ଭୁବନେଶ୍ୱର : ବାରମ୍ବାର ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ୧୦ଟି ଜିଲ୍ଲା ମଧ୍ୟରେ ପୁରୀ ଜିଲ୍ଲାର ସର୍ବାଧିକ ଅଞ୍ଚଳ ସମ୍ବେଦନଶୀଳ ତାଲିକାରେ ରହିଛି । ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର ପକ୍ଷରୁ ବହୁମୁଖୀ ସମ୍ବେଦନଶୀଳ ସ୍ଥାନକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାରେ ଏହା ଦର୍ଶାଯାଇଛି ।
ଓଡିଶା ଉପକୂଳର ବହୁମୁଖୀ ସମ୍ବେଦନଶୀଳ ଅଞ୍ଚଳ ସଂକ୍ରାନ୍ତରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ କାରିଗରୀ ଓ ଭୂବିଜ୍ଞାନ ବିଭାଗର ସ୍ୱାଧୀନ ଦାୟିତ୍ୱରେ ଥବା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ । କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ସାମୁଦ୍ରିକ ସୂଚନା କେନ୍ଦ୍ର ଓଡିଶାର ଯେଉଁ ୧୦ଟି ଜିଲ୍ଲାକୁ ନେଇ ତାହାର ତାଲିକା ପ୍ରସ୍ତୁତ କରିଛି ସେହିସବୁ ଜିଲ୍ଲା ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଜଗତ୍ସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋରଧା, ନୟାଗଡ ଓ ପୁରୀ ।
ତେବେ ତାଲିକାରେ ପୁରୀର ସର୍ବାଧିକ ଅଞ୍ଚଳକୁ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି । ଜିଲ୍ଲାରେ ୨୭୪୭ ବର୍ଗ କିଲୋମିଟର ଅର୍ଥାତ୍ ମୋଟ୍ କ୍ଷେତ୍ରଫଳର ପ୍ରାୟ ୮୨ ପ୍ରତିଶତ ସମ୍ବେଦନଶୀଳ ଅଞ୍ଚଳ । ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି କେନ୍ଦ୍ରାପଡା ଜିଲ୍ଲା । ଏହି ଜିଲ୍ଲାର ୭୭ ପ୍ରତିଶତ ଅଞ୍ଚଳ ସମ୍ବେଦନଶୀଳ ହୋଇଥିବାବେଳେ ଜଗତ୍ସିଂହପୁରର ପ୍ରାୟ ୬୦ ପ୍ରତିଶତ, ଭଦକ୍ରର ପ୍ରାୟ ୫୨ ପ୍ରତିଶତ ଓ ବାଲେଶ୍ୱରର ୨୭ ପ୍ରତିଶତରୁ ଅଧିକ ଅଞ୍ଚଳ ରହିଛି । ସବୁଠାରୁ କମ୍ ନୟାଗଡର ୦.୦୧ ପ୍ରତିଶତ ଏହି ତାଲିକାରେ ରହିଥିବାବେଳେ ଯାଜପୁର ଜିଲ୍ଲାର ୧.୮୧ ପ୍ରତିଶତ ରହିଛି ।
ତାଲିକା ପ୍ରସ୍ତୁତି ସମୟରେ ସମୁଦ୍ର ପତ୍ତନରେ ପରିବର୍ତ୍ତନ, ଉପକୂଳରେ ବଦଳୁଥିବା ଅଞ୍ଚଳ, ଜୁଆର ସମୟରେ ଅତ୍ୟଧିକ ଜଳ ପତ୍ତନ ଓ ଏହାର ଫେରିବା ସମୟ ଆଦିକୁ ହିସାବକୁ ନିଆଯାଇଛି । ଏହି ଜାତୀୟ ସୂଚନା କେନ୍ଦ୍ର ଓଡିଶା ସମେତ ଦେଶର ସମଗ୍ର ଉପକୂଳ ପାଇଁ ଗୋଟିଏ ମାନକ ବିକଶିତ କରିଛି । ବିଗତ ଶହେ ବର୍ଷର ଉପକୂଳ ବିପର୍ଯ୍ୟୟକୁ ନେଇ ଏହା ପ୍ରସ୍ତୁତ କରାଯାଇଛି ।
ଉଲ୍ଲେଖନୀୟ ଯେ ଏହି ଜାତୀୟ ସୂଚନା କେନ୍ଦ୍ର ସମ୍ବେଦନଶୀଳ ଅଞ୍ଚଳକୁ ନେଇ ଯେଉଁ ତାଲିକା ପ୍ରସ୍ତୁତ କରିଛି ସେଥିବରେ ନୟାଗଡ ଓ ଯାଜପୁରକୁ ବାଦ୍ ଦେଲେ ଅନ୍ୟ ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପରିଲକ୍ଷିତ ହୋଇଥାଏ । ୧୯୯୯ ମସିହାର ମହାବାତ୍ୟା ଠାରୁ ଆରମ୍ଭକରି, ତିତିଲି, ଫନି, ହୁଡହୁଡ୍ ଆଦି ବାତ୍ୟା ସମେତ ଏକାଧିକ ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଏହିସବୁ ଜିଲ୍ଲାରେ ବ୍ୟାପକ ବିପର୍ଯ୍ୟୟ ଘଟାଇଥିବାର ନଜିର ରହିଛି । ପ୍ରତିବର୍ଷ ସମୁଦ୍ରପଟରୁ ଏହିସବୁ ଜିଲ୍ଲା ପ୍ରତି ଦେଖା ଦେଉଥିବା ବିପଦକୁ ଉଭୟ ସାଧାରଣ ଲୋକେ ଓ ସରକାର ମୁକାବିଲା କରୁଥିବାବେଳେ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇ ରାଜ୍ୟର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଉଛି । (ତଥ୍ୟ)

