Home Finance ବଢୁଛି ରାଜସ୍ୱ ଆଦାୟ

ବଢୁଛି ରାଜସ୍ୱ ଆଦାୟ

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ମାସ ଶେଷ ସୁଦ୍ଧା ରାଜ୍ୟର ରାଜସ୍ୱ ଆଦାୟ ପରିମାଣ ଗତବର୍ଷର ଏହି ସମୟ ତୁଳନାରେ ୧୨.୯ ପ୍ରତିଶତ ଅଧିକ ରହିଛି । ସୂଚନା ଅନୁଯାୟୀ ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ମୋଟ୍‍ ୪୧,୨୩୧ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି ଯାହାକି ବାର୍ଷିକ ବଜେଟ୍‍ ଆକଳନର ୩୯ ପ୍ରତିଶତ । ଗତବର୍ଷ ଏପ୍ରିଲ୍‍ରୁ ଅଗଷ୍ଟ ମାସ ମଧ୍ୟରେ ରାଜସ୍ୱ ବାବଦରେ ୩୬,୫୧୦ କୋଟି ଟଙ୍କା ଆଦାୟ ହୋଇଥିଲା ।

୨୦୨୩-୨୪ ବର୍ଷରେ ରାଜ୍ୟର ନିଜସ୍ୱ ରାଜସ୍ୱ ଆଦାୟରେ ଗତବର୍ଷ ତୁଳନାରେ ରେକର୍ଡ ପରିମାଣର ୧୪.୪ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଆର୍ଥିକ ବର୍ଷର ଅଗଷ୍ଟ ଶେଷ ସୁଦ୍ଧା ୨୦,୧୩୧ କୋଟି ଟଙ୍କାର ନିଜସ୍ୱ ରାଜସ୍ୱ ଆଦାୟ ହୋଇଛି ଯାହାକି ବଜେଟ୍‍ ଆକଳନର ୩୮ ପ୍ରତିଶତ । ଗତବର୍ଷ ଏହି ସମୟ ମଧ୍ୟରେ ନିଜସ୍ୱ ରାଜସ୍ୱ ବାବଦରେ ୧୭,୫୮୭ କୋଟି ଟଙ୍କା ଆଦାୟ ହୋଇଥିଲା ।

ଅନୁରୂପ ଭାବେ ଅଗଷ୍ଟ ଶେଷ ସୁଦ୍ଧା ନିଜସ୍ୱ ଅଣଟିକସ ରାଜସ୍ୱ ବାବଦରେ ୨୧,୧୦୦ କୋଟି ଟଙ୍କା ଆଦାୟ ହୋଇଛି ଯାହାକି ବଜେଟ୍‍ ଆକଳନର ୪୦.୨ ପ୍ରତିଶତ । ୨୦୨୨-୨୩ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ନିଜସ୍ୱ ଅଣଟିକସ ରାଜସ୍ୱ ଆଦାୟ ପରିମାଣରେ ୧୧.୫ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଗତ ଆର୍ଥିକ ବର୍ଷରେ ଏହି ସମୟରେ ୧୮,୯୨୩ କୋଟି ଟଙ୍କାର ଅଣ ଟିକସ ରାଜସ୍ୱ ଆଦାୟ ହୋଇଥିଲା ।

ସେହିଭଳି ଅଗଷ୍ଟ ଶେଷ ସୁଦ୍ଧା ଖଣି ରାଜସ୍ୱ ଆଦାୟରେ ୨.୮ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଅଗଷ୍ଟ ଶେଷ ସୁଦ୍ଧା ଖଣି କ୍ଷେତ୍ରରୁ ୧୭,୨୫୦ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଗତବର୍ଷ ଏହି ସମୟରେ ୧୬,୭୮୪ କୋଟି ଟଙ୍କା ଆଦାୟ ହୋଇଥିଲା । ଅଂଶଧନ ଟିକସ ବାବଦରେ ଚଳିତବର୍ଷ ଅଗଷ୍ଟ ଶେଷ ସୁଦ୍ଧା ୧୭,୩୧୯ କୋଟି ଟଙ୍କା ମିଳିଛି ଯାହା କି ୨୦୨୩-୨୪ ବଜେଟ୍‍ ଆକଳନର ୩୭.୫ ପ୍ରତିଶତ । ଗତବର୍ଷର ଏହି ସମୟ ତୁଳନାରେ ଏହା ୨୦.୪ ପ୍ରତିଶତ ଅଧିକ ରହିଛି । ଅଗଷ୍ଟ ଶେଷ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ବାବଦରେ ୬୨୧୬ କୋଟି ଟଙ୍କା ମିଳିଛି ଯାହା କି ଗତବର୍ଷ ତୁଳନାରେ ୭୭.୯ ପ୍ରତିଶତ ଅଧିକ ରହିଛି ।

ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ବଜେଟ୍‍ ଆକଳନ ଅନୁଯାୟୀ କେନ୍ଦ୍ରୀୟ ଅନୁଦାନର ୧୮.୯ ପ୍ରତିଶତ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । ଉଭୟ କେନ୍ଦ୍ରୀୟ ଅଂଶଧନ ଓ ଅନୁଦାନ ବାବଦରେ ଅଗଷ୍ଟ ଶେଷ ସୁଦ୍ଧା କେନ୍ଦ୍ର ସରକାର ୨୩,୫୩୫ କୋଟି ଟଙ୍କା ଦେଇଛନ୍ତି ଯାହା କି ବଜେଟ୍‍ ଆକଳନର ୨୯.୮ ପ୍ରତିଶତ । ତେବେ ଅଗଷ୍ଟ ଶେଷ ସୁଦ୍ଧା ଉଭୟ ଯୋଜନା ବ୍ୟୟ ଓ ପ୍ରଶାସନିକ ବ୍ୟୟ ବାବଦରେ ରାଜ୍ୟ ସରକାର ୬୦.୫୧୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଗତବର୍ଷର ଏହି ସମୟ ତୁଳନାରେ ୩୯ ପ୍ରତିଶତ ଅଧିକ ଅର୍ଥ ବ୍ୟୟ ହୋଇଛି । କେବଳ ଅଗଷ୍ଟ ଶେଷ ସୁଦ୍ଧା ଯୋଜନା ବ୍ୟୟ ବାବଦରେ କେବଳ ୩୪,୩୦୩ କୋଟି ଟଙ୍କା ବ୍ୟୟ ହୋଇଛି । (ତଥ୍ୟ)