ଭୁବନେଶ୍ୱର : ଆଜି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ରେ ଭୁବନେଶ୍ୱର ଠାରୁ ଆଲ୍ଲାବାଦ (ପ୍ରୟାଗରାଜ)-ବାରଣାସୀ ଅଭିମୁଖୀ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରାର ଶୁଭାରମ୍ଭ ହୋଇଛି । ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ଲକ୍ଷ୍ୟ ନେଇ ଯାତ୍ରା କରୁଥିବା ଏହି ତୀର୍ଥଯାତ୍ରା ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ଯାତ୍ରା କରୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ଯୋଗୁଁ ଗତ ୨ବର୍ଷରୁ ଋର୍ଦ୍ଧ୍ୱ ଧରି ବନ୍ଦ ଥିବା ବରିଷ୍ଠ ନାଗରିକମାନଙ୍କ ପାଇଁ ତୀର୍ଥଯାତ୍ରା ପୁଣି ଆରମ୍ଭ ହୋଇଛି । ଚଳିତ ବର୍ଷ ଆମେ ୭୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ବ୍ୟବସ୍ଥା କରିଛୁ । ପ୍ରୟାଗରାଜ-ବାରଣାସୀକୁ ଯାଉଥିବା ଏହି ତୀର୍ଥଯାତ୍ରୀମାନେ ଭଗବାନ ବିଶ୍ୱନାଥଙ୍କ ଦର୍ଶନ କରି ନିଜ ପାଇଁ, ପରିବାର ପାଇଁ ଓ ଓଡିଶା ପାଇଁ ବାବାଙ୍କର ଆଶୀର୍ବାଦ ନେଇ ଆସିବେ ବୋଲି କହିଥିଲେ । ବରିଷ୍ଠ ନାଗରିକଙ୍କ ପାଇଁ ଯିବା,ଆସିବା, ରହିବା, ଖାଇବା, ସ୍ୱାସ୍ଥ୍ୟସେବା ଓ ସବୁ ପ୍ରକାର ସୁବିଧା ସରକାର କରିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରି ସେମାନଙ୍କର ଯାତ୍ରାର ଶୁଭ ମନାସି ଥିଲେ ।
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରୁ ଆଦି ନିର୍ଦ୍ଧାରିତ ଦିନ ୧୨.୪୫ ମିନିଟ୍ ସମୟରେ ଛାଡିଥିଲା । ଏହି ଯାତ୍ରାରେ ଆଜି ବରିଷ୍ଠ ନାଗରିକ ଓ ସେମାନଙ୍କ ପାଇଁ ସୁରକ୍ଷା ଅଧିକାରୀମାନଙ୍କୁ ମିଶାଇ ମୋଟ ୯୮୨ ଜଣ ଯାତ୍ରୀ ଆଲ୍ଲାବାଦ( ପ୍ରୟାଗରାଜ) ଏବଂ ବାରଣାସୀକୁ ଯାତ୍ରା କରିଛନ୍ତି । ଏହି ଯୋଜନାରେ ଚୟନ କରାଯାଇଥିବା ଖୋର୍ଦ୍ଧା, ନୟାଗଡ, ପୁରୀ,କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଆଦି ୭ ଟି ଜିଲ୍ଲାରୁ ବରିଷ୍ଠ ନାଗରିକମାନେ ଏହି ତୀର୍ଥଯାତ୍ରୀମାନେ ସାମିଲ ହୋଇଛନ୍ତି ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସ୍ୱତନ୍ତ୍ର ଟ୍ରେନ୍ କୁ ଆକର୍ଷଣୀୟ ଭାବରେ ସଜ୍ଜିତ କରାଯାଇଥିଲା । ଏଠାରେ ସଂପୃକ୍ତ ବିଭିନ୍ନ ଜିଲ୍ଲାରୁ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଅତିଥି ମାନେ ଯୋଗଦେଇଥିଲେ । ନିମନ୍ତ୍ରିତ ଅତିଥିମାନେ ରେଳ ବଗି ନିକଟରେ ଫିତାକାଟି ଏବଂ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଉପଲକ୍ଷେ ଏଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦର୍ଶନ କରାଜିଥିଲା ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ, ରାଜ୍ୟ କ୍ରୀଡା, ଯୁବସେବା, ଇକେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି,ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିଃ.ର ଅଧ୍ୟକ୍ଷ ଡଃ ଲେନିନ୍ ମହାନ୍ତି, ବରିଷ୍ଟ ନାଗରିକ ତୀର୍ଥଯାତ୍ରା ଯୋଜନା କାର୍ଯ୍ୟକ୍ରମର ଉପଦେଷ୍ଟା ଶ୍ରୀ ଦୁର୍ଗା ପ୍ରସାଦ ସାମନ୍ତରାୟ ପ୍ରମୁଖ ଯୋଗଦେଇ ରାଜ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ବୋଲି ଅଭିହିତ କରିବା ସହ ସମସ୍ତ ତୀର୍ଥଯାତ୍ରୀଙ୍କୁ ସେମାନଙ୍କର ଯାତ୍ରାର ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ପ୍ରକାଶ ଥାଉକି, ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଶର ପ୍ରମୁଖ ତୀର୍ଥସ୍ଥାନ ଭ୍ରମଣ କରିବା ପାଇଁ ବରିଷ୍ଠ ନାଗରିକମାନଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୧୬ ମସିହା ଜୁଲାଇ ୨୫ ତାରିଖରୁ ଆରମ୍ଭ କରି ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ଅଦ୍ୟାବଧି ୧୫ଟି ତୀର୍ଥଯାତ୍ରାର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ୧୪,୫୦୦ଜଣ ବରିଷ୍ଠ ନାଗରିକ ବିଭିନ୍ନ ପର୍ଯ୍ୟାୟରେ ମଦୁରାଇ, ରାମେଶ୍ୱରମ, ପ୍ରୟୋଗରାଜ,ବାରଣାସୀ,ହରିଦ୍ୱାର, ଆଗ୍ରା, ମଥୁରା,ବୃନ୍ଦାବନ,ଋଷିକେଶ, ଆଜମେର, ନାଗାପଟ୍ଟିନମ୍, ତିରୁପତି, ବାଲାଜୀ, ଭେଲୋର, ଶିରିଡି, ନାସିକ, ତ୍ରୟୋମ୍ବକେଶ୍ୱର, ଭେଲନକାଟୀ, ତାଞ୍ଜାବୁର, ଦକ୍ଷିଣେଶ୍ୱରକାଳୀ, କୋଲକାତା, କାମାକ୍ଷା ଆଦି ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି ଏବଂ ପ୍ରତିଥର ହାରାହାରି ୧୦୦୦ ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରାର ସୁଯୋଗ ପାଉଛନ୍ତି ।