Home Agriculture ଧାନ ବିହନ ଚାଷୀ ହଟହଟା

ଧାନ ବିହନ ଚାଷୀ ହଟହଟା

ଭୁବନେଶ୍ୱର : ଧାନ ବିହନ ଚାଷ କରି ରାଜ୍ୟର ବିହନଚାଷୀମାନେ ଏକ ପ୍ରକାର ଫଶି ଯାଇଛନ୍ତି । ସାଧାରଣ ଧାନଚାଷ କରିଥିବା ଚାଷୀମାନେ ସେମାନଙ୍କର ଉତ୍ପାଦିତ ଧାନ ବିକି ପାଇଥିବା ଟଙ୍କା ଖର୍ଚ୍ଚ କରୁଥିବାବେଳେ ବିହନ ଚାଷୀମାନଙ୍କୁ କିନ୍ତୁ ସେମାନଙ୍କର ପ୍ରାପ୍ୟ ମିଳିପାରୁ ନାହିଁ । ଧାନ ଦେବାର ମାସାଧିକକାଳ ପରେ ବି ଓଡିଶା ବିହନ ନିଗମରୁ ବିହନ ବାବଦ ଟଙ୍କା ନପାଇ ଚାଷୀମାନେ ଏବେ ଚିନ୍ତାରେ ପଡିଛନ୍ତି ।

ଧାନ ବିହନ ଉତ୍ପାଦନ ପାଇଁ ଓଡିଶା ବିହନ ନିଗମ ଠାରୁ ଅନୁମତି ନେଇ ଚାଷୀମାନେ ବିହନ ଉତ୍ପାଦନ କରିଥାନ୍ତି । ଏଥିପାଇଁ ନିଗମ ପକ୍ଷରୁ ସେମାନଙ୍କୁ ପିଣ୍ଡ ବିହନ ଯୋଗାଣ ହେଉଥିବାବେଳେ ଚାଷୀମାନେ ପ୍ରାମାଣିକ ଧାନ ବିହନ ଉତ୍ପାଦନ କରି ନିଗମକୁ ଦେଇଥାନ୍ତି । ନିଗମ କର୍ତ୍ତୃପକ୍ଷ ଏହି ପ୍ରମାଣିକ ଧାନ ବିହନକୁ ସମଗ୍ର ରାଜ୍ୟରେ ଚାଷୀମାନଙ୍କୁ ଯୋଗାଇ ଦେଇଥାନ୍ତି ।

ଚଳିତବର୍ଷ ବିହନ ଉତ୍ପାଦନ କରିଥିବା ଚାଷୀମାନେ ସେମାନଙ୍କ ଧାନ ବିହନକୁ ଡିସେମ୍ବର ମାସରୁ ନିଗମର ପ୍ରକ୍ରିୟାକରଣ କେନ୍ଦ୍ରରେ ଦାଖଲ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ପ୍ରାପ୍ୟ ପାଇପାରୁ ନାହାନ୍ତି । ଏଥିପାଇଁ ନିଗମର ମୁଖ୍ୟ ଦପ୍ତର ଓ ପ୍ରକ୍ରିୟାକରଣ କେନ୍ଦ୍ରର ଅଧିକାରୀମାନେ ପରସ୍ପର ଉପରକୁ ଦୋଷ ଠେଲାଠେଲି ହେଉଛନ୍ତି । ତେବେ ବିହନ ସଂଗ୍ରହ କରିବା ଓ ବିତରଣ ପାଇଁ ନିଗମର ପ୍ରଡକ୍ସନ ମ୍ୟାନେଜର, ମାର୍କେଟିଂ ମ୍ୟାନେଜର, ଫାଇନାନ୍ସ ମ୍ୟାନେଜର ଭଳି ଅଧିକାରୀ ନିଯୁକ୍ତ ହୋଇଥିବାବେଳେ ବିହନ ଚାଷୀମାନେ ଠିକଣା ସମୟରେ କାହିଁକି ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇଛି ।

ଉଲ୍ଲେଖନୀୟ ଯେ ବିହନ ଚାଷୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ଠିକଣା ସମୟରେ ପ୍ରଦାନ କରିବାପାଇଁ ରାଜ୍ୟ ସରକାର ଓଡିଶା ବିହନ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦେଇଛନ୍ତି । ହାତରେ ଅର୍ଥ ରହିଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଚାଷୀମାନେ ସେମାନଙ୍କର ପ୍ରାପ୍ୟ ଠିକଣା ସମୟରେ ପାଇପାରୁ ନାହାନ୍ତି । ଏଥିଯୋଗୁଁ ବ୍ୟାଙ୍କ୍‍ରୁ ଆଣିଥିବା ଋଣ ଉପରେ ସୁଧ ବଢି ବଢି ଚାଲିଥିବାବେଳେ ରବି ଫସଲ ପାଇଁ ଚାଷୀମାନେ ପ୍ରସ୍ତୁତ ହୋଇପାରୁ ନାହାନ୍ତି ।

ସାଧାରଣ ଧାନ ବିକ୍ରି କରୁଥିବା ଚାଷୀମାନେ ୪୮ ଘଣ୍ଟା କିମ୍ବା ଅତି ବେଶିରେ ସପ୍ତାହକ ମଧ୍ୟରେ ଡିବିଟି ଜରିଆରେ ସେମାନଙ୍କର ପ୍ରାପ୍ୟ ପାଇଯାଉଥିବାବେଳେ ବିହନ ଉତ୍ପାଦନ କରୁଥିବା ଚାଷୀମାନଙ୍କୁ ଏଥିପାଇଁ ୪/୫ ମାସ ଲାଗିଯାଉଛି । ବିହନର ମାନ ପରୀକ୍ଷା ଓ ପ୍ରକ୍ରିୟାକରଣ ଆଳରେ ପ୍ରାପ୍ୟ ଦେବାରେ ବିଳମ୍ବ କରାଯାଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି ।

ଧାନ ବିହନ ବାବଦ ପ୍ରାପ୍ୟ ପ୍ରଦାନରେ ଏଭଳି ଟାଳଟୂଳ ଯୋଗୁଁ ଚଳିତବର୍ଷ କଳାହାଣ୍ଡି ଓ ବରଗଡର ଚାଷୀମାନେ ବିହନ ନିଗକୁ ଧାନ ଦେବା ପରିବର୍ତ୍ତେ ଖୋଲା ବଜାରରେ ବିକ୍ରି କରିଥିବାର ସୂଚନା ମିଳୁଛି । ଉଲ୍ଲେଖନୀୟ ଯେ ଓଡିଶା ବିହନ ନିଗମ ବର୍ଷକୁ ୫ଲକ୍ଷ କୁଇଣ୍ଟାଲରୁ ଅଧିକ ଉନ୍ନତମାନର ପ୍ରାମାଣିକ ଧାନ ବିହନ ଚାଷୀମାନଙ୍କୁ ଯୋଗାଇ ଦେଉଥିବାବେଳେ ଗତ ବର୍ଷ ତାହା ୧.୬୫ ଲକ୍ଷ ମେଟ୍ରିକ ଟନ୍‍କୁ ହ୍ରାସ ପାଇଛି । ତେଣୁ ଗତବର୍ଷର ଯେତିକିଧାନ ବିହନ ବିକ୍ରି ହୋଇଛି ଚଳିତବର୍ଷ ସେତିକି ଧାନ ବିହନ କିଣିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବାବେଳେ ସେହି ପ୍ରାପ୍ୟ ମଧ୍ୟ ଚାଷୀମାନଙ୍କୁ ଠିକଣା ସମୟରେ ପ୍ରଦାନ କରାଯାଇ ପାରୁନାହିଁ । (ତଥ୍ୟ)