Home General ପ୍ରହସନ ପାଲଟିଛି ଜବରଦଖଲ ଉଚ୍ଛେଦ

ପ୍ରହସନ ପାଲଟିଛି ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର : ରାଜଧାନୀରେ ସରକାରୀ ଜମିରୁ ଜବରଦଖଲ ହଟାଇବା କାର୍ଯ୍ୟ ଏବେ ‘ଗୋଦରାର ସାରୁ କିଆରୀ କୋଡିବା’ ଭଳି ହେଲାଣି । କର୍ତ୍ତୃପକ୍ଷ ଯେତିକି ଜବରଦଖଲ ହଟାଉଛନ୍ତି ତାହାର ଦୁଇଗୁଣା ପାଖପାଖି ଲୋକେ ମାଡି ବସୁଛନ୍ତି ।

ରାଜଧାନୀରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ୨୨,୯୦୦ ଏକର ଜମି ରହିଛି । ଏଥିରୁ ପାଖାପାଖି ୫୦୦ ଏକର ଜମିକୁ ସାଧାରଣ ଲୋକେ ଓ ମାଫିଆମାନେ ମାଡି ବସିଥିବା ସରକାରୀ ହିସାବ କହୁଛି । ବାସ୍ତବ ହିସାବ ଏହାଠାରୁ ଢେର ଅଧିକ । ବାପୁଜୀନଗର ଠାରୁ ଗାଡକଣ, ପଟିଆ, ଖଣ୍ଡଗିରି, ଶିଶୁପାଳଗଡ ଆଦି ସବୁଆଡେ ସରକାରୀ ଜମି ଜବରଦଖଲ । ଏ ନେଇ ସରକାର ପ୍ରାୟ ୧୦ହଜାର ମାମଲା ରୁଜୁ କରିଛନ୍ତି ।

ତେବେ ଜମିରୁ ଜବରଦଖଲ ହଟାଇବାପାଇଁ ସାଧାରଣ ପ୍ରଶାସନ, ବିଡିଏ ଓ ବିଏମ୍‍ସି ଅଧିକାଂଶ ଦିନ ସାଙ୍ଗରେ ପୁଲିସ୍‍ ବାହିନୀ ଧରି ଦଳ ବଳ ହୋଇ ବାହାରୁଛନ୍ତି । କେଉଁଠି ବସ୍ତି ଭାଙ୍ଗୁଛନ୍ତି ତ କେଉଁଠି ମନ୍ଦିର ଉଚ୍ଛେଦ କରୁଛନ୍ତି । ତେବେ ଅସଲ ଜବରଦଖଲକାରୀଙ୍କୁ ହଟାଇବାକୁ ଏମାନଙ୍କର ଯୁ ପାଉନାହିଁ । ସରକାରଙ୍କ କୋହଳ ପଣ ଦେଖି ମୂଲ୍ୟବାନ ଜମିକୁ ମାଡି ବସିଥିବା ଜବରଦଖଲକାରୀମାନେ ପ୍ରଶାସନ ବିରୁଦ୍ଧରେ ମାମଲା ରୁଜୁ କରି ଆରାମରେ ବସିଛନ୍ତି । ମାମଲା ଛିଡୁ ନାହିଁ କି ସରକାର ବି ନିଜ ଜମିକୁ ପାଇପାରୁ ନାହାନ୍ତି ।

ଅନ୍ୟ ପଟେ ଗଢି ଉଠୁଥିବା ବସ୍ତିକୁ ଭାଙ୍ଗିବାକୁ ଯାଇ କେତେକ ସ୍ଥାନରେ ବସ୍ତିବାସିନ୍ଦାଙ୍କ ଜୋରଦାର ବିରୋଧର ସମ୍ମୁଖୀନ ସହିତ ଢେଲାମାଡ ଖାଇ ସରକାରୀ ବାବୁମାନେ ଫେରୁଛନ୍ତି । ମୁଣ୍ଡ ଉପରେ ପୌର ନିର୍ବାଚନ ଥିବାରୁ ଭଙ୍ଗାଭଙ୍ଗି କାର୍ଯ୍ୟରେ ରାଜନୈତିକ ସହାୟତା ମିଳୁନାହିଁ । ତେଣୁ ସକାଳେ ଯେଉଁଠି ଭାଙ୍ଗୁଛନ୍ତି ସଞ୍ଜରେ ପୁଣି ସେଠାରେ ଘର ଗଢି ଉଠୁଛି । ଘରଭଙ୍ଗା ଖବରର ଭିଡିଓ ଓ ଫଟୋ ଗଣମାଧ୍ୟମକୁ ପଠାଇ ବାବୁମାନେ କାମ ସାରିଦେଉଛନ୍ତି । ଏମାନେ ଯେତେ ଭାଙ୍ଗୁଛନ୍ତି ତାହାଠାରୁ ଅଧିକ ତିଆରି ହେଉଛି । ତେଣୁ ଏଠାରେ ଗୋଦାରାର ସାରୁ କିଆରି କୋଡିବା ଭଳି ଅବସ୍ଥା ।

ସେହିଭଳି ଗତ କିଛିଦିନ ହେଲା ବିଡିଏ, ବିଏମ୍‍ସି ଓ ଜିଏ ବାବୁମାନେ ପୁଲିସ୍‍ ବାହିନୀ ଧରି ସହରତଳି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚଳାଇଥିବାବେଳେ ସହର ଭିତରେ ବିଶେଷକରି ଲୋକସେବାଭବନ, ରାଜଭବନ ଆଖପାଖରେ ଥିବା ୟୁନିଟ୍‍ରେ ନୂଆ ନୂଆ ଜବରଦଖଲ ହେବାରେ ଲାଗିଛି । ଖାଲିଥିବା ସରକାରୀ ସ୍ଥାନ, ରାସ୍ତାକଡ ଜବରଦଖଲ ସରିବା ପରେ ଏବେ କନଜନଭେନ୍ସି ଉପରେ ମାଫିଆଙ୍କ ନଜର ପଡିଛି । ସେଠାରେ ବି ଘର କି ବିକିଲେଣି । ଏହାକୁ ସମେସ୍ତ ଦେଖୁଥିଲେ ବି କୌଣସି ଅକୁହା କାରଣରୁ ଆଖିବୁଜି ଦେଉଛନ୍ତି ।

ଯେଉଁଠାରୁ ଜବରଦଖଲ ଉଚ୍ଛେଦ ହେଉଛି ସେଠାରେ ‘ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି’ ଲେଖାଥିବା ଫଳକ ଲଗାଇ ସରକାରୀ ବାବୁମାନେ ଫେରିବାପରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା । ଏପରିକି ତାର ବାଡ ବୁଲିଥିବା ସରକାରୀ ଜମିକୁ ବି ଜବରଦଖଲ କରିବାକୁ ମାଫିଆମାନେ ପଛାଉ ନାହାନ୍ତି । ତେଣୁ କେବଳ ସହରତଳି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କଲେ ହେବନାହିଁ ରାସ୍ତାଘାଟ ଓ କନଜରଭେନ୍ସି ଜବରଦଖଲ ଗୁଡିକୁ ଆଇନ୍‍ଶୃଙ୍ଖଳା ସହିତ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ମୁକ୍ତ କରିବାପାଇଁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)