ଭୁବନେଶ୍ୱର : ରାଜ୍ୟରେ ଏବେ ପାର୍ବଣ ଋତୁ ଚାଲିଥିବାରୁ ବଜାରରେ ପୂଜା ଓ ଭୋଗ ସାମଗ୍ରୀର ଅଧିକ ଡିମାଣ୍ଡ । ତେବେ ପୂଜାରେ ବ୍ୟବହାର ହେଉଥିବା ସାମଗ୍ରୀ ଠାରୁ ଆରମ୍ଭ କରି ମିଳୁଥିବା ଭୋଗ ପର୍ଯ୍ୟନ୍ତ ଅଧିକାଂଶ ହେଉଛି ଭେଜାଲ ଓ ନିମ୍ନମାନର । ଏଥିପ୍ରତି କାହାର ନଜର ଥିବା ଲକ୍ଷ୍ୟ କରାଯାଉ ନାହିଁ ।
ପାର୍ବଣ ଋତୁରେ ଏବେ ଘର ଠାରୁ ଆରମ୍ଭକରି ବ୍ୟବସାୟିକ ପ୍ରତିଷ୍ଠାନ ଓ ମଣ୍ଡପ ପର୍ଯ୍ୟନ୍ତ ସବୁଆଡେ ପୂଜାପାଠ ଚାଲିଛି । ଏଥିପାଇଁ ଆବଶ୍ୟକ ପୂଜା ସାମଗ୍ରୀ । ଏଥି ମଧ୍ୟରେ ଗଙ୍ଗାଜଳ ଠାରୁ ଆରମ୍ଭକରି ଘିଅ, ମହୁ ସହ ଉଖୁଡା, ଲଡୁ, ବୁନ୍ଦି ଆଦି ଆବଶ୍ୟକ ହେଉଛି । ହେଲେ ପୂଜା ଦୋକାନଗୁଡିକରେ ଯେଉଁ ଘିଅ, ମହୁ ଆଦି ମିଳୁଛି ତାହା ମଧ୍ୟରୁ ଅଧିକାଂଶ ଅତ୍ୟନ୍ତ ନିମ୍ନମାନର ଓ ଖାଦ୍ୟ ଅନୁପଯୋଗୀ । ଆଇନ୍ ଜାଲରୁ ଖସିବାପାଇଁ କେତେକ କମ୍ପାନୀ ବିକ୍ରି ହେଉଥିବା ଘିଅ ଡବା ଉପରେ ଏହା କେବଳ ପୂଜା ପାଇଁ ବୋଲି ଲେଖି ବଜାରକୁ ଛାଡିଛନ୍ତି । କିନ୍ତୁ ବହୁ ସ୍ଥାନରେ ଲୋକେ ଏଥିରେ ପୂଜାପାଠ କରିବା ସହିତ ଅଜାଣତରେ ଭୋଗରେ ମିଶାଇ ଖାଇ ଦେଉଛନ୍ତି ।
ଖାଦ୍ୟ ଉପଯୋଗୀ ଗାଈଘିଅ କିଲୋ ବଜାରରେ ୮୦୦ ରୁ ୧୦୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପୂଜା ପାଇଁ ବଜାରରେ ମିଳୁଥିବା ଘିଅ ର କିଲୋ ପ୍ରତି ଦର ୨୫୦ ରୁ ୩୦୦ ଟଙ୍କା ମଧ୍ୟରେ ରହୁଛି । ଏବେ କିଛି କମ୍ପାନୀ ପୂଜା ପାଇଁ ଶସ୍ତାରେ ଘିଅ ବଜାରକୁ ଛାଡୁଥିବା ଦେଖି ସ୍ଥାନୀୟ ବ୍ୟବସାୟୀମାନେ କମ୍ ଦରରେ ଅପମିଶ୍ରିତ ଘିଅ ବିକ୍ରି ଆରମ୍ଭ କରିଛନ୍ତି । ଏହିସବୁ ଘିଅରେ ହୋମ କଲେ ତାହାଦ୍ୱାରା ପରିବେଶ ଶୁଦ୍ଧ ପରିବେର୍ତ୍ତ ଅଧିକ ପ୍ରଦୂଷିତ ହେଉଛି ।
ସେହିଭଳି ପୂଜା ସାମଗ୍ରୀ ଦୋକାନରେ ଯେଉଁ ମହୁ, ଲଡୁ ଓ ଉଖୁଡା ଆଦି ମିଳୁଛି ତାହା ବି ବହୁ ସ୍ଥାନରେ ଖାଇବା ଯୋଗ୍ୟ ନୁହେଁ । ଏହିସବୁ ସାମଗ୍ରୀର ପ୍ରସ୍ତୁତକର୍ତ୍ତାଙ୍କର କୌଣସି ଠିକଣା ନାହିଁ । ଯିଏ ଯେମିତି ପରିବେଶରେ ପାରୁଛି ପ୍ରସ୍ତୁତ କରି ପୂଜା ସାମଗ୍ରୀ ଦୋକାନରେ ବିକ୍ରି କରୁଛି । ପୂଜା ସାମଗ୍ରୀ ଦୋକାନରେ ସବୁଦିନିଅ ବିକ୍ରି ହେଉଥିବା ଏହି ସାମଗ୍ରୀ ନୁହେଁ ବିଭିନ୍ନ ପୂଜା ଦିନରେ ଅସ୍ଥାୟୀ ଭାବେ ଖୋଲୁଥିବା ଭୋଗ ଦୋକାନରେ ବି ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ।
ହୋଟେଲ, ରେଷ୍ଟୁରାଣ୍ଟ ଆଦି ଉପରେ ନଜର ରଖିଥିବା ଖାଦ୍ୟ ସୁରକ୍ଷା ଅଧିକାରୀମାନେ ପ୍ରାୟତଃ ପୂଜା ସାମଗ୍ରୀ ଦୋକାନାରେ ଚଢଉ କରନ୍ତି ନାହିଁ । ଫଳରେ ଏହିସବୁ ସାମଗ୍ରୀ ପ୍ରସ୍ତୁତ କରୁଥିବା ବ୍ୟବସାୟୀମାନେ ଉତ୍ସାହିତ ହୋଇ ଅଧିକରୁ ଅଧିକ ନିମ୍ନମାନର ସାମଗ୍ରୀ ବଜାରକୁ ଛାଡିବାରେ ଲାଗିଛନ୍ତି । ମଝିରେ ମଝିରେ କେବଳ ନାମୀ ଦାମୀ ଘିଅ କମ୍ପାନୀ ନାଁରେ ନିମ୍ନମାନର ଘିଅ ବଜାରକୁ ଆସୁଥିବାରୁ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ପୁଲିସ୍ ସହାୟତାରେ ଚଢଉ କରିଥାନ୍ତି ।
ତେଣୁ ପାର୍ବଣ ଋତୁରେ ପୂଜା ସାମଗ୍ରୀ ଆକାରରେ ବିକ୍ରି ହେଉଥିବା କୋଟି କୋଟି ଟଙ୍କାର ନିମ୍ନମାନର ଖାଦ୍ୟ କେବଳ ଆମର ପରିବେଶକୁ ପ୍ରଦୂଷିତ କରୁନାହିଁ, ବିଭିନ୍ନ ରୋଗକୁ ନିମନ୍ତ୍ରଣ କରୁଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି । ଏହା ଉପରେ ସତର୍କ ଦୃଷ୍ଟ ରଖାନଗଲେ ଆଗାମୀ ଦିନରେ ଏହା ବିଭିନ୍ନ ମାରାତ୍ମକ ରୋଗର କାରଣ ହେବ ଏବଂ ଲୋକେ ଏହାର ଚିକିତ୍ସା ପାଇଁ ବ୍ୟାପକ ଖର୍ଚ୍ଚାନ୍ତ ହେବେ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି । (ତଥ୍ୟ)