ଭୁବନେଶ୍ୱର : କୁନି କୁନି ପିଲାଙ୍କ ପଠନ ପୁସ୍ତରେ ବିଭିନ୍ନ ନାମୀ ଦାମୀ କମ୍ପାନୀର ଯେଉଁ ଚିତ୍ର ଦିଆଯାଇଛି ତାହା ଉପରେ ଆପତ୍ତି ଉଠାଇଛନ୍ତି ଏସ୍ସିଇଆରଟି କର୍ତ୍ତୃପକ୍ଷ । ପାଠପଢା ସମୟରେ ପିଲାଙ୍କୁ ଏହି ଚିତ୍ର ନଦେଖାଇବାପାଇଁ କହିଛନ୍ତି ।
ତୃତୀୟ ଶ୍ରେଣୀ ପିଲାଙ୍କ ପାଠନ ପୁସ୍ତକର ପ୍ରଥମ ପୃଷ୍ଠାରେ ଏଭଳି ଚିତ୍ର ରହିଥିବା କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଥିଲା । ଏହି ପୃଷ୍ଠାରେ ଚକୋଲେଟ, ହର୍ଲିକ୍ସ, କୁରକୁରେ, ଲୁଣ, ଥଣ୍ଡାପାନୀୟ ଓ ବିସ୍କୁଟ ଆଦି ସଂକ୍ରାନ୍ତରେ ପଢାଇବା ପାଇଁ ସେଗୁଡିକର ଚିତ୍ର ଦିଆଯାଇଛି । ତେବେ ଏହିସବୁ ଚିତ୍ର ବିଭିନ୍ନ କମ୍ପାନୀର ରହିଛି । ପାଠ୍ୟ ପୁସ୍ତକରେ ବ୍ରାଣ୍ଡେଡ୍ ବା କୌଣସି ନିର୍ଦ୍ଦିଷ୍ଟ କମ୍ପାନୀର ଚିତ୍ର ରହିବନାହିଁ ବୋଲି ଏସ୍ସିଇଆରଟି କର୍ତ୍ତୃପକ୍ଷ ସିଧାସଳଖ କହିଛନ୍ତି ।
ଏହି ମର୍ମରେ ଏସ୍ସିଇଆରଟି ପକ୍ଷରୁ ଓସେପା କର୍ତ୍ତୃପକ୍ଷଙ୍କୁ ପତ୍ର ଲେଖାଯାଇଛି । ଏଥିରେ ଦର୍ଶାଯାଇଛି ଯେ ତୃତୀୟଶ୍ରେଣୀ ପଠନ ପୁସ୍ତକର ପ୍ରଥମ ପୃଷ୍ଠାରେ ଥିବା ଲେଖା ଓ ଛବିକୁ ହଟାଇ ନେବାପାଇଁ କୁହାଯାଇଛି । ଏ ସଂକ୍ରାନ୍ତରେ ତୁରନ୍ତ ପଦକ୍ଷେପ ଗ୍ରହଣ ସହିତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ଖରାଛୁଟି ବାତିଲ କରି ବର୍ତ୍ତମାନ ବିଦ୍ୟାଳୟରେ ଯେଉଁ ପାଠ ପଢାଉଛନ୍ତି ସେଥିପାଇଁ ଏହି ପଠନ ପୁସ୍ତିକା ଦେଇଛନ୍ତି । ତେବେ ଶିକ୍ଷକମାନଙ୍କର କହିବାକଥା ଯେ ଗୋଟିଏ ପଟେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁପାତରେ ପୁସ୍ତକ ମିଳୁନଥିବାବେଳେ ଏବେ ଏଥିରେ ଏଭଳି ତ୍ରୁଟି ପରିଲକ୍ଷିତ ହେଉଛି ।
ଅବସ୍ଥା ଏଭଳି ହୋଇଛି ଖରାଛୁଟି ପାଠ ପାଇଁ ଯେତିକି ପୁସ୍ତକ ଦିଆଯାଇଛି ତାହା ବିଦ୍ୟାଳୟର ଅଧା ପିଲାଙ୍କୁ ବି ଅଣ୍ଟୁନାହିଁ । ଏଣେ ଛୁଟିରେ କିଭଳି ପାଠପଢା ହେଉଛି ତାହାକୁ ନେଇ ପ୍ରତି ଶନିବାର ପିଲାଙ୍କ ମେଧାଜ୍ଞାନ ମାପିବାପାଇଁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ଏବେ ପାଠ୍ୟପୁସ୍ତକ ଅଭାବକୁ ନେଇ ଏବେ ଗାଁ ଗହଳ ବିଦ୍ୟାଳୟରେ ଶିକ୍ଷକମାନଙ୍କ ସହ ଅଭିଭାବକ ମୁହାଁମୁହିଁ ହେଉଛନ୍ତି ।
ଅଳ୍ପ ପୁସ୍ତକରେ ପାଠପଢା ନେଇ ସମସ୍ୟା ଉପୁଜିଥିବାବେଳେ ବର୍ତ୍ତମାନ ଏଭଳି ଫଟୋକୁ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିବାରୁ ଅବଶିଷ୍ଟ ଦିନ ଗୁଡିକ ଲାଗି ଏହି ବହି ଆଉ ଖୋଲା ହେବନାହିଁ ବୋଲି ଶିକ୍ଷକ ଶିକ୍ଷୟତ୍ରୀମାନେ ମତ ଦେଉଛନ୍ତି । (ତଥ୍ୟ)