Home Judiciary ବଂଶଧାରା ଟ୍ରିବୁନାଲଙ୍କ ବିବାଦୀୟ ଆଦେଶ ବିଚାରାଧୀନ

ବଂଶଧାରା ଟ୍ରିବୁନାଲଙ୍କ ବିବାଦୀୟ ଆଦେଶ ବିଚାରାଧୀନ

ଭୁବନେଶ୍ବର : ମାନ୍ୟବର ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ବିବାଦୀୟ ଆଦେଶ  ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଅଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଚୂଡ଼ାନ୍ତ ରାୟ ପ୍ରଦାନ ନକରିବା ଯାଏଁ ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ଦ୍ଵାରା  ପ୍ରଦତ୍ତ ରାୟକୁ ଗେଜେଟରେ ପ୍ରକାଶନ କରିବାପାଇଁ  ଆନ୍ଧ୍ରପ୍ରଦେଶ ପକ୍ଷରୁ ଓଡିଶା ରାଜ୍ୟକୁ ସହମତି ପ୍ରଦାନ ପାଇଁ ଅନୁରୋଧକୁ ଓଡିଶା ରାଜ୍ୟ ପକ୍ଷରୁ ସ୍ପଷ୍ଟ ଭାବେ ମନା କରାଯାଇଛି ବୋଲି ଓଡିଶା ରାଜ୍ୟ ଜଳସଂପଦ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି ।

ବିଭାଗ ତରଫରୁ ଏ  ସଂକ୍ରାନ୍ତୀୟ ଏକ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ମାନ୍ୟବର ବଂଶଧାରା ଜଳ ବିବାଦ ଟ୍ରିବୁନାଲ ତା ୧୩.୦୯.୨୦୧୭ ରେ ତାଙ୍କର ଚୂଡ଼ାନ୍ତ ରାୟରେ ବଂଶଧାରା ନଦୀ ଉପରେ ନେରାଡି ବ୍ୟାରେଜ ନିର୍ମାଣ ପାଇଁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଅନୁମତି ପ୍ରଦାନ କରିଥିଲେ । ଓଡିଶା ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ଆନ୍ତଃ ରାଜ୍ୟ ବୁଝାମଣାର ଗୁରୁତ୍ବପୂର୍ଣ ସର୍ତ୍ତଗୁଡିକୁ ମାନ୍ୟବର ଟ୍ରିବୁନାଲଙ୍କ ଦ୍ଵାରା ଅଣଦେଖା କରାଯାଇଥିବାରୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତକ୍ଷଣାତ ସ୍ଵତନ୍ତ୍ର ଲିଭ ପିଟିସନ ୮୦୩୦/୨୦୧  ତା-୧୨.୧୨.୨୦୧୭ ରେ ଦାୟର କରାଯାଇଥିଲା ।

୧୩.୦୯.୨୦୧୭ରେ ପ୍ରଦତ୍ତ ମାନ୍ୟବର ଟ୍ରିବୁନାଲଙ୍କ ଚୂଡ଼ାନ୍ତ ରାୟର ସ୍ପଷ୍ଟୀକରଣ ପାଇଁ ଓଡିଶା ପକ୍ଷରୁ ଆବେଦନ କରାଯାଇଛି । ଟ୍ରିବୁନାଲ ତାଙ୍କର  ୨୧.୦୬.୨୦୨୧  ବିବରଣୀରେ ସୁସ୍ପଷ୍ଟ କରିଛନ୍ତି ଯେ,  ଟ୍ରିବୁନାଲ ମୋଟାମୋଟି ଭାବେ ତାଙ୍କର ୧୩.୦୯.୨୦୧୭ର ଚୂଡ଼ାନ୍ତ ରାୟକୁ ଅକ୍ଷୁଣ୍ଣ ରଖିଛନ୍ତି , ଯାହା ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ସ୍ଵତନ୍ତ୍ର ଲିଭ ପିଟିସନର ଚୂଡ଼ାନ୍ତ ରାୟ ଉପରେ ନିର୍ଭରଶୀଳ ।

ଓଡିଶା ପରିସୀମା ମଧ୍ୟରେ ମିଳିତ ସର୍ବେକ୍ଷଣ ପାଇଁ ଟ୍ରିବୁନାଲଙ୍କ ୨୩.୦୯.୨୦୧୯ର ନିର୍ଦ୍ଦେଶ ବିପକ୍ଷରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଓଡିଶା ପକ୍ଷରୁ ସ୍ଵତନ୍ତ୍ର ଲିଭ ପିଟିସନ ସଂଖ୍ୟା ୨୭୯୩୦/୨୦୧୯ ଦାୟର କରାଯାଇଛି, ଯାହାକି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏବେ ମଧ୍ୟବିଚାରାଧୀନ ଅଛି ।ଓଡିଶା ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ସୁବ୍ରମନ୍ୟମ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ମୋକଦ୍ଦମା ପରିଚାଳନା କରୁଛନ୍ତି ।

ସ୍ଵତନ୍ତ୍ର ଲିଭ  ପିଟିସନ ସଂଖ୍ୟା ୮୦୩୦/୨୦୧୮ ଓ ୨୭୯୩୦/୨୦୧୯  ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ଦୃଷ୍ଟିରୁ ମାନ୍ୟବର ଟ୍ରିବୁନାଲଙ୍କ ୧୩.୦୯.୨୦୧୭  ଓ ୨୧.୦୬.୨୦୨୧ ରେ ପ୍ରଦତ୍ତ ରାୟକୁ ଆନ୍ତଃ ରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ ର ଧାରା ୬(୧) ଅନୁସାରେ ସରକାରୀ ରାଜପତ୍ର (ଗେଜେଟ) ରେ ପ୍ରକାଶିତ କରାଯାଇ ପାରିବ ନାହିଁ , ଯାହା ଟ୍ରିବୁନାଲଙ୍କ ରାୟକୁ କାର୍ଯ୍ୟକ୍ଷମ କରିବାପାଇଁ ଅତ୍ୟାବଶ୍ୟକ ।

ଏଣୁ ଏହି ପରିପ୍ରେକ୍ଷୀରେ ଏହା  ଉଲ୍ଲେଖ କରିବା ଗୁରୁତ୍ୱପୂର୍ଣ୍ଣ ଯେ , ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା  ସ୍ଵତନ୍ତ୍ର ଲିଭ ପିଟିସନର ଚୂଡ଼ାନ୍ତ ରାୟ ପ୍ରଦାନ ନ ହେବାଯାଏଁ ବଂଶଧାରା ଜଳ ବିବାଦ ଟ୍ରିବୁନାଲଙ୍କ ଦ୍ଵାରା ୧୩.୦୯.୨୦୧୭ରେ ପ୍ରଦତ୍ତ ରାୟକୁ ଗେଜେଟରେ ପ୍ରକାଶନ ପାଇଁ ଓଡିଶା ରାଜ୍ୟକୁ ଆନ୍ଧ୍ର ପ୍ରଦେଶ ରାଜ୍ୟ ପକ୍ଷରୁ ସହମତି ପ୍ରଦାନ  ନିମନ୍ତେ  ଅନୁରୋଧକୁ ଓଡିଶା ପକ୍ଷରୁ  ସ୍ପଷ୍ଟ ଭାବେ ମନା କରାଯାଇଥିବା ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି ।