Home Environment ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ସମଗ୍ର ପୂର୍ବ ଉପକୂଳରେ ଟ୍ରଫ୍ ଲାଇନ୍‌ର ପ୍ରଭାବ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଂଚଳରେ ବର୍ଷା ଜାରି ରହିଥିବା ବେଳେ ବଙ୍ଗୋପସାଗରରେ ଆଉ ଗୋଟିଏ ଲଘୁଚାପ ଦାନା ବାନ୍ଧିବାରେ ଲାଗିଛି । ଯାହାର ପ୍ରଭାବରେ ଆସନ୍ତା ସପ୍ତାହରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତାମିଲନାଡୁ ଉପକୂଳରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ହୋଇଥିବା ବେଳେ ଏହା ଧୀରେ ଧୀରେ ଆଭ୍ୟନ୍ତରୀଣ ଓଡ଼ିଶା ଆଡକୁ ଗତି କରୁଛି ଯେଉଁଥି ପାଇଁ ରବିବାର ଠାରୁ ବର୍ଷାର ପରିମାଣ କମିପାରେ । ମାତ୍ର ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ଆଜି ଥାଇଲାଣ୍ଡ ଏବଂ ଏହାର ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ନଭେମ୍ବର ୧୫ ତାରିଖ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି ।

ଏହା ମୁଖ୍ୟତଃ ପଶ୍ଚିମ-ଉତର-ପଶ୍ଚିମ ଏବଂ ଉତର-ପଶ୍ଚିମ ଦିଗ ଆଡକୁ ମୁହାଁଇବା ସହ ଗଭୀର ଅବପାତର ରୂପ ନେଇ ନଭେମ୍ବର ୧୮ ତାରିଖ ଅପରାହ୍ଣ କିମ୍ବା ରାତ୍ରି ମଧ୍ୟରେ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ନଭେମ୍ବର ୧୭ ତାରିଖରୁ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥି ସହିତ ରାତ୍ରି ତାପମାତ୍ରା ବୃଦ୍ଧି ପାଇବା ସହ ଏହି ସ୍ଥିତି ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।