ଭୁବନେଶ୍ୱର: କରୋନା ପ୍ରତିରୋଧ ପାଇଁ ତୃତୀୟ ଟିକା ଭାବେ ସ୍ପୁଟନିକ-ଭି ଆଜି ଭାରତରେ ଆରମ୍ଭ ହୋଇଛି । ରୁଷିଆ ପ୍ରସ୍ତୁତ ଏହି ଟିକାକୁ ପ୍ରଥମେ ହାଇଦ୍ରାବାଦରେ ଲୋକଙ୍କୁ ଦିଆଯାଇଛି ।
ପୂର୍ବରୁ ଭାରତ ବାୟୋଟେକର କୋଭାକ୍ସିନ୍ ଓ ସିରମ୍ ଇନ୍ଷ୍ଟିଚ୍ୟୁଟ୍ର କୋଭିସିଲ୍ଡ ଲୋକଙ୍କୁ ଦିଆଯାଉଥିବା ବେଳେ ଏବେ ରୁଷିଆ ପ୍ରସ୍ତୁତ ସ୍ପୁଟନିକ-ଭି\’କୁ ଡକ୍ଟର ରେଡ୍ଡୀ କମ୍ପାନୀ ପକ୍ଷରୁ ଆଜି ଦିଆଯାଇଛି । ରୁଷିଆର ଏହି ଟିକାର ଦର ୫ ପ୍ରତିଶତ ଜିଏସଟି ସହିତ ଭାରତୀୟ ବଜାରରେ ୯୯୫ ଟଙ୍କା ଧାର୍ଯ୍ୟ ହୋଇଛି ।
ପୂର୍ବରୁ କେନ୍ଦ୍ର ସରକାର ପ୍ରଥମେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଓ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାଗଣାରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମଧ୍ୟ ଏହା ମାଗଣାରେ ମିଳୁଥିଲା ।
ତେବେ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସର ବ୍ୟକ୍ତିଙ୍କୁ ମଇ ପହିଲାରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏହାକୁ ରାଜ୍ୟ ସରକାର ଖରିଦ କରି ଲୋକଙ୍କୁ ଯୋଗାଉଛନ୍ତି । ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯାଉଥିବା ବେଳେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଲୋକଙ୍କୁ କୋଭିସିଲ୍ଡ ଦିଆଯାଉଛି ।
ତେବେ ଚାହିତା ଅନୁଯାୟୀ ଉଭୟ ଭାରତ ବାୟୋଟେକ ଓ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଟିକା ଯୋଗାଣ କରିପାରୁନଥିବାରୁ ଓଡ଼ିଶା ସରକାର ଅନ୍ତର୍ଜାତୀୟ ଟେଣ୍ଡର ଜରିଆରେ ଟିକା ଖରିଦ ଲାଗି ଘୋଷଣା କରିଛନ୍ତି । ବର୍ତ୍ତମାନ ରୁଷିଆ ପ୍ରସ୍ତୁତ ସ୍ପୁଟନିକ-ଭି\’ ଭାରତୀୟ ବଜାରରେ ପ୍ରବେଶ ସହିତ ତାହାର ଦର ଘୋଣୋ କରିଥିବାରୁ ଓଡ଼ିଶା ସରକାର ଏହାକୁ ଖରିଦ କରିବେ କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।