ଭୁବନେଶ୍ୱର : ରାଜ୍ୟ ସରକାର ନିଶା ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଚଳାଇବାପାଇଁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ରାଜ୍ୟରେ ନିଶା ଛଡାଇବାପାଇଁ ଏବେ ୫୨ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି । ଏଥି ମଧ୍ୟରୁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ୪୧ଟି କେନ୍ଦ୍ର ଚାଲୁଥିବାବେଳେ ରାଜ୍ୟ ସରକାରଙ୍କ ଅନୁଦାନରେ ୧୧ଟି କେନ୍ଦ୍ର ଚାଲୁଛି । ତେବେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଏବେ ନିଶାଡିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏତିକି ପରିମାଣର କେନ୍ଦ୍ର ପର୍ଯ୍ୟାପ୍ତ ହେଉନାହିଁ ।
କେନ୍ଦ୍ର ସରକାରଙ୍କ ଅନୁଦାନରେ ଚଳାଯାଉଥିବା ନିଶା ନିବାରଣ କେନ୍ଦ୍ର ମଧ୍ୟରୁ ଅଧିକାଂଶ ଉପକୂଳ ଜିଲ୍ଲାରେ ରହିଛି । ପ୍ରତ୍ୟେକ କେନ୍ଦ୍ରରେ ୧୫ଜଣ ନିଶାଡିଙ୍କୁ ରଖି ଚିକିତ୍ସା କରିବାର ସୁବିଧା ଅଛି । ରାଜ୍ୟ ସରକାରଙ୍କ ଅନୁଦାନରେ ଚଳାଯାଉଥିବା କେନ୍ଦ୍ରରେ ୩୦ଜଣ କରି ରହିପାରିବେ । ଏଠାରେ ଏକମାସ ପର୍ଯ୍ୟନ୍ତ ରହିବା, ଖାଇବା ସହିତ ଚିକିତ୍ସାସେବା ମାଗଣାରେ ଉପଲବ୍ଧ ହୋଇଥାଏ । ନିଶାସକ୍ତ ବ୍ୟକ୍ତିମାନଙ୍କୁ ନିଶାରୁ ନିବୃତ୍ତ କରାଇବା ସହିତ ସେମାନଙ୍କୁ ବିଭିନ୍ନ ବୈଷୟିକ ତାଲିମ ଏଠାରେ ମିଳେ । ତେବେ ଉପକୂଳ ଅଞ୍ଚଳରେ ଯେତିକି ସଂଖ୍ୟକ ନିଶାଡି ରହିଛନ୍ତି ସେମାନଙ୍କ ପାଇଁ କେନ୍ଦ୍ରଗୁଡିକରେ ଅଧିକ ସଂଖ୍ୟକ ଆସନ ଆବଶ୍ୟକ ହେଉଛି ।
ମିଳିଥିବା ସୂଚନା ଅନୁଯାୟୀ ସରକାର ଚଳାଇଥିବା ନିଶା ମୁକ୍ତ ଭାରତ ଅଭିଯାନରେ ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ପାଖାପାଖି ୨୦ହଜାର ବ୍ୟକ୍ତିଙ୍କୁ ନିଶାରୁ ନିବୃତ୍ତ କରାଯାଇ ପାରିଛି । ଏମାନଙ୍କ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରୁ ୬ହଜାରରୁ ଅଧିକ ରହିଛନ୍ତି । ଖୋରଧା, କଟକ ଓ କେନ୍ଦୁଝର ଜିଲ୍ଲାରେ ଏହି ସଂଖ୍ୟା ହଜାରେରୁ ଅଧିକ କରି ରହିଛି ।
ରାଜ୍ୟକୁ ନିଶାମୁକ୍ତ କରିବାପାଇଁ ସରକାର ଏବେ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାବେଳେ ବିଭିନ୍ନ ସ୍ଥାନରେ ମଦ ବିରୁଦ୍ଧରେ ଆନ୍ଦୋଳନ ଚଳାଉଥିବା ମହିଳମାନଙ୍କୁ ସହାୟତା ଓ ସୁରକ୍ଷା ଯୋଗାଇଦେବାକୁ ମତପ୍ରକାଶ ପାଉଛି । ମଦମୁକ୍ତି ଆନ୍ଦୋଳନ ସହିତ ଜଡିତ କର୍ମକର୍ତ୍ତାମାନେ କହିଛନ୍ତି ଯେ ଯେଉଁସବୁ ଅଞ୍ଚଳରେ ମହିଳାମାନେ ଆଗକୁ ଆସି ନିଶା ବିରୁଦ୍ଧରେ ଅଭିଯାନ ଆରମ୍ଭ କରୁଛନ୍ତି ସେହିସବୁ ଅଞ୍ଚଳ ସମ୍ପୂର୍ଣ୍ଣ ନିଶା ମୁକ୍ତ ହୋଇପାରୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଏଭଳି ଆନ୍ଦୋଳନ ଚାଲୁଥିବାବେଳେ ମଦ ବ୍ୟବସାୟୀମାନେ କେତେକ ସ୍ଥାନରେ ମହିଳା ଆନ୍ଦୋଳନକାରୀଙ୍କୁ ଆକ୍ରମଣ କରିବା ସହିତ ସେମାନଙ୍କ ନାମରେ ମିଥ୍ୟା ମୋକଦ୍ଦମା କରୁଛନ୍ତି । ତେଣୁ ଏହି ମହିଳାମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇଦେବା ଆବଶ୍ୟକ ।
ସେହିଭଳି ଗାଁ ଗହଳରେ ଏବେ ବେଆଇନ୍ ନିଶା କାରବାର କାୟା ବିସ୍ତାର କରୁଥିବାରୁ ଉଭୟ ନିଶା ବେପାରୀ ଓ ଗ୍ରାହକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିଶା ନିବାରଣକର୍ମୀମାନେ ମତ ଦେଉଛନ୍ତି । କାରଣ ବହୁ କ୍ଷେତ୍ରରେ ନିଶା ସାମଗ୍ରୀ ଜବତ ହେଉଥିବାବେଳେ ବ୍ୟବସାୟୀମାନେ ଖସିଯିବାରେ ସଫଳ ହେଉଥିବାରୁ ସେମାନେ ପୁର୍ନବାର ନିଶା ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ରାଜ୍ୟ ସରକାର ତାଙ୍କ ସ୍ୱତନ୍ତ୍ର ନିଶା ନିବାରଣ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏହି ଦିଗଗୁଡିକୁ ଦୃଷ୍ଟିଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)

