Home General ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍

ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍

ଭୁବନେଶ୍ୱର : ଲୋକସଭାରେ ଏନଡିଏ ସରକାର ମହିଳା ସଂରକ୍ଷଣ ବିଲ ପାରିତ କରିବାରେ ବିଫଳ ହୋଇଛି। ୧୩୧ତମ ସମ୍ବିଧାନ ବିଲ୍ ଜରିଆରେ କେନ୍ଦ୍ର ସରକାର ତତ୍କାଳ ମହିଳା ସଂରକ୍ଷଣ ବିଲ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିଲେ। ମହିଳା ସଂରକ୍ଷଣକୁ ସୀମା ପୁନଃ ନିର୍ଦ୍ଧାରଣ ସହ ଯୋଡ଼ି ସଂସଦରେ ଉପସ୍ଥାପିତ ହୋଇଥିଲା।

ହେଲେ ଏହି ବିଲ୍ ଲୋକସଭାରେ ଆବଶ୍ୟକ ଦୁଇ ତୃତୀୟାଂଶ ମତ ହାସଲ କରିପାରି ନାହିଁ। ଭୋଟିଂରେ ୫୨୮ ଜଣ ସାଂସଦ ସାମିଲ ହୋଇଥିଲେ। ସମ୍ବିଧାନ ସଂଶୋଧନ ବିଲ ସପକ୍ଷରେ ୨୯୮ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨୩୦ ଖଣ୍ଡ ଭୋଟ ପଡ଼ିଛି। ସମ୍ବିଧାନ ସଂଶୋଧନ ବିଲ ପାରିତ ହେବାକୁ ୩୨୬ ଖଣ୍ଡ ଭୋଟର ଆବଶ୍ୟକ ରହିଥିଲା। କିନ୍ତୁ ଏନଡିଏ ଏହାକୁ ହାସଲ କରିବାରେ ବିଫଳ ହୋଇଛି। ଏଥିଯୋଗୁ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଗୃହୀତ ହୋଇ ପାରନାହିଁ।

୧୩୧ତମ ସମ୍ବିଧାନ ସଂଶୋଧନ ବିଲରେ ସରକାର ରାଜ୍ୟମାନଙ୍କ ପାଇଁ ସୀମା ପୁନଃ ନିର୍ଦ୍ଧାରଣ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ ୨୦୨୬ ମଧ୍ୟ ଆଣିଥିଲେ। ସମ୍ବିଧାନ ସଂଶୋଧନ ବିଲ ସହ ଏହାକୁ ଯୋଡ଼ା ଯାଇଥିଲା। ହେଲେ ସମ୍ବିଧାନ ସଂଶୋଧନ ବିଲ ପାରିତ ହୋଇ ପାରିନଥିବାରୁ ଉଭୟ ବିଲକୁ ମଧ୍ୟ ସରକାର ଆଗକୁ ଆଉ ବଢ଼ାଇବାକୁ ମନା କରି ଦେଇଥିଲେ। ଅର୍ଥାତ କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ ବିଲ ଲୋକସଭାର ଅନୁମୋଦନ ହାସଲ କରିପାରି ନାହିଁ। ବାଚସ୍ପତି ଓମ ବିର୍ଲା ଏହା ଘୋଷଣା କରିବା ସହ ଆସନ୍ତାକାଲି ଦିନ ୧୧ଟା ଯାଏ ଗୃହକୁ ସ୍ଥଗିତ ଘୋଷଣା କରିଛନ୍ତି।

ବିଲ୍ ପାରିତ ହୋଇଥିଲେ ମହିଳାଙ୍କ ପାଇଁ ସଂସଦ ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ହୋଇଥାଆନ୍ତା। ସେହିପରି ଲୋକସଭାର ଆସନ ସଂଖ୍ୟା ସର୍ବାଧିକ ୮୫୦ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଆନ୍ତା। କିନ୍ତୁ ସରକାର ଏହା ସହ ସୀମା ନିର୍ଦ୍ଧାରଣକୁ ଯୋଡ଼ି ଥିବାରୁ ବିରୋଧୀ ଜୋରଦାର ବିରୋଧ କରିଥିଲେ। ବିଲ୍ ପାରିତ ହୋଇନଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହିଳାଙ୍କୁ ସମ୍ମାନ ଦେବାକୁ ନରେନ୍ଦ୍ର ମୋଦି ସରକାର ବ୍ୟବସ୍ଥା କରିଥିଲେ ହେଁ ଏହାକୁ ବିରୋଧୀ ସମର୍ଥନ କରିନାହାନ୍ତି। ସେମାନେ ଐତିହାସିକ ସୁଯୋଗ ହାତ ଛଡ଼ା କରିଛନ୍ତି ବୋଲି ସେ ଆକ୍ଷେପ କରିଥିଲେ।

ହେଲେ ମୋଦି ସରକାର ମହିଳାଙ୍କ ସମ୍ମାନ ପାଇଁ ଲଢ଼େଇ ଜାରି ରଖିବେ ବୋଲି ସେ ଘୋଷଣା କହିଛନ୍ତି। ସମ୍ବିଧାନ ସଂଶୋଧନ ବିଲ ଫେଲ ମାରିବାରୁ ରିଜିଜୁ ଅନ୍ୟ ଦୁଇ ବିଲ ସୀମା ପୁନଃ ନିର୍ଦ୍ଧାରଣ ବିଲ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ ମଧ୍ୟ ଆଗକୁ ନ ବଢ଼ାଇବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ସେପଟେ ବିରୋଧୀଙ୍କ ଅସହଯୋଗ ବିରୋଧରେ ସଂସଦ ବାହାରେ ଏନଡିଏର ମହିଳା ସାଂସଦମାନେ ପ୍ରତିବାଦ କରିଥିଲେ। 

ଏହି ବିଲ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସଂଶୋଧନକୁ ନେଇ ଥିବା ସବୁ ଭ୍ରାନ୍ତଧାରଣାକୁ ଯୁକ୍ତିଯୁକ୍ତ ଉତ୍ତର ଦ୍ବାରା ଦୂର କରାଯାଇଛି ଓ ସାଂସଦମାନଙ୍କ ଦ୍ବାରା ଉଠାଯାଇଥିବା ସବୁ ଚିନ୍ତାକୁ ଦୂର କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଯେଉଁଠାରେ ଅତିରିକ୍ତ ସୂଚନା ଆବଶ୍ୟକ ଥିଲା, ତାହା ସବୁ ସାଂସଦଙ୍କୁ ପ୍ରଦାନ କରାଯାଇଛି ଯେପରିକି ବିରୋଧୀ ପକ୍ଷଙ୍କ ସବୁ ସଂଦେହ ଦୂର ହୋଇପାରିବ। ମହିଳା ସଂରକ୍ଷଣକୁ ନେଇ ବିଗତ ପ୍ରାୟ ଚାରି ଦଶନ୍ଧି ଧରି ରାଜନୈତିକ ବିତର୍କ ହୋଇଆସୁଛି ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହିଳା ଅର୍ଥାତ ଦେଶର ଜନସଂଖ୍ୟାର ୫୦ ଭାଗଙ୍କୁ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ପ୍ରଦାନ କରିବାର ସମୟ। ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳଙ୍କୁ ମହିଳା ସଂରକ୍ଷଣ ସଂଶୋଧନ ସପକ୍ଷରେ ଭୋଟ ଦେଇ ଏକ ବିଚାରବନ୍ତ ଏବଂ ସମ୍ବେଦନଶୀଳ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ।

ତେବେ ଦୁଇଟି ଯାକ ବିଲକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଉପରେ ବର୍ଷିଥିଲେ। ସେ ଅଭିଯୋଗ କରିଥିଲେ ଯେ, ସରକାର ରାଜନୈତିକ ଉଦ୍ଦେଶ୍ୟ ହାସଲ କରିବା ଏବଂ କ୍ଷମତା ବଜାୟ ରଖିବା ପାଇଁ ମହିଳା ସଂରକ୍ଷଣକୁ ଏକ ଢ଼ାଲ ଭାବରେ ବ୍ୟବହାର କରୁଛନ୍ତି। ସେ କେନ୍ଦ୍ର ଉପରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ମାଧ୍ୟମରେ ଓବିସି ଏବଂ ଦଳିତଙ୍କ ରାଜନୈତିକ ସ୍ୱରକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଏହା ମହିଳା ସଂରକ୍ଷଣ ବିଲ୍ ନୁହେଁ, ମହିଳା ସଶକ୍ତିକରଣ ସହିତ ଏହାର କୌଣସି ସଂପର୍କ ନାହିଁ। ଭାରତର ମାନଚିତ୍ରକୁ ବଦଳାଇବାର ଏହା ଏକ ପ୍ରୟାସ। ମହିଳା ସଂରକ୍ଷଣ ବିଲ୍ ୨୦୨୩ ମସିହାରେ ଗୃହୀତ ହୋଇଥିଲା। ଏହି ବିଲ ଜରିଆରେ ଦକ୍ଷିଣ ଏବଂ ଉତ୍ତର ଭାରତରେ ଭେଦଭାବ କରାଯାଉଥିବା ସେ ଅଭିଯୋଗ କରିଥିଲେ।