ଭୁବନେଶ୍ୱର : ମଧ୍ୟପ୍ରାଚ୍ୟ ଯୁଦ୍ଧର ଘନଘଟା ଭିତରେ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ ଆଦିର ଦର ଢେର ବଢ଼ିଥିବାବେଳେ ଏହି ପେଟ୍ରୋଲିୟମ୍ ଓ ଗ୍ୟାସ ସାମଗ୍ରୀ ବିକ୍ରି ବେଳେ ତା’ର ଗୁଣବତ୍ତା ଓ ମାପ ଯାଞ୍ଚ କଡ଼ାକଡ଼ି ହେଉନଥିବାରୁ ଖାଉଟିମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏଥିରୁ ଫାଇଦା ଉଠାଇ ମୁନାଫାଖୋର କଳା ବ୍ୟବସାୟୀମାନେ କୋଟି କୋଟି ଟଙ୍କା ଠକି ଚାଲୁଥିବା ଘେନି ବିଭିନ୍ନ ମହଲରୁ ଗୁରୁତର ଅଭିଯୋଗମାନ ହେଉଛି ।
ଯୁଦ୍ଧ ଆଳ ଦେଖାଇ ରନ୍ଧନ ଗ୍ୟାସ୍ ବିତରଣ ଉପରେ କଟକଣା ଜାରି ହୋଇଛି । ଏହାଛଡ଼ା ଘରୋଇ ଓ ବ୍ୟବସାୟିକ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବି ଢେର ବଢ଼ିଛି । ଖାଉଟିମାନେ ମନଇଚ୍ଛା ରନ୍ଧନ ଗ୍ୟାସ୍ ସିଲିଣ୍ଡର ବୁକିଂ କରିପାରୁ ନାହାନ୍ତି । ଗ୍ୟାସ୍ ବିତରଣକାରକୀ କମ୍ପାନୀମାନେ ପ୍ରାୟ ୩ ସପ୍ତାହ ବ୍ୟବଧାନରେ ବୁକିଂ ଅର୍ଡର ରଖୁଛନ୍ତି । ଏବେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଅନେକ ଖାଉଟି ଅଭିଯୋଗ କରୁଛନ୍ତି ଯେ ସେମାନେ ପାଉଥିବା ରନ୍ଧନ ଗ୍ୟାସ୍ ସିଲିଣ୍ଡରର ଓଜନ ଯେତିକି ରହିବା କଥା ତା’ଠାରୁ ଢେର କମ୍ ଅଧିକାଂଶ ସ୍ଥଳରେ ରହୁଛି । ଖାଉଟିମାନଙ୍କୁ ଗ୍ୟାସ୍ ଯୋଗାଇବା ପୂର୍ବରୁ ଅସାଧୁ ବ୍ୟବସାୟୀମାନେ କେତେକ କ୍ଷେତ୍ରରେ ଏଥିରୁ ଚୋରି କରି ଅନ୍ୟ ସିଲିଣ୍ଡରରେ ପୂରାଇ କଳା ବଜାରରେ ବେଶ୍ ଚଢ଼ା ମୂଲ୍ୟରେ ବିକୁଛନ୍ତି । କଳା ବଜାରରେ ବି ଗ୍ୟାସ ମିଳୁଛି । ଏହା ଜଣାଶୁଣା କଥା ହୋଇଥିବାବେଳେ ଗ୍ୟାସ୍ କମ୍ପାନୀ, ବିତରଣକାରୀ ଓ ଯୋଗାଣ ବିଭାଗ ଏଭଳି ଘଟଣାର କଡ଼ାକଡ଼ି ଯାଞ୍ଚ କରିବା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି ।
ସେହିଭଳି ଅପମିଶ୍ରିତ ପେଟ୍ରୋଲ ଓ ଡିଜେଲ୍ ବିକିବା ଏବଂ ଏଥିରେ ଓଜନ ମାପରେ ଠକେଇ କରିବା ଘେନି ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଅତୀତରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଚଢ଼ଉ କରି ଏଭଳି ଅଭିଯୋଗର ସତ୍ୟତା ଅନେକ କ୍ଷେତ୍ରରେ ପ୍ରମାଣିତ କରିବା ସଂଗେସଂଗେ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବହୁ ନଜିର ରହିଛି । ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ୍ର ଦର ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିପ୍ରେକ୍ଷୀରେ ଢେର ବଢ଼ାଯାଇଥିବାବେଳେ ଅନ୍ୟପକ୍ଷରେ ବର୍ଦ୍ଧିତ ଦର ଦେଇ ପେଟ୍ରୋଲ ଓ ଡିଜେଲ୍ କିଣୁଥିବା ଖାଉଟିମାନେ ଠକାମୀରେ ପଡୁଛନ୍ତି କି ନାହିଁ ତାହାର ନିୟମିତ ଯାଞ୍ଚ କରିବା ଲାଗି ବିଭିନ୍ନ ମହଲରୁ ଦାବି ଉଠୁଛି ।
ପେଟ୍ରୋଲ୍ରେ ସରକାର ଏବେ ୨୦ ପ୍ରତିଶତ ଇଥାନଲ୍ ମିଶାଉଛନ୍ତି । ଇ-୨୦ ପେଟ୍ରୋଲ ଯୋଗୁ ମୋଟରଯାନଗୁଡ଼ିକର ମାଇଲେଜ୍ କମୁଥିବା ଏବଂ ଏହା ଗାଡ଼ିର ଇଞ୍ଜିନ ଓ ଅନ୍ୟାନ୍ୟ ଯାନ୍ତ୍ରାଂଶ ପ୍ରତି ବିପଦ ସୃଷ୍ଟି କରୁଥିବା ଘେନି ବି ବିତର୍କ ଚାଲିଛି । ପୂର୍ବରୁ ଇ-୧୦ ପେଟ୍ରୋଲ ଦିଆଯାଉଥିବାବେଳେ ଏବେ ଇ-୨୫ ପେଟ୍ରୋଲ ଯୋଗାଇବାକୁ ପ୍ରସ୍ତାବ ରହିଛି । ଇତିମଧ୍ୟରେ ବିପୁଳ ପରିମାଣର ଋଣ କରି ଅନେକ ସଂସ୍ଥା ଦେଶର ବିଭିନ୍ନ ଅଞ୍ଚଳରେ ଇଥାନଲ୍ ପ୍ଲାଣ୍ଟମାନ ବସାଇଛନ୍ତି । ଯଦି ସେମାନଙ୍କ ତିଆରି ଇଥାନଲ୍ ସଂପୂର୍ଣ୍ଣ ଭାବେ ପେଟ୍ରୋଲ୍ରେ ନମିଶେ ତେବେ ଏହି ପ୍ଲାଣ୍ଟଗୁଡ଼ିକ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଅନ୍ୟପକ୍ଷରେ ଇଥାନଲ୍ ମିଶ୍ରିତ ପେଟ୍ରୋଲ ଯୋଗୁ ମୋଟରଯାନ କ୍ଷତିଗ୍ରସ୍ତ ହେଲେ ବୀମା କମ୍ପାନୀମାନେ ଏ ବାବଦ କ୍ଷତିପୂରଣ ଦେବାକୁ ନାରାଜ । ଏଭଳି ସ୍ଥିତିରେ ଇଥାନଲ୍ ସହ ପେଟ୍ରୋଲ୍ରେ ଅନ୍ୟ କୌଣସି ପଦାର୍ଥ ଅସାଧୁ ବ୍ୟବସାୟୀମାନେ ଚୋରାରେ ମିଶାଉଛନ୍ତି କି ତାହାର ମଧ୍ୟ ନିୟମିତ ଯାଞ୍ଚ ହେବା ଦରକାର ।
ପ୍ରତି ସପ୍ତାହରେ ପ୍ରତି ପେଟ୍ରୋଲ ଟାଙ୍କିର ଓଜନ ମାପ ଏବଂ ସାମଗ୍ରୀର ଗୁଣବତ୍ତା ବିଭାଗୀୟ କର୍ତ୍ତୃପକ୍ଷ ଯାଞ୍ଚ କରି ସର୍ବସାଧାରଣଙ୍କୁ ଜଣାଇଲେ ଅସାଧୁ ବ୍ୟବସାୟୀମାନେ ଏଭଳି ପରିସ୍ଥିତି ମୁନାଫା ଉଠାଇବାକୁ ଡରନ୍ତେ ଏବଂ ଖାଉଟିମାନେ ମଧ୍ୟ ଠକାମୀରୁ ବଞ୍ôଚଯାଆନ୍ତେ ବୋଲି ଖୋଲାଖୋଲି ଭାବେ କହୁଛନ୍ତି । (ତଥ୍ୟ)

