Home Judiciary ପ୍ରତିପକ୍ଷଙ୍କୁ ନଶୁଣିଲେ ସରକାର ଅପିଲ କରିପାରିବେ

ପ୍ରତିପକ୍ଷଙ୍କୁ ନଶୁଣିଲେ ସରକାର ଅପିଲ କରିପାରିବେ

ଭୁବନେଶ୍ୱର : ପ୍ରତିପକ୍ଷଙ୍କୁ ଜବାବ ଦାଖଲ ଲାଗି ସୁଯୋଗ ନଦେଇ ଓଡିଶା ହାଇକୋର୍ଟର ଜଣିକିଆ ବେଞ୍ଚ ଯେଉଁସବୁ ମାମଲାରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ତାହା ବିରୁଦ୍ଧରେ ସରକାର ଅପିଲ୍‍ କରିପାରିବେ । ଏ ସଂକ୍ରାନ୍ତରେ ସମସ୍ତ ବିଭାଗକୁ ଜଣାଇ ଦିଆଯାଇଛି ।

ଏଠାରେ ଉଲ୍ଲେଖନୀୟ ଯେ ସୁପ୍ରିମ୍‍କୋର୍ଟଙ୍କ ଏକ ସାମ୍ବିଧାନିକ ବେଞ୍ଚ ଉମାଦେବୀ ମାମଲାରେ ଯେଉଁ ନୀତି ନିର୍ଦ୍ଧାରଣ କରିଥିଲେ ତାହାରି ଆଧାରରେ ପୂର୍ବରୁ ଓଡିଶା ହାଇକୋର୍ଟର ଏକ ଜଣିକିଆ ବେଞ୍ଚ ସମ୍ପୃକ୍ତ ଆବେଦନକାରୀଙ୍କୁ ନିୟମିତ କରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ମାମଲାକୁ ଭିତ୍ତି କରି କିଛିଦିନ ତଳେ ଓଡିଶା ହାଇକୋର୍ଟରେ ଆଉଗୋଟିଏ ଜଣିକିଆ ବେଞ୍ଚ ରାଜ୍ୟ ସରକାରଙ୍କୁ ଅସ୍ଥାୟୀ କର୍ମଚାରୀଙ୍କୁ ଅନନ୍ତ ବଣିଆ ନାମକ ଜଣେ ଆବେଦନକାରୀ ରୁଜୁ କରିଥିବା ମାମଲାରେ ତାଙ୍କୁ ସ୍ଥାୟୀ କରିବା ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଥିଲେ । ତେବେ ଉଭୟ ମାମଲାରେ ସରକାରଙ୍କୁ ଉତ୍ତର ଦାଖଲ କରିବାପାଇଁ ସୁଯୋଗ ନଦେଇ ହାଇକୋର୍ଟର ଜଣିକିଆ ବେଞ୍ଚ ପ୍ରଥମ ତାରିଖରେ ହିଁ ମାମଲା ଫଏସଲା କରିଥିଲେ ।

ଏ ପ୍ରସଙ୍ଗରେ ଆଡଭୋକେଟ ଜେନେରାଲଙ୍କ ଦପ୍ତରର ଜଣେ ଅତିରିକ୍ତ ସରକାରୀ ଓକିଲ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠିଲେଖି ଅନୁରୂପ ଜଣିକିଆ ବେଞ୍ଚର ଆଦେଶନାମା ବିରୁଦ୍ଧରେ ଓଡିଶା ହାଇକୋର୍ଟରେ ଦୁଇ ଜଣିଆ ବେଞ୍ଚରେ ସରକାରଙ୍କ ପକ୍ଷରୁ ମାମଲା ରୁଜୁ କରିବାକୁ ସୂଚାଇଛନ୍ତି ।

ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‍.ମୁରଲୀଧର ଓ ଅନ୍ୟତମ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କ ପକ୍ଷରୁ ରୁଜୁ ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣି ପୂର୍ବରୁ ଜଣିକିଆ ବେଞ୍ଚ ଦେଇଥିବା ନିର୍ଦ୍ଦେଶନାମାକୁ ନାକଚ କରିଦେବା ସହ ପ୍ରତିପକ୍ଷଙ୍କୁ ଉତ୍ତର ଦେବାପାଇଁ ସୁଯୋଗ ନଦେଇ ପ୍ରଥମ ତାରିଖରେ ଏଭଳି ଫଏସଲା କରିବା ଠିକ୍‍ ହୋଇନାହିଁ ବୋଲି ମତ ଦେଇଛନ୍ତି ।

ଏହାଛଡା ଦୁଇ ଜଣିଆ ଖଣ୍ଡପୀଠ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ମାମଲାର ଫଏସଲା ଜଣିକିଆ ବେଞ୍ଚରେ କରିବାକୁ ଓ ତାହା ପୂର୍ବରୁ ସରକାର ତାଙ୍କର ଉତ୍ତର ଦାଖଲ କରିବାପାଇଁ ମଧ୍ୟ କହିଛନ୍ତି । ଏହି ଦୁଇଜଣିଆ ଖଣ୍ଡପୀଠର ରାୟ ଆସିବାପରେ ଏ ସଂକ୍ରାନ୍ତରେ ସମସ୍ତ ବିଭାଗର ସଚିବମାନଙ୍କୁ କର୍ତ୍ତୃପକ୍ଷ ଅବହିତ କରାଇଛନ୍ତି । ଯଦି ଅନ୍ୟ କୌଣସି ମାମଲାରେ ଏପରି ଘଟିଥାଏ ତେବେ ହାଇକୋର୍ଟର ଜଣିକିଆ ବେଞ୍ଚଙ୍କ ନିର୍ଦ୍ଦେଶକୁ କର୍ତ୍ତୃପକ୍ଷ ଦୁଇ ଜଣିଆ ଖଣ୍ଡପୀଠ ନିକଟରେ ଚ୍ୟାଲେଞ୍ଜ କରିପାରିବେ ବୋଲି ଏଥିରେ ସୂଚନା ଦିଆଯାଇଛି ।

ଏହି ପତ୍ର ମିଳିବାପରେ ଏବେ ବିଭିନ୍ନ ବିଭାଗରେ ମାମଲାର ପ୍ରଥମ ତାରିଖରେ ସରକାରଙ୍କୁ ଉତ୍ତର ଦାଖଲ କରିବାକୁ ସୁଯୋଗ ନଦେଇ ଯେତେ ସବୁ ଘଟଣାରେ ପ୍ରତିକୂଳ ନିର୍ଦ୍ଦେଶନାମା ଆସିଛି ସେଗୁଡିକ ବିରୁଦ୍ଧରେ ଖଣ୍ଡପୀଠରେ ଆବେଦନ କରିବା ସଂକ୍ରାନ୍ତରେ ଚର୍ଚ୍ଚା ଚାଲିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । (ତଥ୍ୟ)