ଭୁବନେଶ୍ୱର : ଦଶ ଦିନ ମଧ୍ୟରେ ତିନିଥର ବଢିଲାଣି ଦର। ଆଜି ପୁଣି ମହଙ୍ଗା ହୋଇଛି ପେଟ୍ରୋଲ-ଡିଜେଲ୍। ଲିଟର ପିଛା ପ୍ରାୟ ଟଙ୍କାଏ ଲେଖାଏଁ ବୃଦ୍ଧି ଘଟିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦରରେ ବୃଦ୍ଧି ହେଉଛି ଏବଂ ତୈଳ କମ୍ପାନୀ କ୍ଷତି ସହୁଥିବା କହୁଛନ୍ତି। ଏପରିକି ଆଗକୁ ବି ଦର ବୃଦ୍ଧି ଟ୍ରେଣ୍ଡ ଜାରି ରହିବ। ଏଭଳି ସ୍ଥିତିରେ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରି ଖାଉଟିଙ୍କ ବୋଝ ହାଲକା କରିବାକୁ ଦାବି କରିଛନ୍ତି ବିରୋଧୀ।
ମେ ୧୫ ତାରିଖରେ ପେଟ୍ରୋଲ ୩ଟଙ୍କା ୨୨ପଇସା ଡିଜେଲ ୩ଟଙ୍କା ୧୯ପଇସା ବଢିଥିଲା। ମେ ୧୯ରେ ପେଟ୍ରୋଲ ୯୩ ପଇସା, ଡିଜେଲ ୯୬ ପଇସା ବଢିଲା। ମେ ୨୩ ତାରିଖରେ ପୁଣି ପେଟ୍ରୋଲ ୯୨ ପଇସା, ଡିଜେଲ ୯୭ ପଇସା ବଢିଛି। ୩ ଥରରେ ବଢ଼ିଲାଣି ୫ରୁ ଅଧିକ ଟଙ୍କା। ସକାଳୁ ସକାଳୁ ଗାଡି ଟାଙ୍କିରେ ଲଗାଇବା ବେଳକୁ ବଦଳିଯାଉଛି ଦର।
ଆଜି ରାଜଧାନୀ ଭୁବନେଶ୍ୱର ର ପମ୍ପରେ ପେଟ୍ରୋଲ ଲିଟର ପିଛା ଦର ରହିଛି ୧୦୬ଟଙ୍କା ୩୩ ପଇସା। ଡିଜେଲ ଲିଟରକୁ ୯୭ଟଙ୍କା ୯୨ ପଇସା। ସ୍ପିଡ୍ ପେଟ୍ରୋଲ ୧୧୫ ଟଙ୍କା ୪୭ ପଇସାରେ ପହଁଚିଛି। ପଶ୍ଚିମ ଏସିଆ ସଂକଟ ଯୋଗୁ ଅଶୋଧିତ ତୈଳ ଦରରେ ମଧ୍ୟ ନିୟମିତ ବୃଦ୍ଧି ହେଉଛି। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ବ୍ୟାରେଲ ପିଛା ୧୧୩ ଡଲାରରେ ପହଁଚିଲାଣି। ଯାହାର ପ୍ରଭାବ ତେଲ ଦର ଉପରେ ପଡୁଛି। ଯାହାକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢୁଛି। କାରଣ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ମଧ୍ୟ ଚାହୁଁ ଚାହୁଁ ବଢିଯାଉଛି।
ସେପଟେ ତୈଳ କଂପାନୀଙ୍କ କହିବା କଥା, ବର୍ତ୍ତମାନ ସେମାନଙ୍କୁ ପେଟ୍ରୋଲ ଲିଟର ପିଛା ୩୦ ଟଙ୍କା ଆଉ ଡିଜେଲରେ ପ୍ରାୟ ୮୦ ଟଙ୍କା ପ୍ରତି ଲିଟର କ୍ଷତି ସହିବାକୁ ପଡୁଛି। ଦିନକୁ କ୍ଷତି ହେଉଛି ପ୍ରାୟ ହଜାରେ କୋଟି। ଅନ୍ତର୍ଜାତୀୟ ବଜାରରେ ମହଙ୍ଗା ସ୍ଥିତି ଯୋଗୁଁ ଆଗକୁ ତେଲ ଦର ବୃଦ୍ଧି ଆହୁରି ହୋଇପାରେ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲର ମୂଳ ଦର ରହିଛି ୬୮ ଟଙ୍କା ୩୧ ପଇସା। ସେଥିରେ ଏକ୍ସସାଇଜ୍ ଡ୍ୟୁଟି ୧୧ ଟଙ୍କା ୯୦ ପଇସା, ଭାଟ୍ ୨୨ ଟଙ୍କା ୩୮ ପଇସା ଏବଂ ଡିଲର୍ ମାର୍ଜିନ୍ ରହିଛି ୩ ଟଙ୍କା ୭୭ ପଇସା। ସେହିପରି ଡିଜେଲ ମୂଳ ଦର ୬୯ ଟଙ୍କା ୩୧ ପଇସା, ଏକ୍ସସାଇଜ୍ ଡ୍ୟୁଟି ୭ଟଙ୍କା ୮୦, ଭାଟ୍ ୧୮ ଟଙ୍କା ୪୫ ଏବଂ ୨ଟଙ୍କା ୩୬ ପଇସାର ଡିଲର ମାର୍ଜିନ ରହିଛି। ପେଟ୍ରୋଲ ଉପରେ ୨୮ ପ୍ରତିଶତ ଏବଂ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ୍ ଲଗାଇଛନ୍ତି ରାଜ୍ୟ ସରକାର।
ଖାଉଟି ହଇରାଣ ହେଉଥିବାରୁ ଭାର ହାଲକା କରିବାକୁ ସରକାର ତେଲ ଉପରେ ଭାଟ କମାନ୍ତୁ ବୋଲି ଦାବି କରିଛି ବିଜେଡି। ବିଜେପି କହିଛି, ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରେ। ଭାଟ୍ କମିବ କି ନାହିଁ, ରାଜ୍ୟ ସରକାର ଆର୍ଥିକ ଦୃଷ୍ଟିରୁ ବିଚାର କରିବେ। ସେପଟେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସରଭୁକ୍ତ କରିବାକୁ ମଧ୍ୟ ଦାବି ହେଉଛି।

