ୍‍ ୫,୩୧,୬୬୨ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ଏଥିରୁ ୧,୪୧,୪୮୪ଟି ଖାଲି ପଡିଥିଲା । ସେହି ହିସାବ ମୁତାବକ ୨୦୧୫ ମାର୍ଚ୍ଚ ଶେଷସୁଦ୍ଧା ଖାଲିଥିବା ପଦବୀ ସଂଖ୍ୟା ୧,୪୭,୫୨୨କୁ ବୃଦ୍ଧି ପାଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ୨୦୧୮ ମାର୍ଚ୍ଚ ଶେଷସୁଦ୍ଧା ଖାଲି ପଦବୀ ସଂଖ୍ୟା ୧,୩୧,୫୧୮କୁ ହ୍ରାସ ପାଇଥିଲା । ତେବେ ୨୦୨୪ରେ କରାଯାଇଥିବା ବାର୍ଷିକ ଏଷ୍ଟାବ୍ଲିସମେଣ୍ଟ ରିଭ୍ୟୁର ତଥ୍ୟ ଯାହା ବିଧାନସଭାରେ ଉପସ୍ଥାପନ କରାଯାଇଛି ତଦନୁଯାୟୀ ଖାଲି ପଡିଥିାବ ପଦବୀ ସଂଖ୍ୟା ୨ଲକ୍ଷକୁ ଟପିଯାଇଥିଲା ।

ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଠାରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡିକରେ ମାଳ ମାଳ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଛି । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ୬୦ ପ୍ରତିଶତରୁ ଅଧିକ ବିଭିନ୍ନ ପାହ୍ୟାର ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ୭୦ ପ୍ରତିଶତରୁ ଅଧିକ ଅଣଶିକ୍ଷକ ପଦବୀ ଖାଲି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ମେଡିକାଲ କଲେଜ ପର୍ଯ୍ୟନ୍ତ ଚାରିଆଡେ ମାଳ ମାଳ ଡାକ୍ତର, ଡାକ୍ତରୀଶିକ୍ଷକ ଓ ଅନ୍ୟାନ୍ୟ ପଦବୀ ଖାଲି ପଡିଛି । ଏହି କାରଣରୁ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବିଶେଷ ଭାବେ ପ୍ରଭାବିତ ହେଉଥିବା ସମାଜବିଜ୍ଞାନୀମାନେ କହୁଛନ୍ତି ।

କେବଳ ସେତିକି ନୁହେଁ, ଆଇନ୍‍ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାବେଳେ ପୁଲିସ୍‍ ବାହିନୀରେ ବି ବ୍ୟାପକ ପଦବୀ ଖାଲି ପଡିଛି । ଅନ୍ୟାନ୍ୟ ଇଞ୍ଜିନିୟରିଂ ବିଭାଗଗୁଡିକରେ ଅବସ୍ଥା ତଦ୍ରୁପ । ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗରେ ମଧ୍ୟ ଖାଲି ପଦବୀ ସମସ୍ୟାର ମୁଖ୍ୟ କାରଣ ହେଉଛି ।

ଗୋଟିଏ ପଟେ ରାଜ୍ୟରେ ବେକାରୀ ଓ ବେରୋଜଗାରୀ ବଢି ଚାଲିଥିବା ପରିପ୍ରେକ୍ଷୀରେ ବହୁ ଶିକ୍ଷିତ ଯୁବକ ଯୁବତୀଙ୍କ ବୟସ ଅତିକ୍ରାନ୍ତ କରିଯାଉଥିଲେ ମଧ୍ୟ ସେମାନେ ସରକାରୀ ଚାକିରି ପାଇପାରୁ ନାହାନ୍ତି । ଅନ୍ୟପକ୍ଷରେ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ନଥିବାବେଳେ ସରକାରୀ ପଦବୀ କିନ୍ତୁ ଖାଲି ପଡୁଛି । କୌଣସି ନିର୍ବାଚିତ ପ୍ରତିନିଧିଙ୍କ ଆସନ ଖାଲି ପଡିଲେ ସୀମିତ ସମୟ ମଧ୍ୟରେ ତାହା ପୂରଣ କରାଯାଉଛି । ଅଥଚ ବର୍ଷ ବର୍ଷ ଧରି ବିଚାରପତିଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପଦ ପଦବୀ ଖାଲି ପଡୁଥିବାବେଳେ ତାହା କିନ୍ତୁ ଆର୍ଥିକ ସଙ୍କଟ ଯୋଗୁଁ ପୂରଣ ହୋଇପାରୁ ନାହିଁ । (ତଥ୍ୟ)