ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କିଏ ସେସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ବିଚିତ୍ର ଚର୍ଚ୍ଚା ଚାଲିଛି । ଶ୍ରୀମତି ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ବୋଲି ଉଭୟ ଖବରକାଗଜ ଓ ଟିଭି ଚ୍ୟାନେଲ୍ ଗୁଡିକରେ ଉଲ୍ଲେଖ କରାଯିବା ପରେ କେତେକ ବ୍ୟକ୍ତି ଏହା ଉପରେ ପ୍ରଶ୍ନବାଚୀ ଉଠାଇ ସାମ୍ବାଦିକମାନଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବାରେ ଲାଗିଛନ୍ତି । ସାମାଜିକ ଗଣମାଧ୍ୟମରେ କେତେକ ସୂତ୍ରରେ ସରଳା ଦେବୀଙ୍କୁ ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ଭାବେ ଉଲ୍ଲେଖ କରାଯାଇଥିବାରୁ ସେହି ତଥ୍ୟକୁ ଆଧାର କରି ଏବଂ ଆଉ କେତେକ ତ୍ରୁଟିପୂର୍ଣ୍ଣ ନିବନ୍ଧ ଭିତ୍ତିରେ ‘ସ୍ମାର୍ଟ’ ଫୋନ୍ଧାରୀ କିଛି ବ୍ୟକ୍ତିବିଶେଷ ଏଭଳି ‘ଡାର୍ଟ’ ବକ୍ତବ୍ୟ ଯୁଦ୍ଧ ସାମାଜିକ ଗଣମାଧ୍ୟମରେ ଚଳାଇଛନ୍ତି ।
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ୧୯୩୬ ଏପ୍ରିଲ ପହିଲାରେ ଗଠିତ ହେବାପରେ ୧୯୩୭ ମସିହାରେ ୬୦ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାର ୫୬ଟି ଆସନ ପାଇଁ ନିର୍ବାଚନ ହୋଇଥିଲା । ସେତେବେଳେ ୪ଟି ଆସନ ମନୋନୀତ ପ୍ରାର୍ଥୀଙ୍କ ପାଇଁ ରହିଥିବାବେଳେ ଶ୍ରମିକମାନଙ୍କ ପାଇଁ ଗୋଟିଏ, ଜମିଦାରମାନଙ୍କ ପାଇଁ ୨ଟି, ବାଣିଜ୍ୟ ଓ ଶିଳ୍ପ ପାଇଁ ଗୋଟିଏ, ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟମାନଙ୍କ ପାଇଁ ଗୋଟିଏ, ମୁସଲମାନମାନଙ୍କ ପାଇଁ ୪ଟି, ମହିଳାଙ୍କ ପାଇଁ ୨ଟି ଆସନ ସଂରକ୍ଷଣ ଥିଲା । ଏହାଛଡ଼ା ତଫସିଲଭୁକ୍ତ ଜାତି ଲାଗି ୪ଟି ଆସନ ରହିଥିଲା ଏବଂ ଏହି ବର୍ଗର ପ୍ରାର୍ଥୀମାନେ ଯୁଗ୍ମ ନିର୍ବାଚନମଣ୍ଡଳୀରୁ ଆସୁଥିଲେ । ସେ ସମୟରେ ତଫସିଲଭୁକ୍ତ ଜନଜାତିବର୍ଗଙ୍କ ପାଇଁ ଆସନ ସଂରକ୍ଷଣ ନଥିଲା ।
ତଥ୍ୟ ମୁତାବକ ମହିଳାମାନଙ୍କ ପାଇଁ ଥିବା ଦୁଇଟି ସଂରକ୍ଷିତ ଆସନରୁ ଶ୍ରୀମତି ସରଳା ଦେବୀ ଓ ଶ୍ରୀମତି ଏ. ଲକ୍ଷ୍ମୀବାଇ ଜିଣିଥିଲେ । ପ୍ରଥମ ବିଧାନସଭାର ବାଚସ୍ପତି ଥିଲେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମୁକୁନ୍ଦ ପ୍ରସାଦ ଦାସ । ତାଙ୍କ କାର୍ଯ୍ୟକାଳ ୧୯୪୬ ପର୍ଯ୍ୟନ୍ତ ରହିଥିଲା । ତାଙ୍କ ପରେ ଲାଲମୋହନ ପଟ୍ଟନାୟକ, ନନ୍ଦକିଶୋର ଦାସ, ନୀଳକଣ୍ଠ ଦାସ, ଲିଙ୍ଗରାଜ ପାଣିଗ୍ରାହୀ, ନନ୍ଦକିଶୋର ମିଶ୍ର, ବ୍ରଜମୋହନ ମହାନ୍ତି, ସତ୍ୟପ୍ରିୟ ମହାନ୍ତି, ସୋମନାଥ ରଥ, ପ୍ରସନ୍ନ କୁମାର ଦାସ, ଯୁଧିଷ୍ଠିର ଦାସ, କିଶୋର ଚନ୍ଦ୍ର ପଟେଲ, ଚିନ୍ତାମଣି ଦ୍ୟାନ ସାମନ୍ତରା, ଶରତ କୁମାର କର, ମହେଶ୍ୱର ମହାନ୍ତି, ପ୍ରହଲ୍ଲାଦ ଦୋରା, କିଶୋର କୁମାର ମହାନ୍ତି, ପ୍ରଦୀପ କୁମାର ଅମାତ, ନିରଞ୍ଜନ ପୂଜାରୀ, ପ୍ରଦୀପ କୁମାର ଅମାତ, ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ ପ୍ରମୁଖ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ । ଶ୍ରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବାପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଏହି ଦାୟିତ୍ୱରେ ଥିଲେ । ୨୨ ସେପ୍ଟେମ୍ବର ୨୦୨୩ରେ ପ୍ରମିଳା ମଲ୍ଲିକ ନିଦ୍ୱର୍ନ୍ଦ୍ୱରେ ବାଚସ୍ପତି ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏ ପରିପ୍ରେକ୍ଷୀରେ ଶ୍ରୀମତି ମଲ୍ଲିକ ହେଉଛନ୍ତି ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।
ତେବେ ଇଣ୍ଟରନେଟ୍ରେ ଉପଲବ୍ଧ ତ୍ରୁଟିପୂର୍ଣ୍ଣ ତଥ୍ୟରେ ଶ୍ରୀମତି ସରଳା ଦେବୀଙ୍କୁ ପ୍ରଥମ ମହିଳା ବାଚସ୍ପତି ଭାବେ ଉଲ୍ଲେଖ କରାଯିବା ସହ ସେ ୧-୪-୧୯୩୬ରେ ବିଧାନସଭା ସଦସ୍ୟା ହୋଇଥିଲେ ବୋଲି କୁହାଯାଇଛି । ଏହି ତଥ୍ୟର ସତ୍ୟାସତ୍ୟ ଅନୁଧ୍ୟାନ ନକରି ସାମାଜିକ ଗଣମାଧ୍ୟମରେ ବହୁ ବ୍ୟକ୍ତିବିଶେଷ ବିଚିତ୍ର ବିବୃତିମାନ ଦେଉଛନ୍ତି । ତେବେ ଓଡ଼ିଶାର ପ୍ରଥମ ବିଧାନସଭାରେ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସ ଅଧିଷ୍ଠାତାମଣ୍ଡଳୀର ଅନ୍ୟତମ ସଦସ୍ୟା ଭାବେ ସରଳା ଦେବୀଙ୍କ ନାମ ଘୋଷଣା କରିଥିଲେ ଏବଂ ତଦନୁଯାୟୀ ସେ ବିଧାନସଭାରେ ଅନେକ ଥର ଅଧ୍ୟକ୍ଷତା କରିଛନ୍ତି ।
ଇଣ୍ଟରନେଟ୍ରେ କେବଳ ସରଳାଦେବୀଙ୍କ ସମ୍ପର୍କରେ ନୁହେଁ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ବି ତ୍ରୁଟିପୂର୍ଣ୍ଣ ତଥ୍ୟ ରହିଛି । ଯେଉଁ ଉତ୍ସ ସରଳା ଦେବୀଙ୍କୁ ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ବୋଲି ଉଲ୍ଲେଖ କରିଛି ସେହି ଉତ୍ସ ନବୀନ ପଟ୍ଟନାୟକ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରୁ ୧୨ ଏପ୍ରିଲ ୧୯୯୭ରେ ନିର୍ବାଚିତ ହୋଇଥିବା ଦର୍ଶାଇଛି । ଆସ୍କାର ସାଂସଦ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ୧୯୯୭ ଏପ୍ରିଲ ୧୭ ତାରିଖରେ ହୋଇଥିଲା ଓ ତାହାପରେ ହୋଇଥିବା ଉପନିର୍ବାଚନରେ ନବୀନ ପଟ୍ଟନାୟକ ବିଜୟୀ ହୋଇଥିଲେ । ତେବେ ଦୀର୍ଘବର୍ଷ ଧରି ସରଳା ଦେବୀ ଓ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଏହି ପ୍ଲାଟ୍ଫର୍ମରେ ତ୍ରୁଟିପୂର୍ଣ୍ଣ ତଥ୍ୟ ରହିଥିବାବେଳେ ଇଣ୍ଟରନେଟ୍, ଗୁଗୁଲ୍, ୱିକ୍ପେଡିଆ ଆଦି ଉପରେ ନିର୍ଭର କରୁଥିବା ବ୍ୟକ୍ତିବିଶେଷ ଭୁଲ୍କୁ ଠିକ୍ ବୋଲି ଭାବୁଛନ୍ତି । (ତଥ୍ୟ)