Home Infrastructure ୧୩,୧୪୧ କ୍ୟୁବିକ ମିଟର ଖଣ୍ଡଲାଇଟ୍‍ ଆବଶ୍ୟକ

୧୩,୧୪୧ କ୍ୟୁବିକ ମିଟର ଖଣ୍ଡଲାଇଟ୍‍ ଆବଶ୍ୟକ

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ସମେତ ବିଭିନ୍ନ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଏବେ ଖଣ୍ଡଲାଇଟ୍‍ ପଥରର ବିଶେଷ ଆବଶ୍ୟକତା ପଡିଛି । ଏଥିପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ (ଓବିସିସି) ୧୩,୧୪୧ କ୍ୟୁବିକ ମିଟର ଖଣ୍ଡଲାଇଟ୍‍ ପଥର ଦରକାର କରିଛି ।

ଧାର୍ଯ୍ୟ ସମୟରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାର୍ଯ୍ୟ ସାରିବାପାଇଁ ବିଭିନ୍ନ ଆକାରର ୧୩,୧୪୧.୮୩ କ୍ୟୁବିକ ମିଟର ଖଣ୍ଡଲାଇଟ ପଥର ଯୋଗାଣ ପାଇଁ ଓଡିଶା ଖଣି ନିଗମକୁ କହିବାକୁ ନିଗମ ପକ୍ଷରୁ ପୂର୍ତ୍ତ ବିଭାଗକୁ ଅନୁରୋଧ କରାଯାଇଛି । ଏହିସବୁ ଖଣ୍ଡଲାଇଟ୍‍ ପଥରଗୁଡିକ ବିଶେଷକରି ଐତିହ୍ୟ ବିକାଶ କାର୍ଯ୍ୟ ଚାଲିଥିବା ଦ୍ୱାଦଶ ଶତାବ୍ଦୀର ଜଗନ୍ନାଥ ମନ୍ଦିର, ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସ, ଲୋକନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରକଳ୍ପ, ପ୍ରମୋଦ ଉଦ୍ୟାନ, ମ୍ୟୁନିସିପାଲ ମାର୍କେଟ କମ୍ପେ୍ଲକ୍ସ, ଅଠରନଳା ଐତିହ୍ୟ ପ୍ରକଳ୍ପ, ପୁରୀ ହ୍ରଦ ବିକାଶ ପ୍ରକଳ୍ପ, ଆଚାର୍ଯ୍ୟ ହରିହର ଛକର ବିକାଶ ଏବଂ ପୁରୀରେ ଥିବା ବିଭିନ୍ନ ଐତିହ୍ୟ ପୁଷ୍କରିଣୀ ଯଥା ଶ୍ୱେତ ଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦ୍ୟୁମ୍ନ ଆଦିର ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେବ ।

ସର୍ବାଧିକ ୩୩୦୮ କ୍ୟୁବିକ ମିଟର ଖଣ୍ଡଲାଇଟ୍‍ ପଥର ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସରେ ବ୍ୟବହାର ହେବାକୁ ଥିବାବେଳେ ୧୯୪୧ କୁବ୍ୟିକ ମିଟର ଐତିହ୍ୟ କରିଡର ପ୍ରକଳ୍ପ ଓ ୧୫୫୭ କ୍ୟୁବିକ ମିଟର ପୁରୀ ସହରରେ ଥିବା ବିଭିନ୍ନ ପୁଷ୍କରିଣୀର ବିକାଶ କାର୍ଯ୍ୟରେ ବ୍ୟବହୃତ ହେବ ।

ଓବିସିସି ପକ୍ଷରୁ ପୂର୍ତ୍ତ ବିଭାଗକୁ ମଧ୍ୟ ୫୮୧୭ କ୍ୟୁବିକ ମିଟର ଖଣ୍ଡଲାଇଟ୍‍ ସମଲାଇ ପ୍ରକଳ୍ପ ପାଇଁ ଆବଶ୍ୟକ ପଡିବ ବୋଲି ସୂଚନା ଦିଆଯାଇଛି । ଏହାବାଦ୍‍ ବିଭିନ୍ନ ଆକୃତିର ଖଣ୍ଡଲାଇଟ୍‍ମାନ ଐତିହ୍ୟ ପ୍ରକଳ୍ପର ନବୀକରଣ, ଏକାମ୍ର କ୍ଷେତ୍ରର ବିକାଶ, କଟକ ଚଣ୍ଡିମନ୍ଦିର, କଣ୍ଟିଲୋର ନୀଳମାଧବ ମନ୍ଦିର, ମା’ ଶାରଳା ମନ୍ଦିର ଏବଂ ବାରିପଦାର ଜଗନ୍ନାଥ ମନ୍ଦିର ପାଇଁ ଆବଶ୍ୟକ ପଡିବ । ଏହି ସବୁ ପ୍ରକଳ୍ପ ଲାଗି ମୋଟ୍‍ ୨୭,୪୨୨ କ୍ୟୁବିକ ମିଟର ଖଣ୍ଡଲାଇଟ୍‍ ଆବଶ୍ୟକ ପଡିବ ବୋଲି ଓବିସିସି ପକ୍ଷରୁ କୁହାଯାଇଛି ।

ପୂର୍ବରୁ ରାଜ୍ୟ ସରକାର ଅବଢା ଯୋଜନାରେ ଚାଲୁଥିବା ଐତିହ୍ୟ କରିଡର ପ୍ରକଳ୍ପ ଲାଗି ୬ଟି ଖଣ୍ଡଲାଇଟ୍‍ ଖଣି ସଂରକ୍ଷିତ ରଖିଛନ୍ତି । ଏହି ଖଣି ମଧ୍ୟରେ ଯାଜପୁରର ଚଣ୍ଡିଆ ଠାରେ ୪ଏକର, ଶୁଖୁଆପଡାରେ ୭୮.୩ ଏକର ଏବଂ ତେଲିଗଡରେ ୨୫.୫ ଏକର ଥିବାବେଳେ କଟକ ଜିଲ୍ଲାର ଗୋବିନ୍ଦପୁର ଠାରେ ୨୦.୩ ଏକର, ଖୋରଧାର କୁରୁମପଡା ଠାରେ ସାଜସଜାରେ ବ୍ୟବହୃତ ହେଉଥିବା ପଥରର ୧.୬୭ଏକର ଖଣି ଏବଂ ନୟାଗଡ ଜିଲ୍ଲାର କୁଣ୍ଡାକୁଣ୍ଡି ଠାରେ ୪.୬୭ ଏକର କୁଣ୍ଡାପଥର ଖଣି ଓଏମ୍‍ସି ପାଇଁ ରହିଛି ।

ରାଜ୍ୟରେ ଲଘୁ ଖଣିଜ ପଦାର୍ଥ ଥିବା ଖଣିଗୁଡିକ ଓଡିଶା ସରକାରଙ୍କ ଖଣି ନିଗମ ପାଇଁ ସଂରକ୍ଷିତ ଥିବାବେଳେ ଏଥିରୁ ବିଭିନ୍ନ ପଥର ଉତ୍ତୋଳନ କରି ଓବିସିସି ସମେତ ପ୍ରକଳ୍ପ କାର୍ଯ୍ୟ ଚଳାଇଥିବା ଅନ୍ୟାନ୍ୟ ସଂସ୍ଥାକୁ ଖଣି ନିଗମ ପ୍ରଦାନ କରିଥାଏ । ରାଜ୍ୟର ଅଧିକାଂଶ ପ୍ରାଚୀନ ମନ୍ଦିର ନିର୍ମାଣରେ ଖଣ୍ଡଲାଇଟ୍‍ ପଥର ବ୍ୟବହାର ହୋଇଛି । ଚଳାଯାଉଥିବା ଐତିହ୍ୟ ପ୍ରକଳ୍ପଗୁଡିକରେ ଖଣ୍ଡଲାଇଟ୍‍ ପଥର ବ୍ୟବହାର ସହିତ ଏହା କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ହେଉଥିବା ଅଧିକାରୀମାନେ କହିଛନ୍ତି । (ତଥ୍ୟ)