ଭୁବନେଶ୍ୱର : ମିଶନ ଶକ୍ତି ଅଧିନରେ ଥିବା ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ୨୦୨୨-୨୩ ବର୍ଷରେ ୪ଲକ୍ଷ ଟଙ୍କାର ଋଣ ଦେବାକୁ ଯେଉଁ ଲକ୍ଷ୍ୟ ଥିଲା ତାହା ପୂରଣ ହୋଇପାରି ନାହିଁ । ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କ୍ମାନେ ଏହି ଲକ୍ଷ୍ୟ ପୂରଣ କରିପାରି ନାହାନ୍ତି ।
ସଦ୍ୟ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏଲଏସବିସି) ବୈଠକରେ ଦିଆଯାଇଥିବା ତଥରୁ ଜଣାଯାଇଛି ଯେ ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏସ୍ଏଚ୍ଜିଗୁଡିକ ଦିଆଯାଇଥିବା ଋଣର ଆକାର ୩.୦୧ ଲକ୍ଷ ଟଙ୍କା ରହିଛି ଯାହାକି ରାଜ୍ୟ ସରକାର ବ୍ୟାଙ୍କ୍ମାନଙ୍କ ପାଇଁ ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଠାରୁ ପ୍ରାୟ ଏକ ଲକ୍ଷ ଟଙ୍କା କମ୍ ।
୨୦୨୨-୨୩ ଆର୍ଥିକ ବର୍ଷର ଶେଷ ସୁଦ୍ଧା ୩,୬୫,୫୪୨ ଏସଏଚଜିକୁ ୧୧,୦୦୫.୧୦ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି । ଏହି ସମୟରେ ରାଜ୍ୟର ୩,୫୦,୦୦୦ ଏସଏଚଜିକୁ ୮୭୫୦ କୋଟି ଟଙ୍କାର ଋଣ ଦେବାକୁ ଲକ୍ଷ୍ୟ ଧାର୍ଯ ହୋଇଥିଲା । ତେଣୁ ଉଭୟ କ୍ଷେତ୍ରରେ ଯଥାକ୍ରମେ ୧୦୪ ପ୍ରତିଶତ ଓ ୧୨୬ ପ୍ରତିଶତ ସଫଳତା ମିଳିଥିଲା । ତେବେ ହାରାହାରି ଋଣର ଆକାର କିନ୍ତୁ ବୃଦ୍ଧି ପାଇନଥିଲା ।
ତୁରନ୍ତ ଅଭିବୃଦ୍ଧି, ଋଣ ବ୍ୟବହାର ଓ ପରିଶୋଧକୁ ଦୃଷ୍ଟିରେ ରଖି ୨୦୨୩-୨୪ ଆର୍ଥିକ ବର୍ଷରେ ୪ଲକ୍ଷ ଏସ୍ଏଚଜିଙ୍କୁ ୧୫,୦୦୦ କୋଟି ଟଙ୍କାର ଋଣ ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ରାଜ୍ୟ ସରକାର ଏସଏଚଜିଗୁଡିକୁ ଉଦ୍ୟୋଗୀରେ ପରିଣତ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା ସହିତ ସେମାନଙ୍କ ଜୀବନ ଧାରଣରେ ଅଧିକ ଉନ୍ନତି ପାଇଁ ଉଦ୍ୟମ ଚଳାଇଥିବାବେଳେ ବ୍ୟାଙ୍କ୍ଗୁଡିକର ଏଭଳି ଦୁର୍ବଳ ପ୍ରଦର୍ଶନ ସରକାରଙ୍କୁ ନିରାଶ କରିଛି ।
ଏସଏଚଜିଗୁଡିକୁ ଋଣ ପ୍ରଦାନ ହାର ବୃଦ୍ଧି ପାଇଁ ରାଜ୍ୟ ଏଥିପାଇଁ ଏସଏଲବିସିର ଏକ ସବ କମିଟି ଗଠନ ପାଇଁ ପ୍ରସ୍ତାବ ରଖିଛନ୍ତି । ମିଶନ ଶକ୍ତି ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସବକମିଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି, ମିଶନ ଶକ୍ତି ଆଦିଙ୍କୁ ଋଣ ଦେବା ସହିତ ରାଜ୍ୟ ସରକାରଙ୍କ ସୁଧ ଦେୟ, ବିସିଏ, ମିଶନ ଶକ୍ତି ସ୍କୁଟର ଯୋଜନା ଏବଂ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆଦିର ତଦାରଖ କରିବ ।
ଏସ୍ଏଚଜିମାନଙ୍କୁ ଋଣ ପ୍ରଦାନ ନେଇ ୧୬୭ତମ ଏସଏଲବିସି ବୈଠକରେ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ କାର୍ଯ୍ୟକାରୀ ଲାଗି କ୍ଷେତ୍ର ସ୍ତରୀୟ ଅଧିକାରୀମାନଙ୍କ ଲାଗି ମାର୍ଗଦର୍ଶିକା ଜାରି ପାଇଁ ବ୍ୟାଙ୍କ୍ଗୁଡିକୁ କୁହାଯାଇଛି । ଏହି ବୈଠକରେ ପ୍ରଥମଥର ପାଇଁ ଋଣ ନେଉଥିବା ନୂଆ ଏସଏଚଜିମାନଙ୍କୁ ୨ଲକ୍ଷ ଟଙ୍କା, ଦ୍ୱିତୀୟ ଥର ଋଣ ପାଇଁ ୪ଲକ୍ଷ ଓ ତୃତୀୟଥର ଋଣ ପାଉଥିବା ଏସଏଚଜିଙ୍କୁ ୬ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ସ୍ଥିର ହୋଇଥିଲା ।
ଏସଏଚଜି ସ୍ତରରେ ମହିଳା ଉଦ୍ୟୋଗୀଙ୍କ ଋଣ ଚାହିଦା ବୃଦ୍ଧିକୁ ବିଚାରକୁ ନେଇ ରାଜ୍ୟ ସରକାର ବିନା ସୁଧରେ ଋଣ ଯୋଗାଣ ପରିମାଣକୁ ୩ରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ଯାହା କି ଏପ୍ରିଲ୍ ୨୦୨୨ରୁ ଲାଗୁ ହୋଇଛି । ଯେଉଁ ଏସଏଚଜିଗୁଡିକ ନିୟମିତ ଋଣ ପରିଶୋଧ କରୁଥିବେ ସେମାନେ ଏହି ଲାଭ ପାଇବେ । ୨୦୨୨-୨୩ ବର୍ଷରେ ଏସଏଚଜିଙ୍କ ଋଣର ସୁଧ ବାବଦରେ ରାଜ୍ୟ ସରକାର ୨୧୬.୪୨ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ଏହା ଦ୍ୱାରା ୩.୦୫ଲକ୍ଷ ଏସଏଚଜି ଉପକୃତ ହୋଇଥିଲେ । ଚଳିତ ଆର୍ଥିକ ବର୍ଷରେ ମିଶନ ଶକ୍ତି ଋଣର ସୁଧ ବାବଦରେ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ପଇଠ କରିବେ । (ତଥ୍ୟ)