ଭୁବନେଶ୍ୱର : ପର୍ଯ୍ୟଟନ ବିଭାଗର ବିଗତ ୪ ବର୍ଷର ବିଭିନ୍ନ ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ଉପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ୨୦୦୦ ମସିହାରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ବିପର୍ଯ୍ୟୟ ପରିଚାଳନା ଓ ଦାରିଦ୍ର୍ୟ ଭଳି ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ବର୍ତ୍ତମାନ ଏହା ବହୁ ଆଗକୁ ବଢ଼ିଛି । ବିଶେଷ କରି ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଗତ ୪ ବର୍ଷ ମଧ୍ୟରେ ଅଭୂତପୂର୍ବ ହୋଇଛି ।
ରାଜ୍ୟରେ ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଗଠନ ପାଇଁ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି ଏବଂ ପର୍ଯ୍ୟଟନରେ ବ୍ୟବସାୟିକ ସୁଯୋଗ ଯୋଗାଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଦୁଇଟି ପ୍ରତିଶ୍ରୁତିକୁ ପୂରଣ କରି ବିଭାଗ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨ ଅନୁଯାୟୀ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସ୍ଥାନୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଗଠନ କରାଯାଇଛି । ଏହି ପରିଷଦଗୁଡ଼ିିକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ । ଏହାବ୍ୟତୀତ ପର୍ଯ୍ୟଟନ ବିଭାଗ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଥିବା ୨୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବଂ ୧୨ଟି କାଫେଟେରିଆକୁ ମିଶନ ଶକ୍ତି ଏସ୍ଏଚ୍ଜିମାନଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି ।
କୋଭିଡ୍ ମହାମାରୀ ସତ୍ତେ୍ ୨୦୨୧ରେ ରାଜ୍ୟରେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୩୭ ଲକ୍ଷ ୪୨ ହଜାର ୨୨୧ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସଙ୍ଖ୍ୟା ୨ ହଜାର ୨୬୯ ରହିଛି, ଯାହା ଆଗକୁ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । କୋଭିଡ୍ ଭଳି ମହାମାରୀ ଏବଂ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସତ୍ତେ୍ୱ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର ଦ୍ରୁତ ଅଭିବୃଦ୍ଧି ଲାଭ କରିଛି । ଗତ ୪ ବର୍ଷ ମଧ୍ୟରେ ୫୦୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ସହିତ ରାଜ୍ୟରେ ଅଗ୍ରଣୀ ଗ୍ଲୋବାଲ ହସ୍ପିଟାଲିଟି ଏବଂ ଆମୋଦପ୍ରମୋଦ ପାର୍କ ବ୍ରାଣ୍ଡର ପ୍ରବେଶ ସହିତ ଏହା ପ୍ରତିଫଳିତ ହୋଇଛି ।
ଭାରତର ଅଗ୍ରଣୀ ଆମୋଦପ୍ରମୋଦ ପାର୍କ ୱଣ୍ଡରଲା ଭୁବନେଶ୍ୱରରେ ଦେଶର ଚତୁର୍ଥ ଆମୋଦପ୍ରମୋଦ ପାର୍କ ଖୋଲିବାକୁ ଯାଉଛି । ଏଭଳି ଅଗ୍ରଣୀ ପୁଞ୍ଜିନିବେଶକାରୀମାନେ ରାଜ୍ୟକୁ ପ୍ରବେଶ କରିବା ଦ୍ୱାରା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ କେତେ ସମ୍ଭାବନା ସୃଷ୍ଟି କରିଛି ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ ।
ଗଣମାଧ୍ୟମକୁ ସୂଚନା ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର କହିଥିଲେ ଯେ ୨୦୨୨-୨୩ ବର୍ଷରେ ପର୍ଯ୍ୟଟନ ବିଭାଗର ବଜେଟ୍ ୬୬୦ କୋଟି ଟଙ୍କା ହୋଇଥିବାବେଳେ ୨୦୦୦-୦୧ ରେ ଏହା ୨.୬୭ କୋଟି ଟଙ୍କା ଥିଲା, ଯାହା ଓଡ଼ିଶା ସରକାର ପର୍ଯ୍ୟଟନ କ୍ଷେତ୍ର ପ୍ରତି ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଦର୍ଶାଉଛି । ଏଥିରେ ୨୪୬୧୯% ବା ୨୪୬.୧୯ ଗୁଣ ବୃଦ୍ଧି ଘଟିଛି । ସେ ଆହୁରି କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି । ୨୦୦୦ ମସିହାରେ ରାଜ୍ୟ ପକ୍ଷରୁ ସ୍ୱାଗତ କରାଯାଇଥିଲା ୨୮,୮୮,୩୯୨ ଜଣ ଘରୋଇ ପର୍ଯ୍ୟଟକ ଓ ୨୩୭୨୩ ଜଣ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଯାହା କୋଭିଡ ମହାମାରୀ ଆରମ୍ଭ ହେବା ପର୍ଯ୍ୟନ୍ତ ୨୦୧୯ ରେ ୧,୫୩,୦୭,୬୩୭ ଘରୋଇ ପର୍ଯ୍ୟଟକ (୪୩୩% ବୃଦ୍ଧି) ଏବଂ ୧,୧୫,୧୨୮ ଅନ୍ତର୍ଜାତୀୟ ପର୍ଯ୍ୟଟକ (୩୮୫% ବୃଦ୍ଧି) ଆସିଛନ୍ତି ।
ରାଜ୍ୟ ଭିତରେ ଉନ୍ନତମାନର ସଡ଼କ ଯୋଗାଯୋଗ ସହିତ ଦେଶ ଏବଂ ଦେଶ ବାହାରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ଯୋଗାଯୋଗ ବୃଦ୍ଧି, ଅପରାଧ ହାର କମ୍, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚମତ୍କାର ପରିବର୍ତ୍ତନ, ଦକ୍ଷତା ବିକାଶ, ଆଧାର ବୃଦ୍ଧି ଏବଂ ସ୍ଥିର ସରକାର ନିବେଶକଙ୍କ ଆତ୍ମବିଶ୍ୱାସ ବଢ଼ାଉଛି, ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମ ଫଳରେ ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ପାଇବା ସହ ପର୍ଯ୍ୟଟନ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ।
ଯେତେବେଳେ ମହାମାରୀ ସମୟରେ ଯାତ୍ରା କଟକଣା ପ୍ରଚଳନ ଥିଲା, ସେତେବେଳେ ଓଡିଶା ସରକାର ରାଜ୍ୟରେ ଏକ ସ୍ଥାୟୀ ପର୍ଯ୍ୟଟନ ପରିବେଶର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିଥିଲେ ।
ଏଥିସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ୫-‘ଟି’ ଢାଞ୍ଚା ଅନୁସାରେ ବିକଶିତ ହୋଇଥିବା ନୂତନ ଏବଂ ଅଭିନବ ପର୍ଯ୍ୟଟନ ଉତ୍ପାଦର ଦାୟିତ୍ୱପୂର୍ଣ୍ଣ ପରିକଳ୍ପନା ପାଇଁ ନିଆଯାଇଥିବା ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।
ରାଜ୍ୟର ୨୦୧୯ ରେ ଗୋଟିଏ ସ୍ଥାନରୁ ଆରମ୍ଭ କରି ୨୦୨୨ରେ ୭ଟି ସ୍ଥାନକୁ ଇକୋ ରିଟ୍ରିଟ୍ ର ସମ୍ପ୍ରସାରଣ କରାଯାଇଛି । ରାଜ୍ୟର ଜୈବ ବିବିଧତା ତଥା ପରିବେଶଭିତ୍ତିକ ଆକର୍ଷଣୀୟ ଶିବିର ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଏହାର ଲକ୍ଷ । ଏହି ପ୍ରକଳ୍ପ ମାଧ୍ୟମରେ କୋଣାର୍କର ରାମଚଣ୍ଡୀ ବେଳାଭୂମି ବ୍ୟତୀତ ସାତକୋଶିଆ, ଭିତରକନିକା, ହୀରାକୁଦ, ଦାରିଙ୍ଗବାଡି, ପୁଟସିଲ ଏବଂ ସୋନାପୁର ଭଳି ଅଧିକ ପର୍ଯ୍ୟଟନ ସମ୍ଭାବନା ଥିବା ସ୍ୱଳ୍ପ ପରିଚିତ ପର୍ଯ୍ୟଟନ ସ୍ଥଳୀକୁ ଲୋକମାନଙ୍କ ନିକଟରେ ପରିଚିତ କରାଇବା ପାଇଁ ଏକ ପ୍ରୟାସ ।