Home Energy ପୂରଣ ହେଉନି ଅଣପାରମ୍ପରିକ ଶକ୍ତି ଖରିଦ ଲକ୍ଷ୍ୟ

ପୂରଣ ହେଉନି ଅଣପାରମ୍ପରିକ ଶକ୍ତି ଖରିଦ ଲକ୍ଷ୍ୟ

ଭୁବନେଶ୍ୱର : ଅଣପାରମ୍ପରିକ ଶକ୍ତି ଖରିଦ ପାଇଁ ରାଜ୍ୟମାନଙ୍କ ପାଇଁ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରାଯାଉଛି ତାହା ପୂରଣ ହେଉନାହିଁ । କେନ୍ଦ୍ର ସରକାର ଓଡିଶା ସମେତ ସମସ୍ତ ରାଜ୍ୟମାନଙ୍କୁ ଏହି ଲକ୍ଷ୍ୟ ଦେଉଥିବାବେଳେ ତାହା କାର୍ଯ୍ୟକାରୀ ହେଉନଥିଲେ ମଧ୍ୟ ଖିଲାପକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ରାଜ୍ୟରେ ଯେତିକି ବିଜୁଳି ବ୍ୟବହୃତ ହେଉଛି ତାହାର କିଛି ପ୍ରତିଶତ ଅଣପାରମ୍ପରିକ ଶକ୍ତି ଖରିଦ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଉଛନ୍ତି । ବିଜୁଳି ବଣ୍ଟନକାରୀ କମ୍ପାନୀମାନେ ଏହାକୁ ଗ୍ରହଣ କରି ତଦନୁଯାୟୀ ସୌର ଓ ଅଣସୌର ଶକ୍ତି ଖରିଦ କରିବାକଥା । ଏହା ଖରିଦ କଲେ ଦେଶରେ ଅଣପାରମ୍ପରିକ ଶକ୍ତିର ବ୍ୟବହାର ବଢିବ ଏବଂ ପରିବେଶ ପ୍ରତିକୂଳ ଅବସ୍ଥା ଦୂରୀଭୂତ ହୋଇପାରିବ ।

ହିସାବରୁ ଜଣାଯାଏ ଯେ ଗତ ୬ବର୍ଷ ହେଲା ଆମ ରାଜ୍ୟରେ ଏହି ଲକ୍ଷ୍ୟ କେବଳ ଧାର୍ଯ୍ୟ ହେଉଛି, କିନ୍ତୁ ତାହା ପୂରଣ ହେଉନାହିଁ । ୨୦୧୫-୧୬ ବର୍ଷରେ ରାଜ୍ୟରେ ୨୩,୭୪୮ ନିୟୁତ ୟୁନିଟ୍‍ ବିଜୁଳି ବ୍ୟବହାର ହୋଇଥିବାବେଳେ ଏହାର ୩ ପ୍ରତିଶତ ବିଜୁଳି ଅଣପାରମ୍ପରିକ ଶକ୍ତିକୁ ଆଣିବାକୁ କୁହାଯାଇଥିଲା । ଏହି ୩ପ୍ରତିଶତ ମଧ୍ୟରେ ସୌରଶକ୍ତି କ୍ଷେତ୍ରରେ ୦.୫ ପ୍ରତିଶତ ଓ ଅନ୍ୟାନ୍ୟ ଅଣପାରମ୍ପରିକ ଶକ୍ତି କ୍ଷେତ୍ରରୁ ୨.୫ ପ୍ରତିଶତ ଖରିଦ ପାଇଁ ଲକ୍ଷ୍ୟ ଦିଆଯାଇଥିଲା । ହେଲେ ୨ପ୍ରତିଶତ ଲକ୍ଷ୍ୟ ବି ପୂରଣ ହୋଇପାରିଲା ନାହିଁ ।

ସେହିଭଳି ବର୍ଷକୁ ବର୍ଷ ସବୁଜ ଶକ୍ତି ଖରିଦ ପାଇଁ ଦିଆଯାଉଥିବା ଲକ୍ଷ୍ୟ ବଢି ବଢି ବଢି ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ଏହା ୧୧ ପ୍ରତିଶତରେ ପହଞ୍ଚିଛି । ଉଭୟ ବର୍ଷରେ ବ୍ୟବହୃତ ବିଦ୍ୟୁତର ୧୧ ପ୍ରତିଶତ ଅଣପାରମ୍ପରିକ ଶକ୍ତି କ୍ଷେତ୍ରରୁ କିଣିବାକୁ କୁହାଯାଉଛି । ଏଥି ମଧ୍ୟରେ ସୌରଶକ୍ତି ଓ ଅଣସୌରଶକ୍ତି କ୍ଷେତ୍ରରୁ ୫.୫ ପ୍ରତିଶତ କରି ଆଣିବାକୁ ଲକ୍ଷ୍ୟ ଦିଆଯାଇଥିଲେ ବି ୨୦୧୯-୨୦ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟର ୫ପ୍ରତିଶତ ଟପିପାରି ନଥିବାବେଳେ ୨୦୨୦-୨୧ରେ କଷ୍ଟେ ମଷ୍ଟେ ୬.୭୩ ପ୍ରତିଶତରେ ପହଞ୍ଚିଥିଲା । ତେବେ ସୌରଶକ୍ତି କ୍ଷେତ୍ରରୁ ଧାର୍ଯ୍ୟଲକ୍ଷ୍ୟର ବିଦ୍ୟୁତ୍‍ ଖରିଦ କରାଯାଇ ପାରୁନଥିବାବେଳେ ୨୦୨୦-୨୧ ବର୍ଷରେ ଅଣସୌରଶକ୍ତି କ୍ଷେତ୍ରରୁ ବିଜୁଳି ଖରିଦ ବୃଦ୍ଧି ପାଇଁ ୩.୫୩ ପ୍ରତିଶତରେ ପହଞ୍ଚିଛି ।

ତେବେ ବିଶେଷଜ୍ଞମାନଙ୍କ ମତରେ ପରିବେଶର ସ୍ୱଚ୍ଛତା ପାଇଁ ସରକାର କେବଳ ଲକ୍ଷ୍ୟଧାର୍ଯ୍ୟ କରୁଥିବାବେଳେ ଏହାକୁ କାର୍ଯ୍ୟକାରୀ ପାଇଁ ସେଭଳି କୌଣସି କଠୋର ଆଇନ୍‍ଗତ ବ୍ୟବସ୍ଥା ନାହିଁ । ବିଶେଷକରି ବିଦ୍ୟୁତ୍‍ ବଣ୍ଟନକାରୀ କମ୍ପାନୀଗୁଡିକୁ ଏହି ବ୍ୟବସ୍ଥାରେ ସାମିଲ କରାଯାଉ ନାହିଁ । ଅନ୍ୟ ପକ୍ଷରେ ରାଜ୍ୟଗୁଡିକରେ ଆଶାନୁରୂପ ଅକ୍ଷୟଶକ୍ତି ଉତ୍ପାଦନ ହୋଇପାରୁନଥିବାବେଳେ ଯେତିକି ବି ହେଉଛି ତାହାର ବ୍ୟବହାର ପାଇଁ ଭିତ୍ତିଭୂମିର ଅଭାବ ଓ ଉଚ୍ଚା ଦର ଯୋଗୁଁ ଖରିଦଦାରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି । ତେଣୁ ଏଭଳି ସ୍ଥଳେ ସବୁଜ ପରିବେଶ ପାଇଁ ସବୁଜ ଶକ୍ତି ବ୍ୟବହାର କରି ସମଗ୍ର ଦେଶରେ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହେଉଛି ତାହା ଅଗ୍ରଗତି ଅତ୍ୟନ୍ତ ମନ୍ଥର ଥିବା ଏଥିରୁ ସ୍ପଷ୍ଟ ପ୍ରତୀୟମାନ । (ତଥ୍ୟ)