ଭୁବନେଶ୍ୱର : ପାରାଦୀପ୍ ଓ ଗୋପାଳପୁର ଠାରେ ପ୍ରତିଷ୍ଠା ହେବ ବିରଳମୃତ୍ତିକା କରିଡର ଓ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପ୍ରକ୍ରିୟାକରଣ ପାର୍କ । ଓଡିଶା ଖଣି ନିଗମ (ଓଏମ୍ସି) ଆଗାମୀ ପାଞ୍ଚବର୍ଷ ମଧ୍ୟରେ ଏଥିପାଇଁ ୪ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟ କରିବ ବୋଲି ଜଣାଯାଇଛି ।
ପାରମ୍ପରିକ ଖଣିଜ କାରବାରରୁ ବାହାରି ଓଏମ୍ସି ଏବେ ବିଶ୍ୱବଜାରରେ ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ତାହାର ବ୍ୟବସାୟିକ ରଣନୀତିରେ ପରିବର୍ତ୍ତନ ଲାଗି ରୋଡମ୍ୟାପ୍ ପ୍ରସ୍ତୁତ କରିଛି । ତଦନୁଯାୟୀ ବିରଳମୃତ୍ତିକା କରିଡର ସହିତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପ୍ରକ୍ରିୟାକରଣ ପାର୍କ ପ୍ରତିଷ୍ଠା କରିବ । ଭାରତ ସରକାର ଇତି ମଧ୍ୟରେ ଓଡିଶା, କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ବିରଳ ମୃତ୍ତିକା କରିଡର ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଓଡିଶାର ଗଞ୍ଜାମ ଜିଲ୍ଲାରେ ମିଳୁଥିବା ସମୁଦ୍ର ବାଲିରୁ ସଂଗୃହୀତ ହେଉଥିବା ଏହି ବିରଳ ଖଣିଜ ପଦାର୍ଥର ବେଶ୍ ଚାହିଦା ରହିଛି । ବିଶେଷକରି ଏଥିରୁ ମିଳୁଥିବା ମୋନାଜାଇଟ୍ ବିଭିନ୍ନ ଇଲେକଟ୍ରୋନିକ ସାମଗ୍ରୀ, ସେମିକଣ୍ଡକ୍ଟର, ପ୍ରତିରକ୍ଷା ସାମଗ୍ରୀରେ ଆବଶ୍ୟକ ହୋଇଥାଏ । ବର୍ତ୍ତମାନ ନିଜର ଆବଶ୍ୟକତା ପାଇଁ ଭାରତ ଏହାର ଆମଦାନୀ କରୁଛି । ଆଗାମୀ ଦିନରେ ବିରଳମୃତ୍ତିକା କରିଡର ପ୍ରତିଷ୍ଠା ସହିତ ଗଞ୍ଜାମରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପାର୍କ ପ୍ରତିଷ୍ଠା ହେଲେ ଏହିଠାରୁ ଦେଶର ଚାହିଦା ମେଣ୍ଟାଯିବା ସହିତ ବିଦେଶକୁ ମଧ୍ୟ ରପ୍ତାନି ହୋଇପାରିବ ।
କେବଳ ବିରଳ ମୃତ୍ତିକା କିମ୍ବା ପ୍ରକ୍ରିୟାକରଣ ପାର୍କ ନୁହେଁ ଓଏମ୍ସି ମଧ୍ୟ ଶକ୍ତି ଉତ୍ପାଦନ ବୃଦ୍ଧି ବିଶେଷକରି ସୌର ଶକ୍ତି ଭଳି ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ ଅର୍ଥ ବିନିଯୋଗ ପାଇଁ ମନ ବଳାଇଛି । ଏହାଦ୍ୱାରା ରାଜ୍ୟରେ ଶକ୍ତି ଉତ୍ପାଦନ ବୃଦ୍ଧି ପାଇବା ସହିତ ରାଜ୍ୟ ସରକାରଙ୍କ ଏହି ରାଷ୍ଟ୍ରାୟତ ସଂସ୍ଥା ତାହାର ବ୍ୟବସାୟର କାୟା ବିସ୍ତାର କରିପାରିବ ।
ଏହାବାଦ୍ ଓଏମ୍ସି ମଧ୍ୟ ତାହାର ଖଣିଜ କାରବାରରେ ଉନ୍ନତି ଆଣିବାପାଇଁ ରଣନୀତି ପ୍ରସ୍ତୁତ କରିଛି । ସାଉଥ୍ କାଳିଆପାଣି ଖଣିର କ୍ଷମତା ବୃଦ୍ଧି ସହିତ ଦଇତାରୀ ଲୁହାପଥର ଖଣିଜର କାୟା ବିସ୍ତାର କରିବ । ଏହି ପ୍ରକଳ୍ପରେ ଓଏମସି ବିପୁଳ ଅର୍ଥ ବିନିଯୋଗର ଲକ୍ଷ୍ୟ ରଖିଛି । ଏଥ ସହିତ କୋଇରା କାଶିରା ଓ କୋଇରା ଭଞ୍ଜପାଲିର କ୍ରୋମ ବ୍ଲକ-୧ ସ କ୍ରୋମ ବ୍ଲକ-୨କୁ ନୂତନ ଭାବେ କାର୍ଯ୍ୟକାରୀ କରିବ । ଏହି ଦୁଇ ଖଣିଜ ବ୍ଲକ ସହିତ ଶାଶୁବୋହୁମାଳି ଓ ପଶାଙ୍ଗମାଳି ଖଣିକୁ ମଧ୍ୟ କାର୍ଯ୍ୟକାରୀ କରିବ । ଏଥିପାଇଁ ଖଣି ନିଗମ ପାଖାପାଖି ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଛି ।
ଖଣିଜ ଉତ୍ତୋଳନ ବୃଦ୍ଧି ପାଇଁ ରୋଡ୍ମ୍ୟାପ୍ ସହିତ ଓଏମସି ଖଣି ଆଖପାଖ ଅଞ୍ଚଳରେ ସଡକ ନିର୍ମାଣ, ବିଭିନ୍ନ ସ୍ଥାନରେ ବ୍ୟବସାୟିକ ସୌଧ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି । ଏ କ୍ଷେତ୍ରରେ ଖଣି ନିଗମ ଆବଶ୍ୟକ ପରିମାଣର ଅର୍ଥ ବିନିଯୋଗ କରିବ । ଆସନ୍ତା ୫ବର୍ଷ ପାଇଁ ଓଏମସି ଏହିସବୁ ପ୍ରକଳ୍ପ ହାତକୁ ନେବାକୁ ଯୋଜନା କରିଥିବାବେଳେ ବଜାର ଚାହିଦା ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱଦେଇ ତାହାର ରଣନୀତି ବଦଳାଇବାରେ ଲାଗିଛି । (ତଥ୍ୟ)

