Home General ପ୍ରତିଯୋଗିତାରେ ପଛରେ ପଡୁଛି ଓମଫେଡ୍‍

ପ୍ରତିଯୋଗିତାରେ ପଛରେ ପଡୁଛି ଓମଫେଡ୍‍

ଭୁବନେଶ୍ୱର : ରାଜ୍ୟରେ ଦୁଗ୍ଧ ସଂଗ୍ରହ ପ୍ରକ୍ରିୟାରେ ଘରୋଇ କମ୍ପାନୀଗୁଡିକ ପ୍ରତିଯୋଗିତା ଚଳାଇଥିବାବେଳେ ଓମଫେଡ୍‍ ଏକ୍ଷେତ୍ରରେ ପଛରେ ପଡିବାରେ ଲାଗିଛି । ଏଭଳି ଅବସ୍ଥା ଜାରି ରହିଲେ ସରକାରଙ୍କ ଅଧିନରେ ଥିବା ଏହି ସମବାୟ ସଂସ୍ଥାଟି ଦେବାଳିଆ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି ।

ରାଜ୍ୟରେ ଏବେ ଓମଫେଡ୍‍କୁ ମିଶାଇ ୭ଟି ସଂସ୍ଥା ଦୁଗ୍ଧ ସଂଗ୍ରହ କରୁଥିବାବେଳେ ଜାତୀୟ ସ୍ତରର ଅମୁଲ ଏବେ ଦୁଗ୍ଧ ସଂଗ୍ରହରେ ସାମିଲ ହେବାକୁ ଯାଉଛି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଦୁଗ୍ଧ ସଂଗ୍ରହ କରୁଥିବା ସଂସ୍ଥାଗୁଡିକ ମଧ୍ୟରେ ଗୋଟିଏ ବିହାରର ଓ ଅନ୍ୟ ଦୁଇଟି ଆନ୍ଧ୍ରପ୍ରଦେଶର । ଓଡିଶାର ୩ଟି ଘରୋଇ ସଂସ୍ଥା ଦୁଗ୍ଧ ସଂଗ୍ରହରେ ଲାଗିଛନ୍ତି । ତେବେ ଗୁଜୁରାଟ ସ୍ଥିତ ଅମୁଲ ଏବେ ଓଡିଶାରୁ ଦୁଗ୍ଧ ସଂଗ୍ରହ ପାଇଁ ଏଜେଣ୍ଟ ନିଯୁକ୍ତି ସହିତ କିଓସ୍କ ଖୋଲିବା ପ୍ରକ୍ରିୟା ଜାରି ରଖିଛି । ଅମୁଲ ଦୁଗ୍ଧ ସଂଗ୍ରହ ଆରମ୍ଭ କଲେ ଏହାର ସିଧାସଳଖ ପ୍ରଭାବ ଓମଫେଡ୍‍ ଉପରେ ପଡିବ ବୋଲି ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା କହିଛନ୍ତି ।

ରାଜ୍ୟରୁ ଦୁଗ୍ଧ ସଂଗ୍ରହ କରୁଥିବା ବେସରକାରୀ ସଂସ୍ଥାଗୁଡିକ ଅଧିକରୁ ଅଧିକ କ୍ଷୀର ସଂଗ୍ରହପାଇଁ ଏଜେଣ୍ଟମାନଙ୍କୁ ଅଧିକ କମିଶନି ଦେବା ସହିତ ଏବେ ବାର୍ଷିକ ଉପହାର ଯୋଜନା ପ୍ରଚଳନ କରିବାକୁ ଯାଉଛନ୍ତି । ତେଣୁ ଓମଫେଡ୍‍ର ଅଧିକାଂଶ ଏଜେଣ୍ଟ ଏବେ ନିଜେ କିମ୍ବା ନିଜ ପରିବାର ସଦସ୍ୟଙ୍କୁ ଘରୋଇ କମ୍ପାନୀର କ୍ଷୀର ସଂଗ୍ରହ ପ୍ରକ୍ରିୟାରେ ନିୟୋଜିତ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଘରୋଇ ସଂସ୍ଥାଗୁଡିକ ଦୁଗ୍ଧ ସଂଗ୍ରହ କରୁଥିବା ଏଜେଣ୍ଟମାନଙ୍କୁ ଲିଟର ପିଛା ୮୦ପଇସାରୁ ଏକ ଟଙ୍କା କମିଶନି ଦେଉଥିବାବେଳେ ଓମଫେଡ୍‍ର କମିଶନି ପରିମାଣ ରହିଛି ଲିଟର ପିଛା ୧୫ ପଇସା । ଏହି ଅର୍ଥ ପୁଣି ନିୟମିତ ବଦଳରେ ବର୍ଷକୁ ଥରେ ଦିଆଯିବ ବୋଲି କୁହାଗଲାଣି । ତେଣୁ ଏଜେଣ୍ଟମାନେ ଏବେ ଓମ୍‍ଫେଡ ଲାଗି ଦୁଗ୍ଧ ସଂଗ୍ରହ ପାଇଁ ଧିରେ ଧିରେ ବିମୁଖ ହେବାରେ ଲାଗିଛନ୍ତି, ଯାହାର ଫାଇଦା ଘରୋଇ କମ୍ପାନୀମାନେ ଉଠାଉଛନ୍ତି ।

କେବଳ ଏଜେଣ୍ଟଙ୍କୁ କମଶନି ନୁହେଁ, ଘରୋଇ ସଂସ୍ଥାଗୁଡିକ ଚାଷୀମାନଙ୍କୁ ବିଭିନ୍ନ ସମୟରେ ଗାଈ ଗୋରୁଙ୍କ ଔଷଧ ଓ ଗୋଖାଦ୍ୟ ଖରିଦ ଲାଗି ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ଏହାଦ୍ୱାରା ସେମାନେ ଗାଁ ଗହଳରୁ ଦିନକୁ ଦିନ ଅଧିକ ପରିମାଣରେ ଦୁଗ୍ଧ ସଂଗ୍ରହ କରିବାରେ ଲାଗିଛନ୍ତି । ଏବେ ଅମୁଲ ଆସିବାପରେ ପ୍ରତିଦ୍ୱନ୍ଦିତା ଆହୁରି ବଢିବା ସହିତ ଏଜେଣ୍ଟ ଓ ଚାଷୀଙ୍କୁ ନିଜ ପଟକୁ ଆଣିବାପାଇଁ ଉଦ୍ୟମ ଜୋରଦାର ହେବ । ଏଭଳି ସ୍ଥିତିରେ ଗୋପାଳନ ଦ୍ୱାରା ଗାଁ ଗହଳର ଲୋକଙ୍କ ଆର୍ଥିକ ବିକାଶ ପାଇଁ ୧୯୮୦ ମସିହାରେ ଗଠନ ହୋଇଥିବା ସମବାୟ ସଂସ୍ଥା ଓମଫେଡ୍‍ ଖୁବ୍‍ଶୀଘ୍ର ଦେବାଳିଆ ହୋଇଯିବ ବୋଲି ଶ୍ରୀ ବେହେରା ଆଶଙ୍କା ପ୍ରକାଶ କରିଛନ୍ତି ।