ଭୁବନେଶ୍ୱର : ସାଇବର ଠକେଇ ଭୟରେ ଲୋକେ ବିଭିନ୍ନ ଫୋନ୍ କଲ୍ ଉପରେ ସତର୍କ ନଜର ରଖିଥିବାବେଳେ ଏବେ ପୁରସ୍କାର ପ୍ରଦାନ ନାଁରେ ଲୋକଙ୍କୁ ଠକିବାପାଇଁ କେତେକ ସଂସ୍ଥା ଆଗେଇ ଆସିଛନ୍ତି । ତେବେ ଏମାନେ ଫୋନ୍ ନମ୍ବର ସବୁ କେଉଁଠାରୁ ପାଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇଛି ।
ଆପଣ ଯେଉଁ ସାମଗ୍ରୀ ଖରିଦ କରିଥିଲେ ତାହା ଉପରେ ଆପଣଙ୍କର ଲଟେରୀ ଉଠିଛି ଓ ସମ୍ପୃକ୍ତ କମ୍ପାନୀର ଅନ୍ୟ କୌଣସି ଦୋକାନରୁ ଆସି ତାହା ସଂଗ୍ରହ କରି ନିଅନ୍ତୁ । ଏଭଳି ଫୋନ୍ ଏବେ ବିଭିନ୍ନ ଲୋକଙ୍କ ପାଖକୁ ଆସିବାରେ ଲାଗିଛି । ବିଶେଷକରି ଯେଉଁମାନେ ପୋଷାକପତ୍ର, ଚଷମା, ଗାଡିମୋଟର ପାର୍ଟସ, ଟାୟାର ଆଦି ଖରିଦ କରୁଛନ୍ତି ସେମାନେ ବିଲ୍ ପଇଠ ସମୟରେ ନିଜର ଫୋନ୍ ନମ୍ବରଟି ଦେଉଛନ୍ତି । କାରଣ କମ୍ପାନୀ ସେହି ଫୋନ୍ ନମ୍ବରରେ କିଛି ସାମଗ୍ରୀର ଗ୍ୟାରେଣ୍ଟି ସୂଚନା ପଠାଉଛି । ଅଧିକାଂଶ ଦୋକାନୀ ଏବେ ଟେଲିଫୋନ୍ ନମ୍ବରରେ ଇ-ବିଲ୍ ପଠାଇ ଦେଉଛନ୍ତି ।
ହେଲେ ପରବର୍ତ୍ତୀ ସମୟରେ ଏହି ଫୋନ୍ ନମ୍ବର ଲଟେରୀ ଜିତିବା ନାଁରେ ବ୍ୟବସାୟ ଚଳାଇଥିବା କିଛି ସଂସ୍ଥା ହାତରେ ପଡୁଛି । ସେମାନଙ୍କ ଦ୍ୱାରା ନିଯୁକ୍ତ ଝିଅମାନେ ଲୋକଙ୍କୁ ଫୋନ୍ କରୁଛନ୍ତି । କିଣିଥିବା ସାମଗ୍ରୀ ପାଇଁ ଲଟେରୀ ଉଠିଛି କହିବା ଫଳରେ ଅନେକ ଏହାକୁ ସତବୋଲି ଧରି ନେଉଛନ୍ତି । ତେବେ ଯେଉଁମାନେ ଏହା ଏକ ଠକେଇ ବୋଲି ଜାଣି ଲଟେରୀରେ ଉଠିଥିବା ସାମଗ୍ରୀ ଆଣିବାକୁ ଅମଙ୍ଗ ହେଉଛନ୍ତି ସେମାନଙ୍କୁ ବାରମ୍ବାର ଫୋନ୍ କରି ହଇରାଣ ହରକତ କରାଯାଉଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଲଟେରୀ ସାମଗ୍ରୀ ପାଇବା ଲୋଭରେ ପଡି ଯେଉଁମାନେ ଯାଉଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ବୀମାଟିଏ କରିବାକୁ କିମ୍ବା ବିଦେଶ ବୁଲିଯିବାର ବିଭିନ୍ନ ସ୍କିମ୍ ବିଷୟରେ ଅବଗତ କରାଯାଉଛି । ଯେଉଁମାନେ ଏଥିରେ ରାଜି ହେଉଛନ୍ତି ସେମାନଙ୍କୁ ପ୍ରଥମେ ବୀମା କିମ୍ବା ବିଦେଶବୁଲା ସ୍କିମ୍ରେ ଅର୍ନ୍ତଭୁକ୍ତ କରାଯାଇ ପରେ ଛୋଟିଆ ଉପହାରଟିଏ ଧରି ଛାଡି ଦିଆଯାଉଛି ।
ତେବେ ସାମଗ୍ରୀ କିଣିବା ସମୟରେ ଦିଆଯାଉଥିବା ଫୋନ୍ ନମ୍ବର ଏହି ର୍ୟାକେଟ ହାତରେ କିଭଳି ଲାଗୁଛି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କିଛି ବ୍ୟବସାୟୀ ଏହି ର୍ୟାକେଟ୍ ସହିତ ହାତ ମିଳାଇଛନ୍ତି ନଚେତ୍ ଏମାନେ କୌଣସି ଅସତ୍ ଉପାୟରେ ଲୋକଙ୍କ ଫୋନ୍ ନମ୍ବର ହାତଉ ଥିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ସମସ୍ତଙ୍କର ଫୋନ୍ ନମ୍ବର ସହିତ ବ୍ୟାଙ୍କ୍, ବୀମା, ଆଧାର, ପାନ୍ ଆଦିର ଲିଙ୍କ୍ ରହିଛି । ଏଥି ସହିତ ଫୋନ୍ ନମ୍ବରରେ ଟଙ୍କା ନେଣ ଦେଣ ଓ କିଣା କିଣି ପାଇଁ ବିଭିନ୍ନ ଆପ୍ ରହିଛି ।
ଏଭଳି ସ୍ଥିତିରେ ଫୋନ୍ ନମ୍ବରଗୁଡିକ ଏଭଳି ର୍ୟାକେଟ୍ ହାତରେ କେତେ ସୁରକ୍ଷିତ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାଇବର ଠକେଇ ଉପରେ ନଜର ରଖିଥିବା ପୁଲିସ୍ ଏହା ଉପରେ ତଦନ୍ତ ସହିତ ଏମାନଙ୍କ ହାତକୁ ଏକାଧିକ ଲୋକଙ୍କର ଫୋନ୍ ନମ୍ବର କିଭଳି ଆସୁଛି ତାହାର ତଦନ୍ତ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)