Home Covid ପୁଣି କରୋନା ବିସ୍ଫୋରଣ ଆଶଙ୍କା

ପୁଣି କରୋନା ବିସ୍ଫୋରଣ ଆଶଙ୍କା

ଭୁବନେଶ୍ୱର : ଦେଶ ବିଦେଶରେ ପୁଣି କରୋନା ସଂକ୍ରମଣ ବଢି ଚାଲୁଥିବାବେଳେ ଓଡିଶା ପାଇଁ ଏହା ସତର୍କ ଘଣ୍ଟି ଭଳି ହୋଇଛି । ତେବେ କରୋନା କଟକଣାକୁ ସରକାରୀ ଓ ବେସରକାରୀ ସ୍ତରରେ ଆଉ କେହି ଅନୁପାଳନ କରୁନଥିବାରୁ ଯେକୌଣସି ସମୟରେ ଓଡିଶାରେ କରୋନା ବିସ୍ଫୋରଣ ଘଟିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

କରୋନାର ଏନ୍ତୁଡିଶାଳ ଚୀନ୍‍ରେ ଏବେ ଏହି ରୋଗର ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଫଳରେ ସେଠାକାର ଅନେକ ସହରରେ କର୍ଫ୍ୟୁ ଭଳି ପରିସ୍ଥିତି ଉପୁଜିଛି । ଚୀନ୍‍ ଭାରତର ପଡୋଶୀ ରାଷ୍ଟ୍ର ହୋଇଥିବାରୁ ଆମ ଦେଶକୁ ପୁଣି ଚୀନ୍‍ରୁ କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ । ଏବେ ବିମାନ, ରେଳ ଆଦି ଯାତ୍ରାରେ କିଛି କଟକଣା ନଥିବାରୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ଆସିବା ସହଜରେ ହେଉଛି ।

କେରଳ, ମହାରାଷ୍ଟ୍ର, ଦିଲ୍ଲୀ ଆଦିରେ କରୋନା ସଂକ୍ରମଣ ଗତ କିଛିଦିନ ମଧ୍ୟରେ ବଢିବାରେ ଲାଗିଛି । ଓଡିଶାରେ ବି ସପ୍ତାହକ ମଧ୍ୟରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏମିତିକି ଏକ ଘରୋଇ ଛାତ୍ରାବାସର ୧୩ଜଣ ଅନ୍ତେବାସୀ ଏକ ସଙ୍ଗେ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି ।

ମୁମ୍ବାଇରେ ଜଣେ ତାରକାଙ୍କ ଭୋଜିରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ହୋଇଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ପୂର୍ବରୁ ହାଟ, ବଜାର ଠାରୁ ଆରମ୍ଭକରି ଶିକ୍ଷାନୁଷ୍ଠାନ, ଦପ୍ତର, ପରିବହନ ସେବା ଆଦିରେ କରୋନା ପରିପ୍ରେକ୍ଷୀରେ ଯେତେସବୁ କଟକଣା ଥିଲା ଏବେ ଆଉ ତାହା ନାହିଁ । ଭୋଜି ଭାତ ଉପରେ ଏବେ ଆଦୌ କଟକଣା ନାହିଁ । ତେଣୁ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା, ହାତ ଧୋଇବା, ଘର ସାନିଟାଇଜ କରିବା ଆଦି ଯେତେସବୁ କଟକଣା ଥିଲା ତାହାର ଏବେ ପ୍ରାୟତଃ ଅନୁପାଳନ କରାଯାଉନଥିବାରୁ କରୋନା ସଂକ୍ରମଣ ବଢିବାର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ।

ଓଡିଶାରେ ଅପେକ୍ଷାକୃତ ଭାବେ ଟିକାଦାନ ହାର ଭଲ ରହିଥିଲେ ମଧ୍ୟ ପ୍ରାୟ ଚାରିମାସ ଧରି ଏ କ୍ଷେତ୍ରରେ ଶିଥିଳତା ଲକ୍ଷ୍ୟ କରାଯାଉଛି । ସରକାରୀ ଡାକ୍ତରଖାନାଗୁଡିକରେ ଯେତେ ପରିମାଣର କରେନା ଟିକା ଦିଆଯାଉଥିଲା ତାହା ଆଉ ହେଉନାହିଁ । ଘରୋଇ ଡାକ୍ତରଖାନାରେ କରୋନା ଟିକା ବିକ୍ରି ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ଯେଉଁ ଦର ଧାର୍ଯ୍ୟ କରାଯାଇଛି ସେଥିଯୋଗୁଁ ଅନେକ ଅମଙ୍ଗ । ବିଶେଷକରି କରୋନାର ବୁଷ୍ଟର ଡୋଜ୍‍ ନେବାପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ କମୁଥିବାବେଳେ ପୂର୍ବଭଳି ସଚେତନତା ସୃଷ୍ଟି କରାଯାଉନାହିଁ ।

ବୈଜ୍ଞାନିକମାନେ କହୁଛନ୍ତି ଯେ କରୋନା କୌଣସି ନିର୍ଦ୍ଦିଷ୍ଟ ଭୌଗଳିକ ପରିସୀମା ମଧ୍ୟରେ ଆବଦ୍ଧ ରୁହେ ନାହିଁ । ୨୦୨୦ ମାର୍ଚ୍ଚ ୧୬ତାରିଖରେ ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନିତ ହୋଇଥିବାବେଳେ ଭାରତର ପ୍ରଥମ କରୋନା ରୋଗୀ ସେହିବର୍ଷ ଜାନୁୟାରୀ ୩୦ରେ ଚିହ୍ନଟ ହୋଇଥିଲେ । କିନ୍ତୁ ସେତେବେଳେ ତିନିମାସ ଭିତରେ କରୋନା କିଭଳି ତାହାର କରାଳ କାୟା ବିସ୍ତାର କରି ବ୍ୟାପକ ଜନଜୀବନ କ୍ଷତି ସହ ଅର୍ଥନୀତି ବିଧ୍ୱସ୍ତ କରିଦେଲା ତାହାର କରାଳ ଚିତ୍ର ଏବେ ବି ଲୋକଙ୍କ ମନରେ ରହିଛି ।

ତେଣୁ କରୋନାର ପରବର୍ତ୍ତୀ ଲହରକୁ ଆଖିଆଗରେ ରଖି ଏବେଠାରୁ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା ସହ ପୁଣି ମାସ୍କ ପରିଧାନକୁ ବାଧ୍ୟତାମୂଳକ ସହ ଭୋଜି ଭାତ ଓ ହାଟ ବଜାରରେ ଗହଳି କମାଇବା ଏବଂ ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଯଥାଶୀଘ୍ର ଟିକା ଦେବା ଜରୁରୀ ହୋଇପଡିଥିବା ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)