Home News in Odia ଫଳକରେ ରହିଗଲା ରମାଦେବୀ ଫୁଟ୍‍ ଓଭରବ୍ରିଜ

ଫଳକରେ ରହିଗଲା ରମାଦେବୀ ଫୁଟ୍‍ ଓଭରବ୍ରିଜ

ଭୁବନେଶ୍ୱର : ଠିକ୍‍ ୧୧ବର୍ଷ ତଳେ ଆଜିର ଦିନରେ ରାଜ୍ୟର ୫ଜଣ ମନ୍ତ୍ରୀ, ଜଣେ ସାଂସଦ, ଜଣେ ବିଧାୟକ ଏବଂ ମେୟର, ଡେପୁଟୀ ମେୟର ଓ କର୍ପୋରେଟରଙ୍କ ସମେତ ଅନ୍ୟୁନ ୧୨ଜଣ ଅତିଥିଙ୍କ ଦ୍ୱାରା ୨୦୧୧ର ସ୍ୱାୟତଶାସନ ଦିବସ ଅବସରରେ ରମାଦେବୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଫୁଟ୍‍ ଓଭରବ୍ରିଜ ନିର୍ମାଣ ପାଇଁ ଯେଉଁ ଶିଳାନ୍ୟାସ କରାଯାଇଥିଲା ତାହା ଏବେ ବତା ଓ କୀଳା ଘେରରେ ରାସ୍ତା ମଝିରେ ରହିଛି ।

ଏହାର ସାତ ପଛରେ କଳିଙ୍ଗ ଷ୍ଟାଡିୟମ ନିକଟରେ ଦୁଇଟି ଓ ତାହା ପୂର୍ବରୁ ପଲହାଇଟ୍‍ ନିକଟରେ ଗୋଟିଏ ଫୁଟ୍‍ ଓଭରବ୍ରିଜ ନିର୍ମାଣ ପାଇଁ ଅଳ୍ପ କେତେମାସ ସମୟ ଲାଗିଥିବାବେଳେ ୧୧ବର୍ଷ ଧରି ରମାଦେବୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ କାହିଁକି ଯେ ଏହା ନିର୍ମିତ ହୋଇପାରୁ ନାହିଁ ସେଥିଘେନି ଛାତ୍ରୀ, ଅଧ୍ୟାପିକା ଓ ଅଭିଭାବକମାନେ ବିସ୍ମୟ ପ୍ରକାଶ କରୁଛନ୍ତି । ଇତି ମଧ୍ୟରେ ରମାଦେବୀ ମହିଳା ମହାବିଦ୍ୟାଳୟ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ ପରିଣତ ହୋଇସାରିଛି ।

୨୦୧୧ରେ ସ୍ୱାୟତ୍ତଶାସନ ଦିବସ ଅବସରରେ ଅଗଷ୍ଟ ୩୦ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଏହି ଫୁଟ୍‍ ଓଭରବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା । ରାସ୍ତା ମଝିରେ ବତା ଘେର ମଧ୍ୟରେ ଏବେ ବି ଏହି ଶିଳାନ୍ୟାସ ଫଳକଟି ବିକୃତାକାରରେ ରହିଛି । ଏହି ଶିଳାନ୍ୟାସ ଉତ୍ସବରେ ସେତେବେଳେ ରାଜ୍ୟର ୫ଜଣ ମନ୍ତ୍ରୀ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ ସାମଲ, ଶାରଦା ପ୍ରସାଦ ନାୟକ, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୀବ ସାହୁଙ୍କ ସମେତ ସେତେବେଳର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟୀ ମେୟର ଭାରତୀ ସିଂହ, ବିଏମ୍‍ସି ୱାର୍କସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ନୃପେଶ ନାୟକ ଏବଂ ଦୁଇଜଣ ସ୍ଥାନୀୟ କର୍ପୋରେଟର ଉମାନାଥ ମିଶ୍ର ଓ ସଂଯୁକ୍ତାମୟୀ ଜେନା ଯୋଗ ଦେଇଥିବା ଖୋଦିତ ହୋଇ ରହିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗ୍ରହ କ୍ରମେ ଏହି ମହିଳା କଲେଜ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହୋଇଥିବାବେଳେ ଏକ ଡର୍ଜନ ନେତାଙ୍କ କରକମଳରେ ଫୁଟ୍‍ ଓଭର ବ୍ରିଜ ପ୍ରକଳ୍ପ କିନ୍ତୁ ଏଠାରେ ୧୧ବର୍ଷ ଧରି ନିର୍ମିତ ହୋଇପାରୁନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରାସ୍ତା ପାର ହୋଇ ଯିବାଆସିବା କରିବାବେଳେ ବାରମ୍ବାର ଛାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଦୁଇ ପାଶ୍ୱର୍ର ରାସ୍ତା ମଝିରେ ଯେଉଁ ଫାଙ୍କା ସ୍ଥାନ ରହିଥିଲା ତାହାକୁ ଏବେ ସୌନ୍ଦର୍ଯ୍ୟକରଣ ନାମରେ ବତା ପୋତି ବନ୍ଦ କରାଯାଇ ଗୋଟିଏ ଦୁଇଟି ସ୍ଥାନରେ ବାଟ ରଖାଯାଇଥିବାରୁ ଏଠାକୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ବିଭିନ୍ନ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ଅଭିଭାବକମାନେ ରାସ୍ତା ପାରି ହେବାବେଳେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ସୀମିତ ସମୟ ମଧ୍ୟରେ ସ୍ୱଚ୍ଛତାର ସହ କାର୍ଯ୍ୟ ସମ୍ପାଦନ ପାଇଁ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ବିଭିନ୍ନ ମହଲରେ ବେଶ୍‍ ପ୍ରଶଂସିତ ହେଉଥିବାବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ହେବାକୁ ଥିବା ଫୁଟ୍‍ ଓଭର ବ୍ରିଜ୍‍ ନିର୍ମାଣ ୧୧ବର୍ଷ ଧରି ହୋଇପାରୁନଥିବା ପଛରେ ବିଏମ୍‍ସିର ଅପାରଗତା ଦାୟୀ ବୋଲି ଛାତ୍ରୀମାନେ କହୁଛନ୍ତି । ଏବେ ଭୁବନେଶ୍ୱରର ମେୟର ଓ ଡେପୁଟୀ ମେୟର ମହିଳା ଥିବାବେଳେ ସ୍ଥାନୀୟ କର୍ପୋରେଟର ବି ମହିଳା । ଶିଳାନ୍ୟାସ ସମୟର ମେୟର ଏବେ ବିଧାୟକ ଏବଂ ସ୍ଥାନୀୟ ସାଂସଦ ମଧ୍ୟ ଜଣେ ମହିଳା । ଏ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଆଗାମୀ ପ୍ରତିଷ୍ଠା ଦିବସ ପୂର୍ବରୁ ଫୁଟ୍‍ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି ହେଉଛି । (ତଥ୍ୟ)