Home Infrastructure ପ୍ଲାଷ୍ଟିକ ପାର୍କର ଭିତ୍ତିଭୂମି କାର୍ଯ୍ୟ ସମାପ୍ତ

ପ୍ଲାଷ୍ଟିକ ପାର୍କର ଭିତ୍ତିଭୂମି କାର୍ଯ୍ୟ ସମାପ୍ତ

ନୂଆଦିଲ୍ଲୀ : ପାରାଦୀପ ଠାରେ ବହୁ ପ୍ରତୀକ୍ଷିତ ପ୍ଲାଷ୍ଟିକ୍ ପାର୍କ ପାଇଁ ଭିତ୍ତିଭୂମି ବିକାଶ ସହ ଜଡିତ କାର୍ଯ୍ୟ ପ୍ରାୟତଃ ସମାପ୍ତ ହୋଇଛି । ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।

ମନ୍ତ୍ରୀ କହିଛନ୍ତି ଯେ ଘରୋଇ ପ୍ଳାଷ୍ଟିକ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରୋତ୍ସାହିତ ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ର୍ନିମାଣ ସହିତ ଏକ ଶିଳ୍ପ ବିକାଶ ଆଭିମୁଖ୍ୟ ମା୍ମମରେ ସାଧାରଣ ସୁବିଧାକୁ ସକ୍ଷମ କରିବା ସକାଶେ ପ୍ଲାଷ୍ଟିକ ପାର୍କ ସ୍ଥାପନ ପାଇଁ ରାସାୟନିକ ଏବଂ ପେଟ୍ରୋକେମିକାଲ୍ସ ବିଭାଗ ଏହି ଯୋଜନା କାର୍ଯ୍ୟକାରୀ କରିଛି ।

ଏହି ଯୋଜନା ଅଧୀନରେ, ଭାରତ ସରକାର ପ୍ରତ୍ୟେକ ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅନୁଦାନ ଯୋଗାଇ ଦେଉଛନ୍ତି ଏବଂ ଏହାର ସର୍ବୋଚ୍ଚ ସୀମା ୪୦ କୋଟି ଟଙ୍କା ରହିଛି । ଅବଶିଷ୍ଟ ପ୍ରକଳ୍ପ ମୂଲ୍ୟ ରାଜ୍ୟ ସରକାର, ହିତାଧିକାରୀ ଶିଳ୍ପ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡିକରୁ ଋଣ ଆକାରରେ ଅଣାଯିବ ।

ବର୍ତ୍ତମାନ ପର୍ଯ୍ୟନ୍ତ ପାରାଦୀପରେ ଗୋଟିଏ ସମେତ ମୋଟ୍‍ ଆଠଟି ପ୍ଲାଷ୍ଟିକ୍ ପାର୍କକୁ ଅନୁମୋଦନ କରାଯାଇଛି ଏବଂ ଦୁଇଟି ଚୂଡ଼ାନ୍ତ ଅନୁମୋଦନ ପ୍ରକ୍ରିୟାରେ ଅଛି । ଚଳିତ ବର୍ଷ ମାର୍ଚ୍ଚରେ ପାରାଦୀପ ପ୍ଲାଷ୍ଟିକ୍ ପାର୍କର ବିକାଶ ପାଇଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍‌) ଏବଂ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (ଇଡ୍‍କୋ) ମ୍ମରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ୧୨୦ ଏକର ଜମିରେ ୧୦୬ କୋଟି ଟଙ୍କା ବ୍ୟୟରେ ପ୍ଲାଷ୍ଟିକ୍ ପାର୍କ ବିକଶିତ ହେଉଛି ।

ଏହି ପ୍ରକଳ୍ପ ବୃହତ ପିସିପିଆଇଆର (ପେଟ୍ରୋଲିୟମ କେମିକାଲ୍ସ ଏବଂ ପେଟ୍ରୋକେମିକାଲ୍ସ ଇନଭେଷ୍ଟମେଣ୍ଟ ରିଜିଅନ୍‌) ପାରାଦୀପ ଅଧୀନରେ ଅଛି । ପ୍ଲାଷ୍ଟିକ ପାର୍କ ଜାତୀୟ ରାଜପଥ ଠାରୁ ମାତ୍ର ୨.୫ କିଲୋମିଟର, ରେଳ ଷ୍ଟେସନରୁ ୩ କିଲୋମିଟର, ପାରାଦୀପ ବନ୍ଦରରୁ ୧୦ କିଲୋମିଟର ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ୧୧୫ କିଲୋମିଟର ଦୂରରେ ରହିଛି ଯାହା ଯୋଗାଯୋଗ ଦୃଷ୍ଟିରୁ ଅତି ସହଜ ।

ପାରାଦୀପ ପ୍ଲାଷ୍ଟିକ୍ ପାର୍କରେ ସହଯୋଗୀ ପଲିମର ଶିଳ୍ପରେ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ରାଜିନାମା ସ୍ୱାକ୍ଷରର ଏକ ଅଂଶ ଭାବରେ ପାରାଦୀପ ପ୍ଲାଷ୍ଟିକ ପାର୍କରେ ଅବସ୍ଥିତ ଉତ୍ପାଦନ ୟୁନିଟକୁ ୨୦୩୦ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପାରାଦୀପ ରି‘ାଇନାରୀରୁ ପଲିପ୍ରୋପିଲିନ ଗ୍ରାନୁଏଲ୍ସ ଉପରେ ଟନ୍‍ ପିଛା ୨୦୦୦ ଟଙ୍କା ପ୍ରୋତ୍ସାହନ ପ୍ରଦାନ କରାଯିବ ବୋଲି ଆଇଓସିଏଲ୍‍ ଘୋଷଣା କରିଛି ।

ଆକଳନ କରାଯାଇଛି ଯେ ପ୍ରାୟ ୨୬ଟି କାରଖାନା ପ୍ଲାଷ୍ଟିକ୍ ପାର୍କକୁ ଆସିବେ ଏବଂ ଏହା ଜରିଆରେ ଆନୁମାନିକ ୫୦୦ କୋଟି ବିନିଯୋଗ ସହିତ ୬୦୦୦ ର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରାଯାଇ ପାରିବ । (ତଥ୍ୟ)