Home Judiciary ପୁଣି ଉଠିଲାଣି ସ୍ୟାଟ୍‍ ପୁନଃ ସ୍ଥାପନ ଦାବି

ପୁଣି ଉଠିଲାଣି ସ୍ୟାଟ୍‍ ପୁନଃ ସ୍ଥାପନ ଦାବି

ଭୁବନେଶ୍ୱର : ଚାକିରି ଓ ପେନସନ୍‍ ସଂକ୍ରାନ୍ତୀୟ ମାମଲାଗୁଡିକର ତ୍ୱରିତ ଫଏସଲା ପାଇଁ ରାଜ୍ୟ ସରକାର ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍) ର ପୁନଃ ପ୍ରତିଷ୍ଠା କରିବାଲାଗି ଏବେ ବିଭିନ୍ନ ମହଲରୁ ପୁଣି ଜୋରଦାର ଦାବି ହେଉଛି । ବିଜେଡି ସରକାର ସମୟରେ ସ୍ୟାଟ୍‍ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯିବାବେଳେ ବିଜେପି ଏହାର ବିରୋଧ କରୁଥିଲା । ଏମିତିକି ୨୦୧୯ର ନିର୍ବାଚନ ଇସ୍ତାହାରରେ ମଧ୍ୟ ସ୍ୟାଟ୍‍ ପୁନଃ ପ୍ରତିଷ୍ଠା ଲାଗି ପ୍ରତିଶ୍ରୁତି ଦେଇଥିବା ପରିପ୍ରେକ୍ଷୀରେ ଓଡିଶାରେ କ୍ଷମତାସୀନ ବିଜେପି ସରକାର ତାଙ୍କର ପୂର୍ବ ପ୍ରତିଶ୍ରୁତି ପାଳନ କରିବାଲାଗି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।

ଏଠାରେ ଉଲ୍ଲେଖନୀୟ ଯେ କିଛି ନିର୍ଦ୍ଦିଷ୍ଟ ଅଫିସରଙ୍କ ଜିଦ୍‍ ଯୋଗୁଁ ବିଜେଡି ସରକାର ସମୟରେ ସ୍ୟାଟ୍‍ ଉଚ୍ଛେଦ ଲାଗି ନିଷ୍ପତ୍ତି ନିଆଯାଇଥିଲା । ବିଜେପିର ବିରୋଧ ଯୋଗୁଁ ପ୍ରାୟ ୪ବର୍ଷ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନଥିଲା । ତେବେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସ୍ୟାଟ୍‍ ଉଚ୍ଛେଦ ଜିଦ୍‍ରେ ଅଟଳ ରହି ଏହି ବିଚାର ବିଭାଗୀୟ ସଂସ୍ଥାଟିକୁ ଭାଙ୍ଗି ଦେଇଥିଲେ ।

୧୯୮୬ ମସିହାରେ ଦେଶର ପ୍ରଥମ ରାଜ୍ୟପ୍ରଶାସନିକ ନ୍ୟାୟାଧିକରଣ ଭାବେ ସ୍ୟାଟ୍‍ ପ୍ରତିଷ୍ଠା କରାଯାଇଥିଲା । ସମ୍ବିଧାନର ୩୨୩ ଧାରା ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, ଚାକିରି ପ୍ରତ୍ୟାଶୀ ଓ ପେନ୍‍ସନଭୋଗୀଙ୍କ ସମସ୍ୟାର ସମାଧାନ ଲାଗି କ୍ୟାଟ୍‍ ଓ ସ୍ୟାଟ୍‍ ସାରା ଦେଶରେ ଗଢାଯାଇଥିଲା । ଏବେ କଟକରେ କ୍ୟାଟ୍‍ ଅଦାଲତ କାର୍ଯ୍ୟକ୍ଷମ ଥିବାବେଳେ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଚାଲି ଆସୁଥିବା ସ୍ୟାଟ୍‍ ଅଦାଲତ କିନ୍ତୁ ବନ୍ଦ ରହିଛି । ସ୍ୟାଟରେ କାର୍ଯ୍ୟରତ ଅନେକ କର୍ମଚାରୀ ଏବେ ମଧ୍ୟ ବେତନ ପାଉଛନ୍ତି ।

ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସ୍ୟାଟ୍‍ ସଫଳତାର ସହ କାର୍ଯ୍ୟ କରୁଥିଲା । ସମ୍ବଲପୁର ଓ ବ୍ରହ୍ମପୁରରେ ଏହାର ଦୁଇଟି ସର୍କିଟ୍‍ ବେଞ୍ଚରେ ଉଭୟ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଲୋକେ ମାମଲା ରୁଜୁ କରୁଥିଲେ । ପଶ୍ଚିମଓଡିଶା ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯାଇ ପାରୁନଥିବାବେଳେ ସେଠାରେ ସର୍କିଟ୍‍ ବେଞ୍ଚ୍‍ ବି ବସିପାରୁନାହିଁ । ଫଳରେ ଚାକିରି ଓ ପେନସନ୍‍ ସଂକ୍ରାନ୍ତୀୟ ସମସ୍ୟାରେ ଛନ୍ଦି ହେଉଥିବା ସେଠାକାର ଲୋକେ ମାମଲା ରୁଜୁ କରିବାପାଇଁ କଟକ ଦଉଡି ବ୍ୟାପକ ଖର୍ଚ୍ଚାନ୍ତ ହେଉଛନ୍ତି । କଟକ ଓ ଭୁବନେଶ୍ୱରରେ ନିର୍ମିତ ହୋଇଥିବା ସ୍ୟାଟ୍‍ର ସୌଧ ଅସ୍ଥାୟୀଭାବେ ଭିନ୍ନ କାମରେ ଲାଗୁଛି । ଏବେ ପଶ୍ଚିମଓଡିଶା ଓ ଦକ୍ଷିଣଓଡିଶାର ବହୁ କର୍ମଚାରୀ ସଂଗଠନ ଏବଂ ଜନପ୍ରତିନିଧି ସମ୍ବଲପୁର ଓ ବ୍ରହ୍ମପୁରରେ ସ୍ୟାଟ୍‍ ବେଞ୍ଚ ପୁନଃ କାର୍ଯ୍ୟକ୍ଷମ କରିବା କିମ୍ବା ଏଠାରେ ତୁରନ୍ତ ହାଇକୋର୍ଟର ସର୍କିଟ୍‍ ବେଞ୍ଚ ଖୋଲିବା ଲାଗି ଦାବି ଉଠାଉଛନ୍ତି ।

ହାଇକୋର୍ଟରେ ମାମଲାର ଚାପ ଅଧିକ ରହୁଥିବା ସ୍ଥଳେ ଅନୁମୋଦିତ ବିଚାରପତି ପଦବୀର ଅଧାରୁ ଅଧିକ ପୂରଣ ହୋଇପାରୁ ନାହିଁ । ଏହା ସତ୍ୱେ ବି ହାଇକୋର୍ଟର ବିଚାରପତିମାନେ ମାମଲା ଫଏସଲା ଧାରା ଅବ୍ୟାହତ ରଖିଛନ୍ତି । ସ୍ୟାଟ୍‍ ପୁନଃ କାର୍ଯ୍ୟକ୍ଷମ ହେଲେ ହାଇକୋର୍ଟ ଉପରେ ଚାକିରି ସଂକ୍ରାନ୍ତୀୟ ମାମଲାର ବୋଝ କମିବ । ସେ ସମୟରେ କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଥିବା ପରିପ୍ରେକ୍ଷୀରେ ସ୍ୟାଟ୍‍ ଉଚ୍ଛେଦ ହୋଇଥିଲା । ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଥିବା ଦୃଷ୍ଟିରୁ ରାଜ୍ୟ ବିଜେପି ନେତୃତ୍ୱ ଚାହିଁଲେ ଅତି ସହଜରେ ଖୁବଶୀଘ୍ର ସ୍ୟାଟ୍‍ ପୁନଃ ପ୍ରତିଷ୍ଠା ହୋଇପାରିବ ବୋଲି ବହୁ ଆଇନ୍‍ଜୀବୀ ମଧ୍ୟ ମତବ୍ୟକ୍ତ କରୁଛନ୍ତି । ପୂର୍ବରୁ ସ୍ୟାଟ୍‍ରେ ଯେତେ ମାମଲା ଫଏସଲା ହେଉଥିଲା ତାହାର ୬୦ ପ୍ରତିଶତରୁ ଅଧିକ ସରକାର କାର୍ଯ୍ୟକାରୀ କରିଦେଉଥିବାରୁ ଖୁବ୍‍ କମ୍‍ ମାମଲାରେ ସ୍ୟାଟ୍‍ ରାୟ ବିରୁଦ୍ଧରେ ହାଇକୋର୍ଟରେ ରିଟ୍‍ ଅପିଲ୍‍ ହେଉଥିଲା । ଏବେ କିନ୍ତୁ ସ୍ୟାଟ୍‍ ନଥିବାରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମାମଲାର ସଂଖ୍ୟା ହାଇକୋର୍ଟରେ ଢେର ଅଧିକ ରୁଜୁ ହେଉଥିବା କୁହାଯାଉଛି । (ତଥ୍ୟ)