Home General ଫଳକରେ ଅଟକିଛି ରମାଦେବୀ ଫୁଟ୍‍ ଓଭରବ୍ରିଜ୍‍

ଫଳକରେ ଅଟକିଛି ରମାଦେବୀ ଫୁଟ୍‍ ଓଭରବ୍ରିଜ୍‍

ଭୁବନେଶ୍ୱର : ରମାଦେବୀ ମହିଳା କଲେଜ ସମ୍ମୁଖ ରାସ୍ତାରେ ଘଟୁଥିବା ସଡ଼କ ଦୁର୍ଘଟଣା ଏଡାଇବା ପାଇଁ ୧୨ବର୍ଷ ତଳେ ୨୦୧୧ ମସିହାର ସ୍ୱାୟତ୍ତଶାସନ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ‘ଫୁଟ୍‍ ଓଭର ବ୍ରିଜ୍‍’ ନିର୍ମାଣ ପାଇଁ ୨୦୧୧ ଅଗଷ୍ଟ ୩୦ ତାରିଖରେ ଶିଳାନ୍ୟାସ କରାଯାଇଥିଲା । ଶିଳାନ୍ୟାସ ଫଳକଟି ରାସ୍ତା ମଝିରେ ବତାବାଡ଼ ଘେରରେ ଏକପ୍ରକାର ବନ୍ଦୀ ହୋଇ ରହିଥିବାବେଳେ ଏହି ପ୍ରକଳ୍ପ କାର୍ଯ୍ୟକୁ ଶିଳାନ୍ୟାସ ପରଦିନଠାରୁ କର୍ତ୍ତୃପକ୍ଷ ଭୁଲିଯିବା ପରି ମନେହେଉଛି । ଏ ସଂକ୍ରାନ୍ତରେ ବହୁ ଛାତ୍ରୀ, ଅଭିଭାବକ ଓ ଚିନ୍ତାଶିଳବ୍ୟକ୍ତି ପୁନର୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହି ଶିଳାନ୍ୟାସ ଫଳକରେ ଅନ୍ୟୁନ ୧୨ଜଣ ଅତିଥିଙ୍କର ନାମ ଖୋଦେଇ ହୋଇ ରହିଛି । ଏମାନେ ହେଲେ ସେ ସମୟର ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ସାରଦା ପ୍ରସାଦ ନାୟକ, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୀବ ସାହୁଙ୍କ ଭଳି ମନ୍ତ୍ରୀଙ୍କ ସମେତ ସେତେବେଳର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟୀ ମେୟର ଭାରତୀ ସିଂ, ବିଏମ୍‍ସି ୱାର୍କ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରୂପେଶ କୁମାର ନାୟକ ଏବଂ ୨ଜଣ କର୍ପୋରେଟର ଉମାନାଥ ମିଶ୍ର ଓ ସଞ୍ଜୁକ୍ତାମୟୀ ଜେନା ।

ଇତିମଧ୍ୟରେ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ ଓ ସଞ୍ଜୀବ ସାହୁ ମନ୍ତ୍ରୀପଦ ହରାଇ ସାରିଥିବାବେଳେ ଶ୍ରୀ ପାଟ୍ଟଶାଣୀଙ୍କ ସ୍ଥାନରେ ଶ୍ରୀମତି ଅପରାଜିତା ଷଡଙ୍ଗୀ ଓ ବିଜୟ କୁମାର ନାୟକଙ୍କ ସ୍ଥାନରେ ଅନନ୍ତ ନାରାୟଣ ଜେନା ମଧ୍ୟ ଭୁବନେଶ୍ୱରର ବିଧାୟକ ହୋଇଛନ୍ତି । ସୁଲୋଚନା ଦାସଙ୍କ ଭଳି ବିଜେଡିର ଜଣେ ଅଗ୍ରଣୀ ନାରୀନେତ୍ରୀ ମେୟର ବି ହେଲେଣି । କିନ୍ତୁ ୧୨ବର୍ଷ ଭିତରେ ବିଏମ୍‍ସି କିମ୍ବା ରାଜ୍ୟ ସରକାର ରମାଦେବୀ କଲେଜ ସାମ୍ନାରେ ଫୁଟ୍‍ ଓଭରବ୍ରିଜ୍‍ କାମ ଆରମ୍ଭ ହୋଇନାହିଁ ।

ଏହି ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର ଦୀର୍ଘବର୍ଷ ପରେ ଜୟଦେବ ବିହାର ଛକ ପାଲ୍‍ ହାଇଟ୍ସ ନିକଟରେ ଗୋଟିଏ ଏବଂ ତାହାର ଅନତି ଦୂରରେ କଳିଙ୍ଗ ଷ୍ଟାଡିୟମ୍‍ ସମ୍ମୁଖରେ ଦୁଇଟି ଫୁଟ୍‍ ଓଭର ବ୍ରିଜ୍‍ ସୀମିତ ସମୟ ମଧ୍ୟରେ ନିର୍ମାଣ କରାଯାଇଛି । ଅଥଚ ୨୦୧୧ ମସିହାର ସ୍ୱାୟତ୍ତଶାସନ ଦିବସ ଅବସରରେ ବିଏମ୍‍ସି ୫ଜଣ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ଡେପୁଟି ମେୟର ଓ ଅନ୍ୟ କର୍ପୋରେଟରମାନଙ୍କୁ ନେଇ ଏଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରି ଶିଳାନ୍ୟାସ ଫଳକ ଉନ୍ମୋଚନ ସହିତ ଛାତ୍ରୀ, ଅଧ୍ୟାପିକା, ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ କରତାଳି ଓ ଜୟ ଜୟକାର ଧ୍ୱନିରେ ବିଭୋର ହୋଇଥିଲେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟ ଏଯାବତ୍‍ ଆରମ୍ଭ କରୁନାହାନ୍ତି ।

ଏହି ଶିଳାନ୍ୟାସ ଫଳକ ପୋତାଯିବା ପରେ ୨୦୧୫ରେ ଏହି ଅଗ୍ରଣୀ ମହିଳା ଶିକ୍ଷାନୁଷ୍ଠାନ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ଭାବେ ଉଭାହୋଇଛି । ଏହି ୧୨ବର୍ଷ ଭିତରେ ଏଠାକୁ ୨ଥର ରାଷ୍ଟ୍ରପତି ଏବଂ ଅନେକ ଥର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ବିଧାୟକ, ମେୟର ଆଦି ବାରମ୍ବାର ଆସିଛନ୍ତି । ସେମାନଙ୍କ ଯିବାଆସିବା ବାଟରେ ବିଶ୍ୱବିଦ୍ୟାଳୟର ଫାଟକ ସମ୍ମୁଖରେ ରାସ୍ତା ମଝିରେ ବତାବାଡ଼ ଘେରରେ ଥିବା ଏହି ଶିଳାନ୍ୟାସ ଫଳକ କାହା ଦୃଷ୍ଟିକୁ ଆସୁଛି କି ନାହିଁ ଜଣାନାହିଁ ।

ତେବେ ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରୀମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଚାଲିଛନ୍ତି । ୧୨ବର୍ଷ ପରେ ପୁଣି ଏବେ ବିଏମ୍‍ସି ସ୍ୱାୟତ୍ତଶାସନ ଦିବସ ପାଳନ କରିବାକୁ ଯାଉଥିବାବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଫୁଟ୍‍ ଓଭର ବ୍ରିଜ୍‍ ନିର୍ମାଣ କାର୍ଯ୍ୟ କେବେସୁଦ୍ଧା ସରିବ ସେ ସଂକ୍ରାନ୍ତରେ ଘୋଷଣା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

ବିଶେଷ କରି ରାଜ୍ୟ ସରକାର ତାଙ୍କ ‘୫-ଟି’ ମିଶନ ଓ ‘ମୋ ସରକାର’ କାର୍ଯ୍ୟକ୍ରମରେ ସମୟ ଉପରେ ଗୁରୁତ୍ୱାରୋପ କରୁଥିବାବେଳେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଅଗ୍ରଗଣ୍ୟା ସେବିକା ମା’ ରମାଦେବୀଙ୍କ ନାମରେ ନାମିତ ଏହି ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ ଫୁଟ୍‍ ଓଭରବ୍ରିଜ୍‍ ନିର୍ମାଣ କାର୍ଯ୍ୟ କିନ୍ତୁ ସରିବା ତ ଦୂରର କଥା, ଆରମ୍ଭ ହେଉନଥିବା ଯନ୍ତ୍ରଣାଦାୟକ ବୋଲି ବିଶ୍ୱବିଦ୍ୟାଳୟର ବହୁ ଛାତ୍ରୀ ଅଭିଯୋଗ କରିଛନ୍ତି । (ତଥ୍ୟ)