Home News in Odia ପିପିଲିରୁ ବିଜେପି ପ୍ରାର୍ଥୀ ହେଲେ ଆଶ୍ରିତ

ପିପିଲିରୁ ବିଜେପି ପ୍ରାର୍ଥୀ ହେଲେ ଆଶ୍ରିତ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ବିଜେପି ଆଜି ତାହାର ପ୍ରାର୍ଥୀ ଭାବେ ଆଶ୍ରିତ ପଟ୍ଟନାୟକଙ୍କ ନାମ ଘୋଷଣା କରିଛି । ୨୦୧୯ ନିର୍ବାଚନରେ ଆଶ୍ରିତ ଏଠାରୁ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଠାରୁ ପରାଜିତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଉପରେ ସମସ୍ତଙ୍କ ନଜର ଥିବାବେଳେ ବିଜେପି ଆଜି ଆଶ୍ରିତଙ୍କୁ ମଇଦାନକୁ ଉତାରିଛି । ତେବେ ବର୍ତ୍ତମାନ ସୁଦ୍ଧା ଶାସକ ବିଜେଡି କିମ୍ବା ବିରୋଧି କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

୨୦୧୯ ନିର୍ବାଚନରେ ପିପିଲିରୁ ଜିଣିଥିବା ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ଯୋଗୁଁ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ଏପ୍ରିଲ ୧୭ ତାରିଖରେ ଏଠାରେ ଭୋଟଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଚଳିତମାସ ୨୩ ତାରିଖରେ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି ।

ତେବେ ଗତ ନିର୍ବାଚନରେ ପିପିଲି ଆସନରେ ମୋଟ୍‍ ୧,୭୪,୮୭୫ ଖଣ୍ଡ ଭୋଟ ପଡିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ମହାରଥୀ ଏଠାରୁ ସର୍ବାଧିକ ୮୮,୫୧୮ଖଣ୍ଡ ଭୋଟ ପାଇ ଜିଣିଥିଲେ । ବିଜେପି ପ୍ରାର୍ଥୀ ଆଶ୍ରିତ ସେତେବେଳେ ଏଠାରୁ ୭୨,୭୩୧ ଖଣ୍ଡ ଭୋଟ ପାଇଁ ତୃତୀୟ ସ୍ଥାନରେ ଥିବାବେଳେ କଂଗ୍ରେସର ଅଜିତ ମଙ୍ଗରାଜ ମାତ୍ର ୯୮୩୦ ଖଣ୍ଡ ଭୋଟ ପାଇଥିଳେ । ଅନ୍ୟ ୩ଜଣ ପ୍ରାର୍ଥୀଙ୍କ ଭୋଟ ଅତି ନଗଣ୍ୟ ରହିଥିଲା ।

ବିଜେପି ଏବେ ଆଶ୍ରିତଙ୍କୁ ପୁନର୍ବାର ପ୍ରାର୍ଥୀ କରିଥିବାରୁ ବିଜେପି ନେତା ଓ କର୍ମୀମାନେ ଆଶାବାଦୀ ଅଛନ୍ତି । ନିକଟରେ ଅନୁଷ୍ଠିତ ଦୁଇଟି ଉପନିର୍ବାଚନରେ ବିଜେପି ପରାଜିତ ହୋଇଥିବାବେଳେ ବାଲେଶ୍ୱର ଆସନଟି ଦଳର ହାତଛଡା ହୋଇଯାଇଛି ।