ଭୁବନେଶ୍ୱର : ରାଜ୍ୟରେ ବାର୍ଷିକ ୨୭ଲକ୍ଷ ମେଟ୍ରିକ ଟନରୁ ଅଧିକ ବିଭିନ୍ନ କିସମର ଫଳ ଉତ୍ପାଦନ ହେଉଥିବାବେଳେ ଓଡିଶାର ଫଳ ବଜାର କିନ୍ତୁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଏପରିକି ଅନ୍ୟ ରାଜ୍ୟର ଅମୃତଭଣ୍ଡା ଓ ଆମ୍ବ ଓଡିଶା ବଜାରକୁ ଦଖଲ କରୁଥିବାବେଳେ ଓଡିଶାରୁ ଉତ୍ପାଦିତ ଫଳ ପ୍ରତି ଲୋକେ ସେଭଳି ଆଗ୍ରହ ଦେଖାଉ ନାହାନ୍ତି ।
ଓଡିଶାରେ ପାଚିଲା ଅମୃତଭଣ୍ଡାର ବେଶ୍ ଚାହିଦା ଥିବାବେଳେ ରାଜ୍ୟରେ ପ୍ରାୟ ୧ଲକ୍ଷ ୨୦ହଜାର ମେଟ୍ରିକ ଟନ୍ ଅମୃତଭଣ୍ଡା ଉତ୍ପାଦନ ହେଉଛି । ତେବେ ଓଡିଶାର ଫଳ ବଜାରକୁ ଦୈନିକ ଟ୍ରକ ଟ୍ରକ ଅମୃତଭଣ୍ଡା କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଆସୁଛି । ବ୍ୟବସାୟୀମାନଙ୍କ କହିବାକଥା ଯେ ଓଡିଶା ଅମୃତଭଣ୍ଡା ତୁଳନାରେ ସେହିସବୁ ରାଜ୍ୟରୁ ଆସୁଥିବା ଅମୃତଭଣ୍ଡାର ମାନ ଭଲ ରହୁଥିବାରୁ ଗ୍ରାହକମାନେ ସେଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।
ସେହିଭଳି ଓଡିଶାରେ ଡାଳିମ୍ବର ବେଶ୍ ଚାହିଦା ଥିବାବେଳେ ଉତ୍ପାଦନ ଅତି ନଗଣ୍ୟ । ଉତ୍ପାଦନ ହେଉଛି ମାତ୍ର ୩୩୨୪ ମେଟ୍ରିକ ଟନ୍ । ତେଣୁ ଅଧିକାଂଶ ବ୍ୟବସାୟୀ ଏଥିପାଇଁ ମହାରାଷ୍ଟ୍ର ଉପରେ ନିର୍ଭର କରୁଛନ୍ତି । ଓଡିଶାରେ ଯେତିକି ବି ଡାଳିମ୍ବ ଉତ୍ପାଦନ ହେଉଛି ତାହାକୁ ନେବାକୁ ଗ୍ରାହକ ରାଜି ହେଉନାହାନ୍ତି । ରାଜ୍ୟରେ ଷ୍ଟ୍ରବେରୀର ଚାହିଦା ଥିବାବେଳେ ଏହାର ଉତ୍ପାଦନ କିନ୍ତୁ ୨୦ ମେଟ୍ରିକ ଟନ୍ ଛୁଇଁ ପାରୁନାହିଁ । ସମସ୍ତ ପ୍ରକାର ଅନୁକୂଳ ପାଣିପାଗ ଓ କୃଷି ବିଭାଗର ସହାୟତା ସତ୍ୱେ ରାଜ୍ୟର ଚାଷୀମାନେ ଅଧିକ ଉତ୍ପାଦନ ନକରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଅନ୍ୟ ରାଜ୍ୟର ଚାଷୀଙ୍କ ଉତ୍ପାଦିତ ଷ୍ଟ୍ରବେରୀ ଫଳ ରାଜ୍ୟର ଫଳ ଦୋକାନ ଓ ମଲ୍ଗୁଡିକରେ ଚଢା ଦରରେ ବିକ୍ରି ହେଉଛି ।
ତେବେ ଓଡିଶାରେ ଡ୍ରାଗନ୍ ଫ୍ରୁଟ୍ର ଉତ୍ପାଦନ ବୃଦ୍ଧି ପାଇବା ସହିତ ଏହା ବିଦେଶକୁ ରପ୍ତାନି ହେବାରେ ଲାଗିଛି । ଏକଦା ଏହି ଫଳ ସଂକ୍ରାନ୍ତରେ ଅଜ୍ଞ ଥିବା ଓଡିଶାର ଚାଷୀମାନେ ୭ଶହ ମେଟ୍ରିକ ଟନରୁ ଅଧିକ ଡ୍ରାଗନଫ୍ରୁଟ ଉତ୍ପାଦନ କରୁଛନ୍ତି ।
ସେହିଭଳି ଓଡିଶାରେ ଆମ୍ବ ଉତ୍ପାଦନ ପରିମାଣ ୯ଲକ୍ଷ ମେଟ୍ରିକ ଟନ୍କୁ ଟପିଥିବାବେଳେ ଏହାର ରପ୍ତାନି ପରିମାଣ ବଢିବାରେ ଲାଗିଛି । ଢେଙ୍କାନାଳର ଆମ୍ବ ମଧ୍ୟପ୍ରାଚ୍ୟ ଓ ୟୁରୋପରେ ବେଶ୍ ଆଦରଲାଭ କରିଛି । କିନ୍ତୁ ସଂରକ୍ଷଣ ଅଭାବରୁ ଏବେ ଅନ୍ୟ ରାଜ୍ୟର ଆମ୍ବ ଓଡିଶା ବଜାରରେ ଚଢା ଦରରେ ବିକ୍ରି ହେବାରେ ଲାଗିଛି । ଓଡିଶାର ଆମ୍ବ ଋତୁ ପରେ ଏବେ ଅନ୍ୟ ରାଜ୍ୟର ଶୀତଳଭଣ୍ଡାରରେ ଥିବା ଆମ୍ବଗୁଡିକ ଓଡିଶା ବଜାରରେ ଆଧିପତ୍ର ବିସ୍ତାର କରିଛନ୍ତି ।
ଋତୁ ଭିତ୍ତିକ ଫଳ ଲିଚୁର ଚାହିଦା ବି ଓଡିଶା ବଜାରରେ ବେଶ ରହିଛି । ଓଡିଶାର କୋରାପୁଟ ସମେତ ଅନ୍ୟ କେତେକ ଜିଲ୍ଲାରେ ଲିଚୁ ଚାଷ ହେବା ସହି ବାର୍ଷିକ ୨୮ହଜାର ମେଟ୍ରିକ ଟନ୍ ଲିଚୁ ଫଳୁଛି । ତେବେ ଓଡିଶା ଖାଉଟିଙ୍କ ପାଇଁ ଏହା ପର୍ଯ୍ୟାପ୍ତ ହେଉନଥିବାରୁ ବିହାରରେ ଫଳୁଥିବା ଲିଚୁ ଉପରେ ହିଁ ଓଡିଶାର ଫଳ ବ୍ୟବସାୟୀମାନେ ନିର୍ଭର କରୁଛନ୍ତି ।
ବିଭିନ୍ନ ପ୍ରକାର ଫଳ ଉତ୍ପାଦନ ପାଇଁ ଓଡିଶାର ଜଳବାୟୁ ବେଶ୍ ଅନୁକୂଳ ହୋଇଥିବାବେଳେ ଚାଷୀମାନଙ୍କ ଅନାଗ୍ରହ ଯୋଗୁଁ ଅନ୍ୟ ରାଜ୍ୟର ଚାଷୀମାନେ ଏହାର ବେଶ୍ ଫାଇଦା ଉଠାଉଛନ୍ତି । ଏ ବାବଦରେ ରାଜ୍ୟର ଶହ ଶହ କୋଟି ଟଙ୍କା ବାହାରକୁ ଚାଲିଯାଉଛି ଏବଂ ଓଡିଶାର ଲୋକେ ଦୀର୍ଘଦିନ ଧରି ଶୀତଳଭଣ୍ଡାରରେ ଥିବା ଫଳକୁ ଚଢା ଦରରେ କିଣି ଖାଇବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)

