ଭୁବନେଶ୍ୱର : ବର୍ଷକୁ ବର୍ଷ ଓଡିଶା ବଜେଟ୍ର କଳେବର ବୃଦ୍ଧି ପାଉଥିବାବେଳେ ଉନ୍ନୟନମୂଳକ କ୍ଷେତ୍ରରେ କେତେକ ବିଭାଗ କମ୍ ଖର୍ଚ୍ଚ କରୁଥିବା ଚିନ୍ତାର କାରଣ ହୋଇଛି ।
ଅର୍ଥନୀତି ବିଶ୍ଳେଷକମାନେ କହୁଛନ୍ତି ପ୍ରତିବର୍ଷ ବଜେଟ୍ରେ ହାରାହାରି ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ବରାଦ କରାଯାଉଥିବାବେଳେ ସେହି ଅନୁପାତରେ ଖର୍ଚ୍ଚ ବୃଦ୍ଧି ପାଉନାହିଁ । କେତେକ ବିଭାଗ ଉନ୍ନୟନ କାର୍ଯ୍ୟ ପାଇଁ ବରାଦ ଅର୍ଥ ଢେର୍ କମ ଖର୍ଚ୍ଚ କରୁଥିବା ସଦ୍ୟତମ ସମୀକ୍ଷା ବୈଠକରୁ ଜଣାପଡିଛି । ଏପରିପ୍ରେକ୍ଷୀରେ ଉଭୟ ମୂଳ ଓ ସପ୍ଲିମେଣ୍ଟାରୀ ବଜେଟ୍ରେ ଯେତେ ଅର୍ଥ ବରାଦ କରାଯାଉଛି ଠିକଣା ସମୟ ମଧ୍ୟରେ ତାହାର ପୁର୍ଣ୍ଣ ବିନିଯୋଗ ପାଇଁ ସମସ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି ।
ସାଧାରଣତଃ ଅତିରିକ୍ତ ବଜେଟରେ ଯେତେ ପରିମାଣର ଅଧିକ ଅର୍ଥ ବରାଦ କରାଯାଉଛି ବର୍ଷ ଶେଷ ସୁଦ୍ଧା ତାହାର ମୁଖ୍ୟାଶଂ ଖର୍ଚ୍ଚ ହୋଇପାରୁନଥିବାରୁ ଏହା ପୁଣି ଟ୍ରେଜେରିକୁ ଫେରୁଛି । ପୂର୍ବରୁ ଅର୍ଥିକ ସଙ୍କଟ ଯୋଗୁ ପୁଞ୍ଜି ବ୍ୟୟ କ୍ଷେତ୍ରରେ ପର୍ଯ୍ୟାପ୍ତ ଅର୍ଥ ବ୍ୟୟ ବ୍ୟବସ୍ଥା ହୋଇପାରିନଥିଲା । ତେବେ ରାଜ୍ୟର ଆଥିକ ଅବସ୍ଥାରେ ସୁଧାର ଆସିବା ଫଳରେ କିଛିବର୍ଷ ହେବ ଅବଶ୍ୟ ପୁଞ୍ଜି ବ୍ୟୟ ବଢୁଛି ।
୨୦୦୩-୦୪ ବର୍ଷ ବେଳକୁ ଓଡିଶା ସରକାରଙ୍କ ବାର୍ଷିକ କ୍ୟାପିଟାଲ୍ ଆଉଟ୍ଲେ ୮୫୩କୋଟି ଟଙ୍କାରେ ସୀମିତ ଥିବାବେଳେ ୨୦୨୨-୨୩ରେ ଏହା ବଢି ବଢି ୩୮,୭୩୨ କୋଟି ଟଙ୍କାରେ ପହଞ୍ôଚଛି । ଗୋଟିଏ ସମୟରେ କ୍ୟାପିଟେଲ୍ ଆଉଟ୍ଲେର ପରିମାଣ ୨୦୦୩-୦୪ ବର୍ଷରେ ରାଜ୍ୟ ଜିଡିପିର ମାତ୍ର ୧.୩ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ତାହା ୫.୪ ପ୍ରତିଶତରେ ହପଞ୍ôଚଛି । ଏପରିପ୍ରେକ୍ଷୀରେ ଭିତ୍ତିମୂକି ବିକାଶ କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟର ଆବଶ୍ୟକତା ବଢିଥିବା ବରିଷ୍ଠ ଅଧିକାରୀମାନେ କହୁଛନ୍ତି ।
ବହୁ କ୍ଷେତ୍ରରେ ନିର୍ଦ୍ଧିଷ୍ଟ କାର୍ଯ୍ୟପାଇଁ ବଜେଟରେ ବରାଦ ଅର୍ଥ ଖର୍ଚ୍ଚ ନହୋଇ ସମ୍ପୃକ୍ତ ସଂସ୍ଥା ଓ ବିଭାଗର ବ୍ୟାଙ୍କ ଆକାଉଣ୍ଟରେ ଜମା ରହୁଥିବା ଦେଖାଦେଇଛି । ଏଭଳି ଖରାପ ପରମ୍ପରାକୁ ଦୁରେଇବା ପାଇଁ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଜଣେ ବରିଷ୍ଠ ଅଧିକାରୀ ସରକାରୀ ସୂତ୍ରକୁ ଉଦ୍ଧାର କରି କହିଛନ୍ତି ଯେ, ୨୨ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ଖର୍ଚ୍ଚ ନହୋଇ ପଡିରହିଛି ।
ଠିକଣା ସମୟରେ ବିନିଯୋଗ ପତ୍ର ଦାଖଲ ହୋଇପାରୁନଥିବା କାରଣରୁ ସମସ୍ୟା ଉପୁଜୁଛି । ଏହା ଦୂର କରିବା ସହ ରାଜ୍ୟ ପାଇଁ ବରାଦ ଥିବା କେନ୍ଦ୍ରୀୟ ଅର୍ଥ ଯେଭଳି ଠିକଣା ସମୟରେ ପହଞ୍ଚେ ଓ ତାହାର ବିନିଯୋଗ ସୀମିତ ସମୟ ମଧ୍ୟରେ କରାଯାଇ ତୁରନ୍ତ ବିନିଯୋଗ ପ୍ରମାଣପତ୍ର ଦିଆଯାଏ ତାହା ଉପରେ ମଧ୍ୟ ଅର୍ଥବିଭାଗ ଗୁରୁତ୍ୱ ଦେଉଛି ।
ବାସ୍ତବରେ ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅଂଶ ଓ ସହାୟତା କମୁଥିବାରୁ ରାଜ୍ୟ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛି । କେନ୍ଦ୍ରୀୟ ବଜେଟରେ ଓଡିଶା ପାଇଁ ଅନୁଦାନର ପରିମାଣ ବଢିବା ପରିବର୍ତ୍ତେ ୨୧ ପ୍ରତିଶତ କମିଥିବା କୁହାଯାଉଛି । ଏହାଛଡା ଜିଏସ୍ଟି କ୍ଷତିପୂରର ବନ୍ଦ କରିଦିଆଯିବ ଫଳରେ ଓଡିଶା ମଧ୍ୟ ବିପୂଳ ରାଜସ୍ୱ ହରାଇବାକୁ ଯାଉଛି ।
ଅଣଟିକସ ରାଜସ୍ୱ ମଧ୍ୟରେ ଖଣିଜ କ୍ଷେତ୍ରରୁ ଓଡିଶା ସରକାର ସିଂଘ ଭାଗ ସଂଗ୍ରହ କରିଥାନ୍ତି । ତେବେ ବିଭିନ୍ନ କାରଣରୁ ଏ କ୍ଷେତ୍ରରେ ମଧ୍ୟ ଅଣଟିକସ ରାଜସ୍ୱ ଓ ରୟାଲିଟି ଆଦି କମୁଥିବାରୁ ତାହାର ପ୍ରତିକୁଳ ପ୍ରଭାବ ମଧ୍ୟ ରାଜ୍ୟ ରାଜକୋଷ ଉପରେ ପଡିପାରେ । ମୋଟାମୋଟି ଭାବେ ଡିସେମ୍ବର ସୁଦ୍ଧା ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ମାସରେ ଓଡିଶାର ନିଜସ୍ୱ ରାଜସ୍ୱ୍ୟ ଆୟ ୧.୧୭ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଖଣିଜ ରାଜସ୍ୱ କିନ୍ତୁ ୯ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି ।
(ତଥ୍ୟ)