Home Administration ପୌର ପ୍ରତିନିଧିଙ୍କୁ ପ୍ରଶିକ୍ଷଣ

ପୌର ପ୍ରତିନିଧିଙ୍କୁ ପ୍ରଶିକ୍ଷଣ

ଭୁବନେଶ୍ଵର :  ଆଜି ନିର୍ବାଚିତ ପୌର ପ୍ରତିନିଧିଙ୍କ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ କଟକ ,ଢେଙ୍କାନାଳ,ଯାଜପୁର,ଜଗତସିଂହପୁର ତଥା କେନ୍ଦ୍ରାପଡ଼ା ଆଦି ପାଞ୍ଚଟି ଜିଲ୍ଲାର ୧୨ଟି  ପୌର ସଂସ୍ଥାର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ କାଉନସିଲର୍ ମାନେ ଯୋଗ ଦେଇଥିଲେ।

ମନ୍ତ୍ରୀ ଉପସ୍ଥିତ ନିର୍ବାଚିତ ପୌର ପ୍ରତିନିଧିଙ୍କୁ ‘ସିଟି ଲିଡ଼ର୍ସ’ ରୂପେ ଦର୍ଶାଇବା ସହ ସେମାନେ ଲୋକଙ୍କ ଦ୍ଵାରା ନିର୍ବାଚିତ ଏବଂ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ଲୋକାଭିମୁଖୀ ହୋଇଥିବାରୁ ସେମାନେ ଆଖି ଓ କାନ ସଦୃଶ ସହରାଞ୍ଚଳ ବିକାଶ ନିମନ୍ତେ ସରକାରଙ୍କୁ ସକାରାତ୍ମକ ପରାମର୍ଶ ଦେବା ଉଚିତ ବୋଲି କହିଥିଲେ । ଆମ ସମସ୍ତଙ୍କ ସମ୍ମିଳିତ ଉଦ୍ୟମରେ ଉନ୍ନୟନମୂଳକ ଯୋଜନା ମାନ ତ୍ୱରାନ୍ୱିତ ହେବା ସହ ‘ଅର୍ବାନ୍ ଓଡ଼ିଶା’ ର ରୂପାନ୍ତରଣ ସାକାର ହେବ ବୋଲି ସେ ମତପ୍ରକାଶ କରିଥିଲେ । ବିକେନ୍ଦ୍ରୀକରଣ ଓ ଗୋଷ୍ଠୀ ସହଭାଗିତା ସହରାଞ୍ଚଳ ସୁଶାସନର ଦୁଇ ଚକ୍ଷୁ ସଦୃଶ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉକ୍ତି ଦୋହରାଇବା ସହ ତାଙ୍କ ପ୍ରବର୍ତ୍ତିତ ଫାଇଭ୍ ଟି ମନ୍ତ୍ରରେ ଅନୁପ୍ରାଣିତ ହୋଇ ଗୋଷ୍ଠୀ ନେତୃତ୍ୱରେ ପରିଚାଳିତ ପ୍ରମୁଖ ଉଦ୍ୟମ ମାନ ଓଡ଼ିଶା ପାଇଁ ଆହୁରି ଗୌରବ ଆଣିବ ବୋଲି ସେ ଗୁରୁତ୍ଵ ଆରୋପ କରିଥିଲେ।

ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ ନଗର ଉନ୍ନୟନ କ୍ଷେତ୍ରରେ ଅଗ୍ରଗତି ଆଣିଥିବା ସମସ୍ତ ନିର୍ମାଣ କାର୍ଯ୍ୟରେ ସ୍ଵଚ୍ଛତା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରତିନିଧି ମାନଙ୍କ ଐକାନ୍ତିକ ଉଦ୍ୟମ ଉପରେ ଜୋର୍ ଦେଇଥିଲେ। ସେ କହିଥିଲେ ଯେ  ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ବର୍ତ୍ତମାନ ପରିପ୍ରେକ୍ଷୀରେ ଏକ ଦ୍ରୁତ ବିକାଶଶୀଳ ବିଭାଗ ରୂପେ ନାଗରିକ ମାନଙ୍କର ଆଶା ଓ ଆକାଂକ୍ଷା ପରିପୂରଣ ନିମନ୍ତେ ନିରନ୍ତର ଉଦ୍ୟମ କରିବା ସହ ମିଶନ୍ ଶକ୍ତି ଓ ଟ୍ରାନ୍ସଜେଣ୍ଡର୍ ଗୋଷ୍ଠୀ, ବସ୍ତି ବାସିନ୍ଦା ସଂଘ ଆଦି ଙ୍କ ସହଭାଗିତାରେ ୭୧୦୦ କୋଟି ଟଙ୍କା ବ୍ୟୟ ବରାଦରେ ଯୋଜନା ମାନ ରୂପାୟିତ କରୁଛି ବୋଲି କହିଥିଲେ।

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ତଥା ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡ଼ା) ର ନିର୍ଦ୍ଦେଶକ ଶ୍ରୀ ଶାରଦା ପ୍ରସାଦ ପଣ୍ଡା ସମବେତ ପ୍ରତିନିଧିଙ୍କୁ ସମ୍ବୋଧିତ କରି ଦକ୍ଷତା ବିକାଶ ଦିଗରେ ବିଭାଗ ହାତକୁ ନେଇଥିବା ସମୟୋପଯୋଗୀ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ମିଶନ୍ ଶକ୍ତି ଗୋଷ୍ଠୀ ଓ ବସ୍ତି ବାସିନ୍ଦା ସଂଘ ର ସଦସ୍ୟ ମାନଙ୍କ ପ୍ରଶିକ୍ଷଣ ନିମନ୍ତେ ଗ୍ରହଣ କରାଯାଇଥିବା ସୁଚିନ୍ତିତ ଲୋକସେବା, ଜନ ସହଯୋଗ ତଥା ଗୋଷ୍ଠୀ ସହଭାଗିତା ଭିତ୍ତିରେ ଏଯାବତ୍ ଅନ୍ୟତମ ସର୍ବବୃହତ କାର୍ଯ୍ୟ ଯୋଜନା ବିକାଶ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ।

ଏହି ଏକଦିବସୀୟ ପ୍ରଶିକ୍ଷଣ କର୍ମଶାଳାର ବୈଷୟିକ ଅଧିବେଶନ ମାନଙ୍କରେ  ବିଭାଗୀୟ ଆର୍ଥିକ ପରାମର୍ଶଦାତା ତଥା ଓ.ଏସ୍. ଡ଼ି ଶ୍ରୀ ସଞ୍ଜୟ ପରମାଣିକ , ଜାଗା ମିଶନ୍ ର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୌରୀନ୍ଦ୍ର ରାଉତରାୟ, ଓ.ୟୁ.ଆଇ.ଡ଼ି.ଏଫ୍ ପ୍ରଶାସନିକ ଅଧିକାରୀ ଶ୍ରୀ ସଞ୍ଜୟ ରାଉତ ପ୍ରମୁଖ ଅଂଶଗ୍ରହଣ କରି ସହରାଞ୍ଚଳ ପରିମଳ, ଗୋଷ୍ଠୀ ସହଭାଗିତା,ମୁକ୍ତା, ଆହାର, ଜଳସାଥୀ ,ଜଳାଶୟ ପୁନଃବିକାଶ, ଆର୍ଥିକ ପରିଚାଳନା, ମୋ ସରକାର ଓ ଫାଇଭ୍ ଟି ଉପକ୍ରମ ଆଦି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।