Home Agriculture ଫେଲ୍‍ ମାରିଛି ଆଳୁ ମିଶନ

ଫେଲ୍‍ ମାରିଛି ଆଳୁ ମିଶନ

ଭୁବନେଶ୍ୱର : ଓଡିଶାରେ ଆଳୁ ଚାଷ ପାଇଁ ଅନୁକୂଳ ଜଳବାୟୁ ଥିବାବେଳେ ରାଜ୍ୟ ସରକାର ବି ମିଶନ ଗଠନକରି ହେକ୍ଟର ପ୍ରତି ପ୍ରାୟ ୫୮ହଜାର ଟଙ୍କାର ସବ୍‍ସିଡ୍‍ ପ୍ରଦାନ କରୁଛନ୍ତି । ଏତେ ସବୁ ସତ୍ୱେ ବି ଓଡିଶାର ଖାଉଟିମାନେ ପଡୋଶୀ ରାଜ୍ୟ ଉପରେ ଆଳୁ ପାଇଁ ନିର୍ଭରଶୀଳ ଥିବାବେଳେ ସେମାନେ ଏବେ ରାଜ୍ୟର ଆଳୁ ବଜାରକୁ ନିୟନ୍ତ୍ରଣ କରୁଛନ୍ତି ।

ଆଳୁ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାର ଆଳୁ ମିଶନ ଗଠନ ସହିତ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । ଆଳୁ ବିହନ ଲଗାଇବା ଠାରୁ ଆରମ୍ଭକରି ସାର ଖରିଦ ଓ ଅନ୍ୟାନ୍ୟ ବାବଦରେ ପର୍ଯ୍ୟାୟକ୍ରମେ ହେକ୍ଟର ପ୍ରତି ପ୍ରାୟ ୫୮ହଜାର ଟଙ୍କାର ଯୋଗାଯାଉଛି । ଲକ୍ଷ୍ୟ ହେଉଛି ଓଡିଶାକୁ ଆଳୁ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା । ଏଥି ସହିତ ଉତ୍ପାଦିତ ଆଳୁର ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା ଲାଗି ମଧ୍ୟ ବ୍ୟାପକ ସବସିଡ୍‍ ପ୍ରଦାନ କରାଯାଉଛି ।

ହେଲେ ପ୍ରାୟ ଦଶ ବର୍ଷ ଧରି ଏହି ଯୋଜନା ଚାଲିଥିଲେ ମଧ୍ୟ ଓଡିଶାର ଆଳୁ ଚାହିଦା ପୂରଣ ହୋଇପାରୁ ନାହିଁ । ଓଡିଶାରେ ବାର୍ଷିକ ପ୍ରାୟ ୧୧ଲକ୍ଷ ଟନ୍‍ ଆଳୁର ଚାହିଦା ଥିବାବେଳେ ଉତ୍ପାଦନ ୪ଲକ୍ଷ ମେଟ୍ରିକ ଟନ୍‍କୁ ଟପିପାରୁ ନାହିଁ । ଫଳରେ ବର୍ଷ ସାରା ଖାଉଟିମାନେ ଆଳୁ ପାଇଁ ପଡୋଶୀ ପଶ୍ଚିମବଙ୍ଗ ସହିତ ଅନ୍ୟାନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି । ଯଦି କୌଣସି କାରଣରୁ ସେଠାରେ ପ୍ରାକୃତିକ ଦୁର୍ବିପାକ ଦେଖାଦେଉଛି ତେବେ ଓଡିଶାର ଖାଉଟିଙ୍କ ମୁଣ୍ଡରେ ଚଡକ ପଡୁଛି ।

ବର୍ତ୍ତମାନ ପଶ୍ଚିମବଙ୍ଗର ବ୍ୟବସାୟୀମାନେ ଓଡିଶାକୁ ଆବଶ୍ୟକ ପରିମାଣର ଆଳୁ ଛାଡୁନଥିବାରୁ ଓଡିଶାବଜାରରେ ଆଳୁ ଦର ଦଶ ଦିନ ମଧ୍ୟରେ କିଲୋପ୍ରତି ୫ ରୁ ୭ଟଙ୍କା ବଢି ୩୦ ଟଙ୍କା ଛୁଇଁଲାଣି । ଏହି ସ୍ଥିତି ଲାଗି ରହିଲେ କିଲୋ ପ୍ରତି ଆଳୁ କିଲୋ ରାଜ୍ୟରେ ୩୫ ଟଙ୍କାରେ ବିକ୍ରି ହେବ ବୋଲି ବ୍ୟବସାୟୀମାନେ ଖୋଲାଖୋଲି କହିଲେଣି ।

ରାଜ୍ୟରେ ଚାଷୀମାନେ ଧାନ ଚାଷ ପାଇଁ ଯେଭଳି ଆଗ୍ରହ ପ୍ରକାଶ କରୁଛନ୍ତି ଆଳୁ ପାଇଁ ସେଭଳି ଆଗ୍ରହ ନାହିଁ । ଏ ସଂକ୍ରାନ୍ତରେ ଚାଷୀଙ୍କ ମତ ହେଉଛି ଯେ ଧାନକୁ ଯେଭଳି ସରକାର ଖରିଦ କରି ତୁରନ୍ତ ପଇସା ଦେଉଛନ୍ତି ଆଳୁ କ୍ଷେତ୍ରରେ ସେଭଳି ହେଉନାହିଁ । ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଉତ୍ପାଦନ ସମୟରେ ଅତ୍ୟନ୍ତ କମ୍‍ ଦରରେ ବଜାରରେ କିମ୍ବା ବେପାରୀଙ୍କୁ ବିକ୍ରି କରିବାକୁ ପଡୁଛି । ତେଣୁ ଆଳୁ ଚାଷ କରି କ୍ଷତି ସହିବାକୁ ଚାଷୀମାନେ ଚାହୁଁ ନାହାନ୍ତି ।

ଆଳୁ ଦର ବଢିବାରେ ପରେ ଏହା ସହିତ ତାଳ ଦେଇ ଏବେ ବଜାରରେ ରସୁଣ ଓ ଅଦା ଦର ବଢିବାରେ ଲାଗିଛି । ଅଦା କିଲୋ ପ୍ରତି ଦେଢ ଶହ ଟଙ୍କା ଟପିଥିଲା ରସୁଣ କିଲୋ ୨୦୦ ଟଙ୍କା ଛୁଇଁଲାଣି । କିଛି ଦିନ ତଳେ ରସୁଣ ଅବଶ୍ୟ କିଲୋପ୍ରତି ୪୦୦ ଟଙ୍କାରେ ବିକ୍ରି ହେଉଥିଲା । ଯଦିଓ ରାଜ୍ୟ ଭିତରେ ବ୍ୟାପକ ଅଦା ଉତ୍ପାଦନ ହେଉଛି କିନ୍ତୁ ରସୁଣ ପାଇଁ ଓଡିଶା ବର୍ଷ ସାରା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ତେଣୁ ଆଳୁ ଭଳି ରସୁଣ କ୍ଷେତ୍ରରେ ମଧ୍ୟ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡିଶା ବଜାରକୁ ନିୟନ୍ତ୍ରଣ କରୁଛନ୍ତି ।

ତେବେ ମହାରାଷ୍ଟ୍ରରୁ ଆସୁଥିବା ପିଆଜର ଦର ଓଡିଶା ବଜାରରେ ଏକ ପ୍ରକାର ସ୍ଥିର ରହିଛି । ଲଗାତାର ଭାବେ କିଛିଦିନ ଧରି ଓଡିଶାରେ ପିଆଜର ଖୁଚୁରା ଦର କିଲୋପ୍ରତି ପ୍ରାୟ ୩୦ ଟଙ୍କାରେ ବିକ୍ରି ହେଉଛି । ଉଲ୍ଲେଖନୀୟ ଯେ ଓଡିଶାରେ ବାର୍ଷିକ ପ୍ରାୟ ୪ଲକ୍ଷ ଟନ୍‍ ପିଆଜ ଆବଶ୍ୟକ ହେଉଥିବାବେଳେ ସରକାରୀ ହିସାବ ମୁତାବକ ଅନୁରୂପ ପରିମାଣର ପିଆଜ ମଧ୍ୟ ଉତ୍ପାଦନ ହେଉଛି । ତେବେ ଏହାର ଠିକଣା ସଂରକ୍ଷଣ ହେଉନଥିବାରୁ ଆଳୁ ଭଳି ପିଆଜ ପାଇଁ ମଧ୍ୟ ଓଡିଶା ବର୍ଷର ଅଧିକାଂଶ ଦିନ ଅନ୍ୟ ରାଜ୍ୟମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛି । (ତଥ୍ୟ)