Home General ପିଲାଙ୍କୁ ନିର୍ଯ୍ୟାତନାରୁ ଦୂରେଇ ରଖିବା ସମସ୍ତଙ୍କର ଦାୟିତ୍ୱ

ପିଲାଙ୍କୁ ନିର୍ଯ୍ୟାତନାରୁ ଦୂରେଇ ରଖିବା ସମସ୍ତଙ୍କର ଦାୟିତ୍ୱ

ଭୁବନେଶ୍ୱର : ପିଲାମାନଙ୍କୁ ଯୌନ ଶୋଷଣ ଓ ନିର୍ଯ୍ୟାତନାରୁ ଦୂରେଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ । ଘରେ ପିତାମାନଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ସଂଗଠନ ଏପରିକି ସରକାରଙ୍କର ଏ କ୍ଷେତ୍ରରେ ଦାୟିତ୍ୱ ରହିଥିବା କହିଛନ୍ତି ରାଜ୍ୟ ଗୃହ, ଇଲେକଟ୍ରୋନିକ୍ସ ଓ ଆଇଟି ଏବଂ କ୍ରୀଡା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା ।

ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ୍‍ ଫର ଏନଣ୍ଡିଂ ଭାଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନଏସିଜି ଇଭାକ୍‍ ଇଣ୍ଡିଆ) ଆନୁକୂଲ୍ୟରେ ପିକକ ପକ୍ଷରୁ ଓ ୱାର୍ଲଡ ଭିଜନ ଇଣ୍ଡିଆ, ୱାର୍ଲଭ ଭିଜନ ଜର୍ମାନୀ, ବିଏମଜେଡ୍‍ ଜର୍ମାନୀ ସହଯୋଗରେ ତଥା ଆଭାସ, ଏଡିଏଫ୍‍, ଆଦର୍ଶ, ଏଭି ବାଲିଗା ଟ୍ରଷ୍ଟ, ଏକତା, ହେଲ୍ପ, ଏମଆଇଏଚୱାଇ, ଓପନ ଲର୍ଣ୍ଣିଂ ସିଷ୍ଟମ, ଆରଏଆରଇ, ସାହାରା, ସେଲ୍ଟର, ଏସଆଇପିଡି ଏବଂ ଭାଇ ସହ ମିଳିତ ଭାବରେ ଆୟୋଜିତ ‘ଶିଶୁ ଯୌନ ଶୋଷଣ ଓ ନିର୍ଯ୍ୟାତନା ବିଲୋପ’ ଶୀର୍ଷକ ଏହି ଜାତୀୟ କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ବେହେରା କହିଛନ୍ତି ଯେ ପିଲାଙ୍କୁ ଯୌନ ଶୋଷଣରୁ ରକ୍ଷା କରିବାକୁ ହେଲେ ସବୁ ସ୍ତରରେ ସଚେତନତା ଆବଶ୍ୟକ ।

ପିତାମାତା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭକରି ପ୍ରତ୍ୟେକ ସ୍ତରର ଲୋକଙ୍କୁ ସଚେତନ କରାଯିବା ଆବଶ୍ୟକ । ଏହି ସଚେତନତା କାର୍ଯ୍ୟକ୍ରମୁ ସହରାଞ୍ଚଳ ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ଚଳାଇବାପାଇଁ ସେ ଓଡିଶା ସମେତ ୨୪ଟି ରାଜ୍ୟରୁ ଆସିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ । ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ ୩ରୁ ୧୮ବର୍ଷ ବୟସର ପିଲାମାନେ ଅଧିକାଂଶ ସମୟ ବିଦ୍ୟାଳୟରେ ରହୁଥିବାରୁ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନେଇ ଶିଶୁ ଶୋଷଣ ବିରୁଦ୍ଧରେ କର୍ମଶାଳା ଆୟୋଜନ କରିବା ଆବଶ୍ୟକ ।

ଯଦିଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆପତ୍ତିଜନକ ଇଣ୍ଟରନେଟ୍‍ ସାଇଟ୍‍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କିନ୍ତୁ ବର୍ତ୍ତମାନ ଭର୍ଚୁଆଲ ଇଣ୍ଟରନେଟ୍‍ର ଯୁଗରେ ପିତାମାତାମାନେ ପିଲାମାନଙ୍କୁ ସଠିକ ମାର୍ଗଦର୍ଶନ କରିବା ଆବଶ୍ୟକ । ରାଜ୍ୟରେ ଶିଶୁ ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ସମ୍ପୂର୍ଣ୍ଣ ବିଲୋପ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ।

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ଶ୍ରୀ ପିୟଙ୍କ କାନୁନଗୋ ଏହି ଅବରସରେ ପିଲାଙ୍କୁ ସ୍ୱତନ୍ତ୍ର ଭାବେ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଶିଶୁ ସୁରକ୍ଷା ପାଇଁ ଦେଶରେ କାର୍ଯ୍ୟକାରୀ ହେଉଥିବା ପୋକ୍‍ସୋ ଆଇନ୍‍ ହେଉଛି ସ୍ୱତନ୍ତ୍ର । ଏହା ଜରିଆରେ କେବଳ ଦୋଷୀ ଦଣ୍ଡ ପାଏ ନାହିଁ, ପୀଡିତଙ୍କୁ ବି ସହାୟତା ମିଳିଥାଏ । ତେବେ ବର୍ତ୍ତମାନ ୪୦ ହଜାର ପୋକ୍‍ସୋ ମାମଲା ଦେଶରେ ବିଚାରାଧିନ ରହିଛି । ଏକ ଶିଶୁ ଯୌନ ନିର୍ଯ୍ୟାତନା ଓ ଶୋଷଣ ମୁକ୍ତ ପରିବେଶ ପାଇଁ ଜିଲ୍ଲା ସ୍ତରରେ ସ୍ୱେଚ୍ଛାସେବୀମାନେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।

ରାଜ୍ୟ ଶ୍ରମ ସଚିବ ଶ୍ରୀ ସନ୍ଥ ଗୋପାଳନ କହିଥିଲେ ଯେ ଶିଶୁ ଶ୍ରମିକମାନେ ଯୌନ ନିର୍ଯ୍ୟାତନା ଓ ଶୋଷଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାର ବିଲୋପ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ଓ ଏ ଦିଗରେ କାର୍ଯ୍ୟ କରୁଛନ୍ତି । ଏକ ଶିଶୁ ଶ୍ରମିକ ଓ ଶିଶୁ ଶୋଷଣ ମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ୱାର୍ଲଡ ଭିଜନର ଆଡଭୋକାସୀ ମୁଖ୍ୟ ମିଖାଇଲ ପ୍ରଧାନ ଏହି ଜାତୀୟ ସ୍ତରୀୟ କର୍ମଶାଳାରେ ଶିଶୁମାନଙ୍କୁ ଯୌନ ଶୋଷଣରୁ ମୁକ୍ତ ରଖିପାଇଁ ପାରିତ ଘୋଷଣା ସଂକ୍ରାନ୍ତରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଏନ୍‍ଏସିଜି ଇଭାକ ଇଣ୍ଡିଆର ଅଧ୍ୟକ୍ଷ ରଞ୍ଜନ ମହାନ୍ତି ଶିଶୁ ଶୋଷଣ ମୁକ୍ତ ପରିବେଶ ପାଇଁ ପ୍ରତିଷେଧକ ମୂଳକ ବ୍ୟବସ୍ଥା ହେଉଛି ସର୍ବୋତ୍ତମ ।

ପିଲାମାନଙ୍କୁ ଏକ ସୁରକ୍ଷା ବଳୟ ଦୋବକୁ ହେଲେ ଗ୍ରାମ୍ୟ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସମନ୍ୱୟ ରକ୍ଷା ଓ ଏକତ୍ର କାମ କରିବାର ଆବଶ୍ୟକତା ରହିଛି । ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ କେ.ନଗନ୍ନା ଗୌଡ, ଆନ୍ଧ୍ରପ୍ରଦେଶ ଆୟୋଗର ଅଧ୍ୟକ୍ଷ କେଶାଲି ଆପ୍ପାରାଓ, ପଶ୍ଚିମବଙ୍ଗ ସୁରକ୍ଷା ଆୟୋଗର ଅନନ୍ୟା ଚକ୍ରବର୍ତ୍ତୀ, ସୁପ୍ରିମ୍‍କୋର୍ଟର ବରିଷ୍ଠ ଆଇନ୍‍ଜୀବୀ ଶଶାଙ୍କ ଶେଖର, ଓଡିଶାର ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର ପ୍ରମୁଖ ଦଳଗତ ଆଲୋଚନାରେ ଭାଗ ନେଇଥିଲେ ।