ଭୁବନେଶ୍ୱର : ପଦୋନ୍ନତି ଭିତ୍ତିରେ ପୂରଣ ହେବାକୁ ଥିବା ୫୯ଟି ଆଇପିଏସ୍ ପଦବୀ ଖାଲି ପଡିଛି । ଡିଏସ୍ପି ସ୍ତରରେ ଉପଯୁକ୍ତ ଅଧିକାରୀ ନମିଳିବାରୁ ଏଭଳି ସ୍ଥିତି ଉପୁଜିଛି । ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ।
୨୦୦୦ ମସିହାରେ ପ୍ରଶାସନିକ ସେବା ପରୀକ୍ଷା (ସିଏସ୍ଇ) ରେ ସିଧାସଳଖ ନିଯୁକ୍ତି ହେବାକୁ ଥିବା ଆଇପିଏସ୍ ସଂଖ୍ୟା ୧୫୦ ରୁ ୨୦୦କୁ ବୃଦ୍ଧି ପାଇଛି । ଏହା ଦେଶ ପାଇଁ ସର୍ବାଧିକ ଆଇପିଏସ୍ ପାହ୍ୟାରେ ମଞ୍ଜୁରୀପ୍ରାପ୍ତ ପଦବୀ । ତେବେ ଡିଏସ୍ପି ପାହ୍ୟାରେ ଉପଯୁକ୍ତ ଅଧିକାରୀଙ୍କ ଅଭାବ ଯୋଗୁଁ ରାଜ୍ୟରେ ପଦୋନ୍ନତି ଭିତ୍ତିରେ ପୂରଣ ହେବାକୁ ଥିବା ୫୯ଟି ଆଇପିଏସ୍ ପଦବୀ ଖାଲି ପଡିଥିବା ମନ୍ତ୍ରୀ କହିଛନ୍ତି ।
ପୁଲିସ୍ ଆଧୁନିକୀକରଣ ସଂକ୍ରାନ୍ତରେ ପଚରା ଯାଇଥିବା ଅନ୍ୟଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାୟ କହିଛନ୍ତି ଯେ ପୁଲିସ୍ ପ୍ରଶାସନ ରାଜ୍ୟ ତାଲିକାଭୁକ୍ତ ବିଷୟ ହୋଇଥିବାବେଳେ ବିଭିନ୍ନ ଯୋଜନାରେ ପୁଲିସ୍ ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ସହାୟତା ଯୋଗାଇ ଦେଇଥାନ୍ତି । ଏହି ଯୋଜନାରେ ଅତ୍ୟାଧୁନିକ ମାରଣାସ୍ତ୍ର, ଗୁଇନ୍ଦା ବିଭାଗ ପାଇଁ ସାଜ ସରଞ୍ଜାମ, ଯୋଗାଯୋଗ, ସୁରକ୍ଷା, ତାଲିମ, ଫୋରେନସିକ୍, ସାଇବରକ୍ରାଇମ, ଟ୍ରାଫିକ ଆଦି ପାଇଁ ରାଜ୍ୟଗୁଡିକୁ ଅନୁଦାନ ଯୋଗାଇ ଦିଆଯାଏ ।
ଏହି ଅତ୍ୟାଧୁନିକ ସାଜ ସରଞ୍ଜାମ ପୁଲିସ୍ ବାହିନୀକୁ ତଦନ୍ତ ପାଇଁ ଡିଜିଟାଲ ଅପଡେଟ୍ କରିଥାଏ । ଏହାଛଡା ନିର୍ମାଣ ଏବଂ ଗାଡିମୋଟର ଖରିଦ ପାଇଁ ଜାମ୍ମୁକାଶ୍ମୀର, ଉତ୍ତର-ପୂର୍ବ ରାଜ୍ୟ ଏବଂ ବାମପନ୍ଥୀ ଉଗ୍ରବାଦୀ ପ୍ରବଳ ଜିଲ୍ଲାଗୁଡିକୁ ସହାୟତା ଦିଆଯାଏ । ଚଳିତ ଆର୍ଥିକ ବର୍ଷରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥାନା ନିର୍ମାଣ ପାଇଁ ସହାୟତା ଯୋଗାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି ଯୋଜନାରେ ୨୦୦୫ ମସିହାରେ ଜନସଂଖ୍ୟା ଆଧାରରେ ରାଜ୍ୟମାନଙ୍କୁ ଅନୁଦାନ ଦିଆଯାଇଥାଏ । ଯଥା ୩୫ ପ୍ରତିଶତ ଜନସଂଖ୍ୟା ଥିଲେ ୨୫% ପୁଲିସ୍ ବଳ, ୧୫ ପ୍ରତିଶତ ଥାନା ଏବଂ ପ୍ରତି ଏକ ଲକ୍ଷ ଜନ ସଂଖ୍ୟାରେ ୨୫% ଅପରାଧକୁ ହିସାବକୁ ନିଆଯାଉଥିଲା । ଏହି ଯୋଜନା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଚଳିତ ଆର୍ଥିକ ବର୍ଷରୁ ବିସ୍ତାର କରାଯାଇଛି । ତଦନୁଯାୟୀ ସର୍ବଶେଷ ତଥ୍ୟ ଆଧାରରେ ଉପରୋକ୍ତ ଅନୁପାତରେ ସଂଶୋଧନ କରାଯାଇଛି । ତଦନୁଯାୟୀ ପ୍ରତ୍ୟେକ ରାଜ୍ୟକୁ ୨କୋଟି ଟଙ୍କା ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ୫୦ଲକ୍ଷ ଦେବାପରେ ଅବଶିଷ୍ଟ ଅର୍ଥକୁ ଅନୁପାତ ଆଧାରରେ ବଣ୍ଟନ କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ନିରପେକ୍ଷ ନୀତିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅର୍ଥ ମଞ୍ଜୁର ହେଉଥିବାବେଳେ ଓଡିଶା ପାଇଁ କୌଣସି ସ୍ୱତନ୍ତ୍ର ଅନୁଦାନ ବ୍ୟବସ୍ଥା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ତେବେ ଓଡିଶା ଯଦି ଅଧିକ ଅର୍ଥ ଆବଶ୍ୟକ କରେ ତେବେ ପୁଲିସ୍ ସଂସ୍କାର ବ୍ୟବସ୍ଥାରେ ଦିଆଯାଉଥିବା ପ୍ରୋତ୍ସାହନ ବାବଦରୁ ଅଧିକ ସହାୟତା ମିଳିପାରିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । (ତଥ୍ୟ)