ଭୁବନେଶ୍ୱର : ବହିର ବିକଳ୍ପ ନାହିଁ । ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି ।
ଆଜି ଭୁବନେଶ୍ୱରରେ ଆୟୋଜିତ ପଂଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ “ଅକ୍ଷର’ର ସମାପନ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ । ଏହା ଅସୀମ ଦୁନିଆକୁ ପ୍ରବେଶ ପଥ । ପୁସ୍ତକ ମାଧ୍ୟମରେ ଚିନ୍ତାଚେତନା ଓ ଭାବଭାବନାର ଅଭିବୃଦ୍ଧି ଘଟିଥାଏ । ବୌଦ୍ଧିକ ପରିସରକୁ ପରିପୁଷ୍ଟ କରିଥାଏ । ପୁସ୍ତକର ଶକ୍ତି ବନ୍ଧୁକର ଗୁଳିଠୁ ବି ଅଧିକ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।
ପୁସ୍ତକକୁ ଆଦରିବାର ଅର୍ଥ ହେଉଛି ଜ୍ଞାନ ଓ ଧର୍ମକୁ ସମ୍ମାନ କରିବା । ପୁସ୍ତକର ଯାତ୍ରା ମୌଖିକ ମାଧ୍ୟମରୁ ଆରମ୍ଭ କରି ଏଠି ପହଂଚିଛି । ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ପୁସ୍ତକ ନୂଆ ରୂପ ନେବାରେ ଲାଗିଛି । ଏହାକୁ ଆପଣେଇବା ହିଁ ଆଜିର ବାସ୍ତବତା ବୋଲି ରାଜ୍ୟପାଳ କହିଛନ୍ତି ।
ପଠନାଭ୍ୟାସକୁ ଗୁରୁତ୍ୱ ଦେବା ଦରକାର । ବ୍ୟକ୍ତିଗତ ତଥା ସାମାଜିକସ୍ତରରେ ବେଶୀ ପାଠାଗାର ସ୍ଥାପନ ହେବା ଆବଶ୍ୟକ । ଆମ ଦେଶର ସାହିତ୍ୟର ଏକ ଦୀର୍ଘ ଓ ସମୃଦ୍ଧ ପରଂପରା ରହିଛି । ଓଡ଼ିଆ ସାହିତ୍ୟ ସହ ଅନ୍ୟ ଭାଷାର ସାହିତ୍ୟ ମଧ୍ୟରେ ସଂପର୍କକୁ ଗଠନମୂଳକ ଓ କ୍ରିୟାଶୀଳ କରିବାକୁ ରାଜ୍ୟପାଳ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି ।
ଓଡ଼ିଆ ସାହିତ୍ୟ, ଭାଷା ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନ ସମାରୋହରେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଡ.ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଖ୍ୟାତ କବି ରମାକାନ୍ତ ରଥଙ୍କ କବିତାର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା । କବି ଶ୍ରୀ ରଥଙ୍କ ସହ ଅନୁବାଦକ ଜିତେନ୍ଦ୍ରନାଥ ମିଶ୍ର ମଂଚରେ ଉପସ୍ଥିତ ଥିଲେ । ବିଭାଗୀୟ ଉପନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଶିଷ୍ଟ ଲେଖିକା ତଥା ରାଜ୍ୟ ସଂଗ୍ରାହାଳୟର ଅଧ୍ୟକ୍ଷା ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।